ବାଘୁଣୀ ଆତଙ୍କ : ନିଶ୍ଚେତକକାରୀ ଦଳକୁ ଚକମା ଦେଇ ଖସିଗଲା ସୁନ୍ଦରୀ, ନୂଆସାହିରେ ପୁଣି ମାରିଲା ବଳଦ; ଚିନ୍ତାରେ ବନବିଭାଗ

Published By : Prameya-News7 Bureau | October 24, 2018 IST

ଅନୁଗୁଳ ୨୪/୧୦ : ବହୁତ ହଲାପଟା କଲାଣି ସୁନ୍ଦରୀ ବାଘୁଣୀ | ଗତକାଲିଠାରୁ ଛକି ବସିଥିବା ଟାଙ୍କୁଲାଇଜିଙ୍ଗ ଦଳକୁ ଚକମା ଦେଇ ଡିଆଁ ମାରି ଫେରାର ହୋଇଯାଇଛି ସୁନ୍ଦରୀ | ଟାଇଁସି ଜଙ୍ଗଲ -୧ରୁ ଟାଇଁସି-୨ ଜଙ୍ଗଲ ଭିତରକୁ ଖସି ଯିବା ପୂର୍ବରୁ ରକ୍ତମୁଖା ହୋଇଛି ସୁନ୍ଦରୀ | ନୁଆସାହି ଗାଁ ଭିତରେ ପଶି ଗୋଟିଏ ବଳଦକୁ ଆକ୍ରମଣ କରି ଜଙ୍ଗଲ ମଧ୍ୟକୁ ଖସି ପଲାଇଛି | ଫଳରେ ଟାଙ୍କୁଲାଇଜିଙ୍ଗ ଦଳ ପାଇଁ ଅସୁବିଧା ସୃଷ୍ଟି ହୋଇଛି | ଟାଙ୍କୁଲାଇଜିଙ୍ଗ ବେଳେ ୫ ମିଟର ଦୂରରୁ ଟ୍ରାଙ୍କୁଲାଇଜ କରିପାରିଲାନି ବନ ବିଭାଗ | ୫ ଫୁଟ ଉଚ୍ଚକୁ ଡିଆଁ ମାରି ଖସିଗଲା ସୁନ୍ଦରୀ | ଟାଙ୍କୁଲାଇଜିଙ୍ଗ ପାଇଁ ଜଙ୍ଗଲ ଭିତରୁ ବାଘୁଣୀକୁ ଘଉଡ଼ାଇ ଆଣିଥିଲେ ୧୦ରୁ ୧୫ ଜଣ ବନ କର୍ମଚାରୀ | ଗତକାଲି ମଧ୍ୟ ସମାନ ପରିସ୍ଥିତି ହୋଇଥିଲା | ଗତକାଲି ରାତି ପାହିଗଲା ହେଲେ ଫେଲ ମାରିଲା ସୁନ୍ଦରୀକୁ ଟ୍ରାଙ୍କୁଲାଇଜ୍ କରିବା ଉଦ୍ୟମ । ବନ କର୍ମଚାରୀ ନରହନ୍ତା ବାଘୁଣୀକୁ ଟ୍ରାଙ୍କୁଲାଇଜ କରିପାରିନଥିଲେ । ସୂଚନାଯୋଗ୍ୟ ଯେ, ଓୟୁଏଟିର ଗୋଟିଏ ଓ ନନ୍ଦନକାନନର ୩ ଟି ଟିମ୍ କୁମୁରି ଗାଁରେ ଡେରା ପକାଇ ବାଘର ଗତିବିଧି ଉପରେ ନଜର ରଖିଛନ୍ତି । ସୁନ୍ଦରୀକୁ କାବୁ କରିବା ପାଇଁ ଛେଳି ବନ୍ଧା ହୋଇଥିବା ବେଳେ ମଞ୍ଚା ଉପରେ ଛକି ବସିଥିଲେ ଟାଙ୍କୁଲାଇଜିଙ୍ଗ ଦଳ । ଏପରିକି ଯନ୍ତା ମଧ୍ୟ ପ୍ରସ୍ତୁତ ରଖାଯାଇଥିଲା । ହେଲେ ଧରା ଦେଲାନି ସୁନ୍ଦରୀ । ସୂଚନାଯୋଗ୍ୟ ଯେ, ପ୍ରଥମେ ଜଣେ ମହିଳା ଏବଂ ପରେ ସ୍ଥାନୀୟ ଟାଇଁସା ଗାଁର ଜଣେ ଚାଷୀଙ୍କୁ ମାରିବା ପରେ ସାମ୍ବାଦିକଙ୍କ ଉପରେ ଆକ୍ରମଣ କରିଥିଲା ସୁନ୍ଦରୀ । ଏହା ସହ ସୋମବାର ଏକ ବଳଦକୁ ମାରି ପକାଇଥିଲା । ଏ ଘଟଣାକୁ ନେଇ ଗାଁରେ ପ୍ରବଳ ଉତେଜନା ଦେଖାଦେଇଥିଲା । ବାରମ୍ବାର ଲୋକ ଓ ଜୀବଜନ୍ତୁଙ୍କ ଉପରେ ଆକ୍ରମଣ କରୁଥିବାରୁ ମଣିଷଖିଆ ସୁନ୍ଦରୀକୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଗ୍ରାମବାସୀମାନେ ଦାବି କରିଥିଲେ । ଫଳରେ ବାଘୁଣୀକୁ ଟ୍ରାଙ୍କୁଲାଇଜ କରାଯାଇ ରାଇଗଡ଼ ଏନକ୍ଲୋଜରକୁ ଆଣିବାକୁ ନିଷ୍ପତ୍ତି ହୋଇଥିଲା । ତେଣୁ ସାତକୋଶିଆ କୋଠଭୂଇଁ ପଞ୍ଚାୟତ କୁମୁରି ଗାଁ ନିକଟରେ ଚାଲିଛି ସୁନ୍ଦରୀକୁ ଟ୍ରାଙ୍କୁଲାଇଜ୍ କରିବା ଅପରେସନ । ବାଘୁଣୀ ସୁନ୍ଦରୀକୁ ଟ୍ରାଙ୍କୁଲାଇଜ୍‌ କରି ସାତକୋଶିଆ ବାହାରକୁ ନେବାକୁ ଅନୁଗୋଳ ଜିଲ୍ଲାପାଳ ଜଙ୍ଗଲ ଓ ପରିବେଶ ବିଭାଗକୁ ଚିଠି ଲେଖିଥିଲେ । ତେଣୁ ସେହି ଅନୁସାରେ ଜଙ୍ଗଲ ବିଭାଗ କାମ କରୁଛି । ସଂଧ୍ୟା ସୁଦ୍ଧା ସୁନ୍ଦରୀକୁ କାବୁ କରିବାକୁ ଯୋଜନା ରହିଛି । ଏପଟେ ଲୋକଙ୍କୁ ବାହାରକୁ ନବାହାରିବା କୁହାଯାଇଥିବା ବେଳେ ଗାଁ ଲୋକଙ୍କ ସହାୟତା ବି ନେଉଛି ବନ ବିଭାଗ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.