ପବିତ୍ର କୁମାର ପୂର୍ଣ୍ଣିମା, ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତିକାନ୍ତି
28/10/2023 at 7:29 AM

ପୁରୀ ୨୮।୧୦ : ଶନିବାର ପବିତ୍ର କୁମାର ପୂର୍ଣ୍ଣିମା। ଏହି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେଉଛି। ଶ୍ରୀକ୍ଷେତ୍ରରେ ମାନବୀୟ ଲୀଳା କରୁଥିବା ମହାପ୍ରଭୁ ଆଜି ମହାଲକ୍ଷ୍ମୀଙ୍କ ସହିତ ଜୁଆ ଖେଳରେ ହାରି ଯାଇଥିବାରୁ ପ୍ରଭୁଙ୍କ ଚଳନ୍ତି ପ୍ରତିମା ଶ୍ରମାଧବ ସାତଦିନ ପର୍ଯ୍ୟନ୍ତ ଲକ୍ଷ୍ମୀ ମନ୍ଦିରରେ ବନ୍ଧା ରହିବେ।
ସେହିପରି ଚକ୍ରରାଜ ସୁଦର୍ଶନ ଚାରି ଆଶ୍ରମ ପରିକ୍ରମା କରି ରତ୍ନସିଂହାସନରେ ବିଜେ କରିବେ। ସେପଟେ ରବିବାର ଠାରୁ କାର୍ତ୍ତିକ ବ୍ରତ ଆରମ୍ଭ ହେଉଥିବା ବେଳେ ଯେଉଁ ହବିଷ୍ୟାଳି ମାନେ କାର୍ତ୍ତିକ ବ୍ରତ ପାଳନ କରିବେ ସେମାନେ ଆଜି ସଂକଳ୍ପ କରିଛନ୍ତି। ତେବେ ଆଜି ରାହୁଗ୍ରସ୍ତ ଖଣ୍ଡଗ୍ରାସ ଚନ୍ଦ୍ରଗ୍ରହଣ ପଡୁଥିବାରୁ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି ମଧ୍ୟ ଅନୁଷ୍ଠିତ ହେଉଛି। ଭକ୍ତଙ୍କ ପ୍ରବଳ ଭିଡକୁ ଦୃଷ୍ଟିରେ ରଖି ଶୃଙ୍ଖଳିତ ଦର୍ଶନ ସହ ସୁରୁଖୁରୁରେ ମହାପ୍ରସାଦ ପାଇ ପାରିବେ । ଏନେଇ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।