ଝାରସୁଗୁଡା ରେଳଷ୍ଟେସନରେ ଅଟକିଲା ସ୍ପେଶାଲ ଟ୍ରେନ୍ , ୨ ନମ୍ବର ପ୍ଲାଟଫର୍ମରେ ୨ମିନିଟ୍ ପାଇଁ ରହିଲା ଟ୍ରେନ୍
2/05/2020 at 11:42 AM

ଝାରସୁଗୁଡା ୦୨।୦୫: ପ୍ରାୟ ୫ ସପ୍ତାହ ପରେ ଝାରସୁଗୁଡା ରେଳଷ୍ଟେସନ ଟ୍ରାକରେ ଚାଲିଲା ଯାତ୍ରୀବାହୀ ଟ୍ରେନ। ଲକଡାଉନ ସମୟରେ ରେଳ ଚଳାଚଳ ବନ୍ଦ ଥିବା ବେଳେ ତେଲେଙ୍ଗାନାରୁ ସ୍ୱତନ୍ତ୍ର ଟ୍ରେନ ଝାଡଖଣ୍ଡର ହଟିଆ ଯିବା ସମୟରେ ଝାରସୁଗୁଡା ରେଳଷ୍ଟେସନର ୨ ନମ୍ବର ପ୍ଲାଟଫର୍ମରେ ୨ମିନିଟ ପାଇଁ ଅଟକିଥିଲା ସ୍ପେଶାଲ ଟ୍ରେନ।। ଝାରସୁଗୁଡାରେ ଟ୍ରେନର ଡ୍ରାଇଭର ଓ ଗାର୍ଡ ବଦଳି ହେବା ପରେ ଛାଡିଥିଲା ଟ୍ରେନ। ଏଥିପାଇଁ ସମସ୍ତ ବନ୍ଦୋବସ୍ତ କରାଯାଇଥିଲା।

ଶୁକ୍ରବାର ରାତି ୮ଟା ୩୦ମିନିଟରେ ସ୍ଵତନ୍ତ୍ର ଟ୍ରେନ ପହଞ୍ଚି ୨ମିନିଟର ରହଣୀ ପରେ ନିଜ ଗନ୍ତବ୍ୟ ସ୍ଥଳକୁ ବାହାରିଥିଲ। ଲକ୍ ଡାଉନ ଯୋଗୁଁ ଦେଶର ବିଭିନ୍ନ ସ୍ଥାନରେ ଅଟକି ରହିଥିବା ଶ୍ରମିକମାନଙ୍କ ସହିତ ତୀର୍ଥଯାତ୍ରୀ, ପର୍ଯ୍ୟଟକ, ଛାତ୍ରଛାତ୍ରୀ ଓ ଅନ୍ୟ ବ୍ୟକ୍ତିଙ୍କୁ ପରିବହନଲାଗି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟଙ୍କ ନିର୍ଦ୍ଦେଶ କ୍ରମେ ମେ ପହିଲାରୁ ଶ୍ରମିକଙ୍କ ପାଇଁ ସ୍ପେଶାଲ ଟ୍ରେନ ଚଳାଚଳ ଆରମ୍ଭ କରିଛି । ତେଲେଙ୍ଗାନା ସରକାରଙ୍କ ଅନୁରୋଧ କ୍ରମେ ତେଲେଙ୍ଗାନା ଲିଙ୍ଗମପଲ୍ଲିରୁ ଝାଡ଼ଖଣ୍ଡ ହାତିଆକୁ ଗଡ଼ିଲା ସ୍ବତନ୍ତ୍ର ଟ୍ରେନ । କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟର ସ୍ବତନ୍ତ୍ର ଟ୍ରେନ୍ରେ ହାଟିଆ ଗଲେ ୧,୨୨୫ ଦାଦନ ଶ୍ରମିକ । ଫସି ରହିଥିବା ଶ୍ରମିକଙ୍କୁ ଏଭଳି ପରିବହନ ପାଇଁ ସ୍ୱତନ୍ତ୍ର ନିୟମ ପ୍ରସ୍ତୁତ ହୋଇଛି ।

ଶ୍ରମିକ ସ୍ପେଶାଲ ଟ୍ରେନରେ ଲୋକଙ୍କୁ ପରିବହନ ଲାଗି ସମନ୍ୱୟ ରକ୍ଷା ସକାଶେ ଉଭୟ ରେଳବାଇ ଓ ରାଜ୍ୟ ସରକାର ବରିଷ୍ଠ ଅଧିକାରୀମାନଙ୍କୁ ନୋଡାଲ ଅଫିସର ଭାବେ ନିଯୁକ୍ତି ଦେବେ । ଶ୍ରମିକମାନେ ଯାତ୍ରା ଆରମ୍ଭ କରିବାକୁ ଥିବା ରାଜ୍ୟରେ ପ୍ରଥମେ ସେମାନଙ୍କର ପରୀକ୍ଷା ନିରୀକ୍ଷା ହେବ । କରୋନା ଲକ୍ଷଣ ନଥିବା ବ୍ୟକ୍ତିଙ୍କୁ ହିଁ ରେଳଗାଡିରେ ଚଢିବାକୁ ଦିଆଯିବ । ଶ୍ରମିକମାନଙ୍କୁ ପଠାଇବାକୁ ଥିବା ରାଜ୍ୟ ସରକାର ସେମାନଙ୍କୁ ବିଶୋଧନ ହୋଇଥିବା ବସ୍ରେ ଆଣି ଷ୍ଟେସନରେ ଛାଡିବେ । ଏହି ସମୟରେ ସାମାଜିକ ଦୂରତ୍ୱ ରକ୍ଷା ଲାଗି ଗୁରୁତ୍ୱ ଦିଆଯାଇଛି । ପ୍ରତ୍ୟେକ ଯାତ୍ରୀ ମାସ୍କ ପିନ୍ଧିବା ବାଧ୍ୟତା ମୂଳକ ହୋଇଥିବାବେଳେ ସେମାନଙ୍କ ଖାଦ୍ୟ ଓ ପାନୀୟଜଳ ପଠାଉଥିବା ରାଜ୍ୟ ସରକାର ଷ୍ଟେସନରେ ଯୋଗାଇଦେବେ ।