ଦିନତମାମ ଚାମ୍ବରରୁ ବାହାରିଲେନି ଲୋକସଭା ବାଚସ୍ପଚି ଓମ ବିରଳା, ଜାଣନ୍ତୁ କାହିଁକି
4/03/2020 at 4:37 PM

ନୂଆଦିଲ୍ଲୀ ୪।୩: ଦିଲ୍ଲୀ ଦଙ୍ଗାକୁ ନେଇ ଲୋକସଭାରେ ବିରୋଧୀ ଦଳ ସାଂସଦଙ୍କ ବ୍ୟବହାର ବାଚସ୍ପତି ଓମ୍ ବିରଳାଙ୍କୁ ବ୍ୟଥିତ କରିଛି। ଏଣୁ ବାଚସ୍ପତି ବୁଧବାର ଦିନ ତମାମ ଗୃହ କାର୍ଯ୍ୟରୁ ନିଜକୁ ଦୂରେଇ ରଖିଥିବା ବେଳେ ପୀଠାସୀନ ଅଧ୍ୟକ୍ଷ କିରିଟ ସୋଲାଙ୍କୀ ଗୃହ କାର୍ଯ୍ୟ ପରିଚାଳନା କରିଛନ୍ତି । ଏହି ସମୟରେ ବାଚସ୍ପତି ସଂସଦରେ ଥାଇବି ଗୃହକୁ ଆସିନଥିଲେ ଓ ନିଜକୁ ନିଜ ଚାମ୍ବରେ ବନ୍ଦ କରି ରଖିଥିଲେ।

ମିଳିଥିବା ସୂଚନା ଅନୁସାରେ ମଙ୍ଗଳବାର ଅପରାହ୍ଣର ଘଟଣା ଲୋକସଭା ବାଚସ୍ପତିକୁ ବ୍ୟଥିତ କରିଥିଲା। କିଛି ସାଂସଦ ବାଚସ୍ପତିଙ୍କ ମେଜ ଉପରକୁ କାଗଜ ଫୋପାଡିଥିଲେ। ଏ ନେଇ ସକାଳେ ସର୍ବଦଳୀୟ ବୈଠକ ବି ହୋଇଥିଲା। ସାଂସଦମାନେ ନିଜନିଜ ଆସନ ଅତିକ୍ରମ କରିବେନି ବୋଲି ସହମତ ବି ହୋଇଥିଲେ। ତେବେ ସୋମବାର ଭଳି ବିରୋଧୀ ଦଳ ସାଂସଦମାନେ ମଙ୍ଗଳବାର ମଧ୍ୟ ଗୃହରେ ଅସ୍ୱଭାବିକ ପରିସ୍ଥିତି ସୃଷ୍ଟି କରିଥିଲେ।

ମଙ୍ଗଳବାର ପ୍ରସଙ୍ଗର ଆଲୋଚନା ବେଳେ ବିରୋଧୀ ଦଳ ଅନୁଶାସନ ଭୁଲିଯାଇଥିଲେ ।ଏପରିକି ସେମାନେ ନିଜନିଜ ମଧ୍ୟରେ ଧସ୍ତାଧସ୍ତି ବି ହୋଇଥିଲେ । ଫଳରେ ବିଶୃଙ୍ଖଳା ଚରମ ସୀମାରେ ପହଞ୍ଚିଥିଲା। ଏଥିଲାଗି ଦିନ ତମାମ ସଂସଦର ନିଜ କକ୍ଷରେ ବାଚସ୍ପତି ବସି ରହିଥିଲେ ବି ଗୃହକୁ ଆସିନଥିଲେ। ଗୃହର ଗୌରବରେ ଆଞ୍ଚ ଆସୁ ତାହା ବାଚସ୍ପତି ଚାହାନ୍ତି ନାହିଁ। ତେବେ ସାଂସଦମାନେ ଉତ୍ତେଜନାରେ କରୁଥିବା କାମ ଏବେ ତାଙ୍କ ଲାଗି ଅସହ୍ୟ ବୋଧ ହେଉଛି। ସଂସଦ ବଜେଟ ଅଧିବେଶନର ଆରମ୍ଭଠାରୁ ବିରୋଧୀ ଦଳ ଗୃହେ ଦିଲ୍ଲୀ ହିଂସାର ଆଲୋଚନା ଦାବି କରିଆସୁଛନ୍ତି। ଏଥିଲାଗି ସେମାନେ ଗୃହରେ ହଟ୍ଟଗୋଳ ବି କରୁଛନ୍ତି। ତେବେ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ହୋଲି ପରେ କୌଣସି ଦିନ ସରକାର ଗୃହରେ ଦିଲ୍ଲୀ ହିଂସାର ଆଲୋଚନା କରିବେ ବୋଲି ଗୃହକୁ ବୁଧବାର ଆଶ୍ୱସ୍ତ କରିଛନ୍ତି।