ଜଙ୍ଗଲ ସ୍ୱଚ୍ଛ ରଖିବାକୁ ନିଆରା ପ୍ରୟାଶ; ପୋଷ୍ଟରରେ ଏମିତି ଲେଖି ଗାଁ ଲୋକ ସୃଷ୍ଟି କଲେ ଉଦାହରଣ…
8/02/2023 at 11:38 PM

ପାଟଣା ୦୮/୦୨: ସଂରକ୍ଷିତ ଜଙ୍ଗଲରେ ଲଗା ହୋଇଥିବା ଏକ ଚେତାବନୀ ପୋଷ୍ଟରକୁ ଏବେ ଚର୍ଚ୍ଚା ଜୋର ଧରିଛି। ଜଙ୍ଗଲ ପରିବେଶକୁ ସଫାସୁତୁରା ରଖିବା ଏବଂ ନିଶାମୁକ୍ତ ସମାଜ ପାଇଁ ଗାଁ ଲୋକମାନେ ଏପରି ଏକ ନିଆରା ପ୍ରୟାଶ କରିଛନ୍ତି। କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ନିହ୍ନୁଆଁ ସଂରକ୍ଷିତ ଜଙ୍ଗଲରେ ଏପରି ଘଟଣା ଦେଖିବାକୁ ମିଳିଛି। ଗାଁ ଲୋକମାନଙ୍କର ଏପରି ଉଦ୍ୟମ ଏବେ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି।
ଖବର ଅନୁସାରେ, ପାଟଣା ବ୍ଲକ ତୁରୁମୁଙ୍ଗା ପଞ୍ଚାୟତ ଅଧୀନ ନିହ୍ନୁଆଁ ଗାଁରେ ରହିଛି ସଂରକ୍ଷିତ ଜଙ୍ଗଲ। ସେଠାରେ ଥିବା ଶାଳ ଗଛଗୁଡିକ ଗାଁର ସୌନ୍ଦର୍ଯ୍ୟ ବଢ଼ାଉଛି। ଗତ କିଛି ଦିନ ତଳେ ଏହି ଜଙ୍ଗଲରେ ଅଗ୍ନିକାଣ୍ଡ ହୋଇଥିଲା। ଗାଁଲୋକମାନେ ଘଣ୍ଟା ଘଣ୍ଟା ପରିଶ୍ରମ କରି ଜଙ୍ଗଲ ନିଆଁକୁ ଆୟତ୍ତ କରିଥିଲେ।

ନିଆଁ ଲାଗିବା କାରଣ ଜାଣିବା ପରେ ଗାଁଲୋକମାନେ ଏପରି ପୋଷ୍ଟର ଲଗାଇଥିବା ଜଣାପଡ଼ିଛି। କିଛି ଲୋକ ଜଙ୍ଗଲରେ ବସି ମଦ ପିଇବା ସହ ସିଗାରେଟ୍ ଟାଣୁଥିଲେ। ସେଥିରୁ ଜଙ୍ଗଲରେ ନିଆଁ ଲାଗିବା ସହ ପ୍ଲାଷ୍ଟିକ ପାଣି ବୋତଲ ସହ ମଦ ବୋତଲକୁ ପକାଇ ଜଙ୍ଗଲ ପରିବେଶକୁ ଲୋକମାନେ ଦୂଷିତ କରୁଥିଲେ। ଗାଁର ମହିଳାମାନେ ଜଙ୍ଗଲରେ ଗଲା ବେଳେ ଅସାମାଜିକ ବ୍ୟକ୍ତି ବ୍ୟବହାରରେ ଅତିଷ୍ଠ ହେଉଥିଲେ।
ସେଥିପାଇଁ ନିହ୍ନୁଆଁ ଗାଁ ଲୋକମାନେ ଜଙ୍ଗଲରେ ମଦ୍ୟପାନ ନିଷେଧ, “ଦୟାକରି ଜଙ୍ଗଲ ପରିବେଶକୁ ନିର୍ମଳ ରଖନ୍ତୁ, ଜଙ୍ଗଲ ଭିତରେ ମଦ ପିଉଥିବା ସମୟରେ ଧରା ପଡିଲେ ଉତ୍ତମ ମଧ୍ୟମ ଦିଆଯିବା ସହ ୨୦୦୦ ଟଙ୍କା ତଣ୍ଡ ଗଣିବାକୁ ହେବ“ ବୋଲି ପୋଷ୍ଟରରେ ସ୍ପଷ୍ଟ ସୂଚନା ଦେଇଛନ୍ତି।