ବାରବାଟୀ T20: ଗତ ଥର ଭାରତ-ଦ. ଆଫ୍ରିକା ମୁକାବିଲାରେ ବାରବାଟୀରେ ହୋଇଥିଲା ହଙ୍ଗାମା, ଏମିତି ପ୍ରତିକ୍ରିୟା ରଖିଥିଲେ ଧୋନୀ
11/06/2022 at 10:21 PM

କଟକ: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ଦ୍ଵିତୀୟ ମୁକାବିଲା ରବିବାର କଟକର ବାରବାଟୀ ଷ୍ଟାଡିୟମରେ ଖେଳାଯିବ। ଏହି ମ୍ୟାଚ୍ ସନ୍ଧ୍ୟା ୭ଟାରେ ଆରମ୍ଭ ହେବ। ଏହି ମଇଦାନରେ ଦ୍ଵିତୀୟ ଥର ମୁହାଁମୁହିଁ ହେବେ ଭାରତ ଏବଂ ଦକ୍ଷିଣ ଆଫ୍ରିକା।
ଏହା ପୂର୍ବରୁ କଟକରେ ଦୁଇ ଦଳ ମଧ୍ୟରେ ୨୦୧୫ ଅକ୍ଟୋବର ୫ରେ ଟି-୨୦ ମ୍ୟାଚ୍ ଖେଳାଯାଇଥିଲା। ଏଥିରେ ଭାରତୀୟ ଦଳ ଶୋଚନୀୟ ଭାବେ ଛଅ ଓ୍ଵିକେଟ୍ରେ ପରାଜିତ ହୋଇଥିଲା। ଏହି ମୁକାବିଲାରେ ବହୁତ ହଙ୍ଗାମା ମଧ୍ୟ ହୋଇଥିଲା। ଏହି କାରଣରୁ କ୍ରିକେଟ୍ ଜଗତରେ ଭାରତ ଏବଂ ଓଡିଶାକୁ ନିନ୍ଦିତ ହେବାକୁ ପଡିଥିଲା।

୨୦୧୫ରେ ଖେଳାଯାଇଥିବା ଏହି ମୁକାବିଲାରେ ଭାରତ ମାତ୍ର ୯୨ ରନରେ ଅଲଆଉଟ୍ ହୋଇଥିଲା। ଦଳର ଅଧିନାୟକ ଥିଲେ ମହେନ୍ଦ୍ର ସିଂହ ଧୋନୀ। ଭାରତୀୟ ଦଳର ଅତ୍ୟନ୍ତ ନିମ୍ନମାନର ପ୍ରଦର୍ଶନ ଦେଖି ପ୍ରଶଂସକ ନିଜ କ୍ରୋଧ ନିୟନ୍ତ୍ରଣ କରିପାରିନଥିଲେ। ଷ୍ଟାଡିୟମ ଭିତରକୁ ପାଣି ବୋତଲ ଫିଙ୍ଗିବା ଆରମ୍ଭ କରିଥିଲେ। ମ୍ୟାଚ୍ ସମୟରେ ଏମିତି ତିନି ଥର ଘଟିଥିଲା ଏବଂ ପ୍ରତିଥର ମ୍ୟାଚ୍କୁ ବନ୍ଦ କରିବାକୁ ପଡିଥିଲା। ସ୍ଥିତି ଏମିତି ହୋଇଥିଲା ଯେ, ପାଖାପାଖି ୩୦ ରୁ ୪୦ ମିନିଟ୍ ଖେଳ ବନ୍ଦ ରହିଥିଲା।
ମ୍ୟାଚ୍ ସମୟରେ ମହେନ୍ଦ୍ର ସିଂହ ଧୋନୀ କହିଥିଲେ ଯେ, ବୋଧହୁଏ ପ୍ରଶଂସକଙ୍କୁ ବୋତଲ ଫିଙ୍ଗିବାରେ ଭାରି ମଜା ଲାଗୁଥିଲା। ଏବେ ପ୍ରାୟ ସାତ ବର୍ଷ ପରେ ପୁଣି ଥରେ ଦୁଇ ଦଳ କଟକ ବାରବାଟୀ ଷ୍ଟାଡିୟମରେ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହା ମଧ୍ୟରେ ୨୦୧୭ରେ ଏହି ମଇଦାନରେ ଖେଳାଯାଇଥିବା ଶ୍ରୀଲଙ୍କା ବିପକ୍ଷ ମୁକାବିଲାରେ ଭାରତ ୯୩ ରନରେ ବିଜୟ ହାସଲ କରିଥିଲା।
କଣ ଘଟିଥିଲା

ଭାରତୀୟ ଦଳ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଦଳ ୧୭.୨ ଓଭରରେ କେବଳ ୯୨ ରନରେ ଅଲଆଉଟ୍ ହୋଇଥିଲା। ରୋହିତ ଶର୍ମା ଏବଂ ସୁରେଶ ରୈନା ୨୨ ରନ ଲେଖାଏଁ କରିଥିଲେ। ତାଙ୍କ ବ୍ୟତୀତ କୌଣସି ବ୍ୟାଟସମ୍ୟାନ ୨୦ ରନ ବି କରିପାରିନଥିଲେ। ନିଜ ଦଳର ଏମିତି ଦୟନୀୟ ଅବସ୍ଥା ଦେଖି ଦର୍ଶକ ନିଜକୁ ରୋକି ପାରିନଥିଲେ ଏବଂ ପଡିଆ ଭିତରକୁ ବୋତଲ ଫିଙ୍ଗିଥିଲେ।
ଏହା ପରେ ଦକ୍ଷିଣ ଆଫ୍ରିକା ୧୧ ଓଭରରେ ୩ ଓ୍ଵିକେଟ୍ ହରାଇ ୬୪ ରନ କରିଥିଲେ। ଦଳକୁ ଜିତିବା ପାଇଁ ୫୪ ବଲରୁ ୨୯ ଦରକାର ଥିଲା। ଏହି ସମୟରେ ଦର୍ଶକ ପୁଣି ଥରେ ବୋତଲ ଫିଙ୍ଗିବା ଆରମ୍ଭ କରିଥିଲେ। ଫଳରେ ମ୍ୟାଚ୍ ୧୫ ମିନିଟ୍ ପାଇଁ ବନ୍ଦ ରଖାଯାଇଥିଲା ଏବଂ ପୁଣି ଥରେ ଆରମ୍ଭ ହୋଇଥିଲା।

ପୁଣି ଦୁଇ ଓଭର ଖେଳ ନସରୁଣୁ ଦର୍ଶକ ବୋତଲ ଫିଙ୍ଗିବା ଆରମ୍ଭ କରିଥିଲେ। ଏଥର ମାମଲା ଅଧିକ ବିଗିଡିଥିଲା। ଦର୍ଶକ ଏତେ ମାତ୍ରାରେ ବୋତଲ ପଡିଆ ଭିତରକୁ ଫିଙ୍ଗିଲେ ଯେ, ଅମ୍ପାୟରଙ୍କୁ ମ୍ୟାଚ୍ ରୋକିବାକୁ ନିଷ୍ପତ୍ତି ନେବାକୁ ପଡିଥିଲା। ଏଥର ପାଖାପାଖି ଅଧ ଘଣ୍ଟା ଖେଳ ବନ୍ଦ ରହିଥିଲା। ଏହି ସମୟରେ ଦକ୍ଷିଣ ଆଫ୍ରିକାକୁ ୪୨ ବଲରେ ଜିତିବା ପାଇଁ ୨୩ ରନ ଦରକାର ଥିଲା। ପୋଲିସ ଗ୍ୟାଲେରୀ ଗ୍ୟାଲେରୀ ବୁଲି ପରିସ୍ଥିତି ଶାନ୍ତ କରିଥିଲା ଏବଂ ମ୍ୟାଚ୍ ପୁଣି ଥରେ ଆରମ୍ଭ ହୋଇଥିଲା। ଶେଷରେ ଦକ୍ଷିଣ ଆଫ୍ରିକା ୧୭.୧ ଓଭରରେ ୪ ଓ୍ଵିକେଟ୍ ହରାଇ ୯୬ ରନ କରି ମ୍ୟାଚ୍ ଜିତିଥିଲା।
ଲୋକଙ୍କୁ ବହୁତ ମଜା ଲାଗୁଥିଲା
ମ୍ୟାଚ୍ ହାରିବା ପରେ ଭାରତୀୟ ଦଳର ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ କହିଥିଲେ, ଯଦି ସୁରକ୍ଷା ଦୃଷ୍ଟି କୋଣରୁ ଦେଖିବା ତେବେ ଏହା ଏକ ଗମ୍ଭୀର ମାମଲା। ଧୋନୀ ମଜାଳିଆ ଢଙ୍ଗରେ କହିଥିଲେ ଯେ, ବୋଧହୁଏ ଦର୍ଶକଙ୍କ ଗହଣରେ କିଛି ଶକ୍ତିଶାଳୀ ଲୋକ ଥିଲେ, ଯେଉଁମାନେ ବୋତଲକୁ ସୀମାରେଖା ପର୍ଯ୍ୟନ୍ତ ଫିଙ୍ଗି ପାରିଥିଲେ। ଆମେ ମ୍ୟାଚ୍ରେ ଭଲ ଖେଳି ନଥିଲୁ। ଏହା ତାରି ପ୍ରତିକ୍ରିୟା ଥିଲା। ସର୍ବ ପ୍ରଥମେ ଗୋଟିଏ ବୋତଲ ଆସିଥିଲା। ଏହାପରେ ବୋଧହୁଏ ଲୋକଙ୍କୁ ମଜା ଲାଗିଥିଲା ଏବଂ ଲଗାତାର ବୋତଲ ଫିଙ୍ଗି ଚାଲିଥିଲେ।