ହକି ବିଶ୍ବକପ୍ ସିଧାପ୍ରସାରଣ ଦେଖିବେ ଯାଜପୁରବାସୀ, ଜିଲ୍ଲା ପ୍ରଶାସନ ତରଫରୁ ସ୍ବତନ୍ତ୍ର ପ୍ରସ୍ତୁତି
8/01/2023 at 9:19 PM

ଯାଜପୁର, ୦୮/୦୧: ଯାଜପୁର ବାସୀ ଦେଖିବେ ବିଶ୍ୱ ପୁରୁଷ ହକି ବିଶ୍ବକପ୍। ଆଉ ବିଶ୍ବକପ୍ ପାଇଁ ଚଳଚଞ୍ଚଳ ହୋଇ ଉଠିଛି ପୁରା ସହର । ଆସନ୍ତା ୧୩ ତାରିଖରେ ହେବ ବିଶ୍ବକପ୍ ହକିର ପ୍ରଥମ ମ୍ୟାଚ। ଯାହାକୁ ସିଧାପ୍ରସାରଣ ମାଧ୍ୟମରେ ଉପଭୋଗ କରିପାରିବେ ଯାଜପୁର ବାସୀ । ସବୁଠି ଏବେ ହକିର ମହାଲ ସୃଷ୍ଟି ହୋଇଛି । ଏହି ମ୍ୟାଚ କୁ ନୂତନ କରି ଗଢି ଉଠିଥିବା ଯାଜପୁର ହକି ଷ୍ଟାଡିୟମରେ ବସି ଦେଖିବେ ସହରବାସୀ ।
କେବଳ ଏଠାରେ ବସି ମ୍ୟାଚ ଦେଖିବେନି ବରଂ ଆଗାମୀ ଦିନରେ କ୍ରୀଡାବିତମାନେ ଏହି ଷ୍ଟାଡିୟମରେ ହକିର ପ୍ରଶିକ୍ଷଣ ନେଇପାରିବେ । ଜିଲ୍ଲାରେ ହକି ଷ୍ଟାଡିୟମ ନଥିବାରୁ ପ୍ରଶିକ୍ଷଣ ନେବାକୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ କ୍ରୀଡାବିତମାନେ । ତେବେ ଷ୍ଟାଡିୟମ ହେବାପରେ ଏ ସବୁ ସମସ୍ୟାର ଦୂର ହେବା ସହ ଭଲରେ ଆମେ ପ୍ରଶିକ୍ଷଣ ନେବା ସହ ରାଜ୍ୟସ୍ତରରେ ଖେଳି ପାରିବୁବୋଲି କହିଛନ୍ତି କ୍ରୀଡ଼ାବିତ୍ ।

କେବଳ ସେତିକି ନୁହେଁ ଏଭଳି ଏକ ସୁବିଧା କ୍ରୀଡାବିତମାନଙ୍କ ପାଇଁ କରାଯାଇଥିବାରୁ ଜିଲ୍ଲା ପ୍ରଶାସନ ସହ ସ୍ଥାନୀୟ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ଧନ୍ୟବାଦ ଜଣାଇଛନ୍ତି କ୍ରୀଡାବିତ । ଏହି ଷ୍ଟାଡିୟମରେ ୩୦ ହଜାରରୁ ଉର୍ଦ୍ଧ୍ବ ଦର୍ଶକ ବସି ଦେଖିପାରିବେ। ସେପଟେ ଆସନ୍ତା କାଲି ଯାଜପୁରରେ ପହଞ୍ଚିବ ହକି ବିଶ୍ୱକପ୍ ଟ୍ରଫି। ଟ୍ରଫିକୁ ଯାଜପୁର ଜିଲା ପ୍ରଶାସନ ପକ୍ଷରୁ ଭବ୍ୟ ସ୍ୱାଗତ କରାଯିବ । ଯେଉଁଥିପାଇଁ ସହରର ବିଭିନ୍ନ ଛକରେ ହକି ରଙ୍ଗରେ ରଙ୍ଗାୟିତ କରାଯାଇଛି ।
ସେହିପରି କଟକରେ ହେବାକୁ ଥିବା ଉଦ୍ଘାଟନ ଉତ୍ସବର ସିଧା ପ୍ରସାରଣ ମଧ୍ୟ କରାଯିବ। ଅନ୍ୟପଟେ ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ବ୍ୟାପକ ପୋଲିସ ମୁତୟନ କରାଯିବ ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର। ଯାଜପୁର ସହର ରେ ଏଭଳି ଭବ୍ୟ ଆୟୋଜନ କରିବା ସହ କ୍ରୀଡାବିତମାନଙ୍କ ପାଇଁ ନୂତନ ହକି ଷ୍ଟାଡିୟମ କରାଯାଇଥିବାରୁ ଯାଜପୁର ବାସୀ ମଧ୍ୟ ବେଶ ଗର୍ବିତ ।