‘ନ୍ୟୁଜ-୭’ର ସ୍ୱତନ୍ତ୍ର ସଙ୍ଗୀତ ସନ୍ଧ୍ୟା ‘ମନ ଝୁରେ ସେଇ ସୁରେ...’

Published By : Prameya-News7 Bureau | December 25, 2022 IST

ଭୁବନେଶ୍ୱର ୨୫।୧୨ : ମହାପ୍ରଭୁଙ୍କୁ ସ୍ମରଣ କରି ‘ନ୍ୟୁଜ୍‌-୭’ ଆରମ୍ଭ କରିଥିଲା ତା’ର ସ୍ୱତନ୍ତ୍ର ସଙ୍ଗୀତ ସନ୍ଧ୍ୟା ‘ମନ ଝୁରେ ସେଇ ସୁରେ…’ । ଅବସର ଥିଲା ସ୍ୱସ୍ତି ପ୍ରିମିୟମ୍‌ରେ ସୁମା ରିଅଲ ମିଡିଆ ନିବେଦିତ ‘ନ୍ୟୁଜ୍‌-୭’ର ବାର୍ଷିକ ସଙ୍ଗୀତ ଉତ୍ସବ ‘ମନ ଝୁରେ ସେଇ ସୁରେ ସିଜିନ୍‌-୨’ । ଏହି ସୁନ୍ଦର ସାଂସ୍କୃତିକ ସନ୍ଧ୍ୟାର ଆୟୋଜନରେ ପୁରୁଣା ସଙ୍ଗୀତର ଗୁଞ୍ଜରଣରେ ମନ କେବଳ ଝୁରି ହୋଇନଥିଲା ବରଂ ଉପସ୍ଥିତ ଦର୍ଶକଙ୍କୁ ଅତୀତକୁ ଫେରାଇ ନେଇଥିଲା ।

ଓଡ଼ିଶାର ପ୍ରସିଦ୍ଧ ତଥା ଘରେ ଘରେ ପରିଚିତ ଶିଳ୍ପୀଗଣ ଗାଇଥିଲେ ଗୋଟିଏ ପରେ ଗୋଟିଏ କାଳଜୟୀ ଓଡ଼ିଆ ଗୀତ । କଣ୍ଠଶିଳ୍ପୀଙ୍କ ମଧ୍ୟରେ ବିଷ୍ଣୁମୋହନ କବି, ଅଭିଜିତ୍‌ ମିଶ୍ର, ତାରିକ୍‌ ଅଜିଜ୍‌, ଶଶାଙ୍କ ଶେଖର, ପ୍ରଜ୍ଞା ହୋତା, ଅନ୍ତରା ଚକ୍ରବର୍ତ୍ତୀ ଏବଂ ଅର୍ପିତା ଚୌଧୁରୀ ପ୍ରମୁଖ ଗୀତ ପରିବେଷଣ କରିଥିଲେ । କାର୍ଯ୍ୟକ୍ରମର ଏକମାତ୍ର ଉଦ୍ଦେଶ୍ୟ ଥିଲା କଳା ଓ କଳକାରଙ୍କୁ ସମ୍ମାନ ଜଣାଇବା । ବର୍ତ୍ତମାନର ପିଢ଼ିଙ୍କୁ ଅତୀତକୁ ଫେରାଇ ଆମ ଭାଷା, ସାହିତ୍ୟ, ସଂସ୍କୃତିକୁ ବଞ୍ଚାଇ ରଖିବା । ପୂର୍ବରୁ ‘ନ୍ୟୁଜ୍‌-୭’ ଏହି କାର୍ଯ୍ୟ କରିଆସିଛି । ଆଗକୁ ମଧ୍ୟ ଏ ଯାତ୍ରା ଜାରି ରହିବ । ଏହି ମନୋରମ ସଙ୍ଗୀତ ସନ୍ଧ୍ୟାକୁ ସୁମା ରିଅଲ ମିଡିଆ ନିର୍ଦ୍ଦେଶିକା ଶାଶ୍ୱତୀ ଦାସ ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦ୍‌ଘାଟନ କରିଥିଲେ । ପରେ ଶ୍ରୀମତୀ ଦାସ କହିଥିଲେ, ସମସ୍ତଙ୍କ ଭଲପାଇବା ଏବଂ ଆଶୀର୍ବାଦ ପାଇଁ ‘ପ୍ରମେୟ’ ଓ ‘ନ୍ୟୁଜ୍‌-୭’ ଓଡ଼ିଶାର ଗଣମାଧ୍ୟମ ଜଗତରେ ନିଜକୁ ସର୍ବୋଚ୍ଚ ସ୍ଥାନରେ ପ୍ରତିଷ୍ଠିତ କରାଇପାରିଛି ।

ଓଡ଼ିଶାବାସୀଙ୍କ ସେବାରେ ଉତ୍ସର୍ଗୀକୃତ ସବୁବେଳେ ଓଡ଼ିଶାର ଐତିହ୍ୟ, କଳା, ସଂସ୍କୃତିକୁ ରୁଦ୍ଧିମନ୍ତ କରିବା ପାଇଁ ଚେଷ୍ଟିତ । ସେହିକ୍ରମରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଓଡ଼ିଆ ସଙ୍ଗୀତ, କଣ୍ଠଶିଳ୍ପୀ, ବାଦ୍ୟକାର, ଗୀତିକାରଙ୍କୁ ସମ୍ମାନ ଜଣାଇବା ଏବଂ ଓଡ଼ିଶାର ସଙ୍ଗୀତକୁ ଜନମାନସରେ ଉଜ୍ଜୀବିତ ରଖିବା ଉଦ୍ଦେଶ୍ୟରେ ଆମେ ଗତବର୍ଷ ଏହି କାର୍ଯ୍ୟକ୍ରମ ଆୟୋଜନ କରିଥିଲୁ ବୋଲି ସେ କହିଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ‘ପ୍ରମେୟ’ ଓ ‘ନ୍ୟୁଜ୍‌-୭’ର ଗ୍ରୁପ୍‌ ଏଡିଟର ଗୋପାଳକୃଷ୍ଣ ମହାପାତ୍ର, ଗ୍ରୁପ୍‌ ସିଇଓ ସୁନୀଲ ଦାସ, ଗ୍ରୁପ୍‌ ଡାଇରେକ୍ଟର (ସେଲ୍‌ସ ଆଣ୍ଡ ମାର୍କେଟିଂ) ହିମାଂଶୁ ହୋତା, ନ୍ୟୁଜ୍‌ ୭ କାର୍ଯ୍ୟକାରୀ ସମ୍ପାଦକ ଦେବନାରାୟଣ ସେଠୀଙ୍କ ସହ ସୁମା ରିୟଲ୍‌ ମିଡିଆର ଅନ୍ୟ ବରିଷ୍ଠ ଅଧିକାରୀ ଏବଂ ବ୍ୟବସାୟିକ ସହଯୋଗୀମାନେ ଯୋଗ ଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.