ଭୁବନେଶ୍ୱର ମୁହାଁ ଭିଭିଆଇପି, ଭୁବନେଶ୍ୱର ବିମାନବନ୍ଦରରେ ସ୍ୱତନ୍ତ୍ର ବ୍ୟବସ୍ଥା

Published By : Prameya-News7 Bureau | June 11, 2024 IST

ଭୁବନେଶ୍ଵର ୧୧।୦୬ : ବୁଧବାର ରାଜ୍ୟରେ ଶପଥ ଗ୍ରହଣ କରିବେ ନୂଆ ମୁଖ୍ୟମନ୍ତ୍ରୀ। ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଉତ୍ସବ ପାଇଁ  ବହୁ ରାଜନେତା, ଭିଭିଆଇପି ଭୁବନେଶ୍ୱରକୁ ମୁହାଁଇବେ। ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ବାୟୁସେନାର ସ୍ୱତନ୍ତ୍ର ବିମାନ ଓ ଚାଟାର୍ଡ ଫ୍ଲାଇଟ୍‌ର ଭିଡ଼ ଲାଗିବ। ରନୱେରେ  ଅନେକ ଅଣ ନିର୍ଦ୍ଧାରିତ(ନନ୍‌ ସିଡୁଲଡ୍‌) ବିମାନ ଦୌଡ଼ିବ। ଏଥିପାଇଁ ମଙ୍ଗଳବାରଠାରୁ ଦୁଇ ଦିନ ବିମାନବନ୍ଦରକୁ ହାଇ ଆଲର୍ଟରେ ରଖାଯାଇଛି। 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅନେକ କେନ୍ଦ୍ରମନ୍ତ୍ରୀ, ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଭିଭିଆଇପି ଭୁବନେଶ୍ୱରକୁ ଆସିବେ। ଅନେକ ଚାଟାର୍ଡ ଫ୍ଲାଇଟ୍‌ ରନୱେରେ ଅବତରଣ କରିବ। ଅଣନିର୍ଦ୍ଧାରିତ ବିମାନର ଉଡ଼ାଣ ଓ ଅବତରଣ ପାଇଁ ଏୟାର ଟ୍ରାଫିକ୍‌ ମ୍ୟାନେଜମେଣ୍ଟ ଓ ପାର୍କିଂ ପରିଚାଳନା ପାଇଁ ନିର୍ଦ୍ଧାରିତ ଏସ୍‌ଓପି ଅନୁସରଣ କରାଯିବ।

ସେହିପରି ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ୧୮ଟି ବିମାନ ପାର୍କିଂ ସ୍ଥଳ ରହିଛି। ପ୍ରତିଦିନ ଏଠାରୁ ୪୫ଟି ବିମାନ ଯାତାୟତ କରିଥାଏ। ଏଥିମଧ୍ୟରୁ ୮ଟି ବିମାନ ପାର୍କିଂ ସ୍ଥଳ ଭିଆଇପି ନେତାଙ୍କ ପାଇଁ ବ୍ୟବହାର କରାଯିବ। ଅନ୍ୟ ୩ଟି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ସଂରକ୍ଷିତ ରହିବ। ସେହିପରି କୌଣସି ପକ୍ଷୀ ବିମାନରେ ହିଟ୍ ନହେବା ପାଇଁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏୟାରପୋର୍ଟରେ ୮ରୁ ୧୦ଟି ପକ୍ଷୀ ଚେସର୍ ଟିମ୍ ନିୟୋଜିତ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.