ପ୍ରଥମ କ୍ରସ୍ ଓଭର ମ୍ୟାଚରେ ମାଲେସିଆକୁ ହରାଇ କ୍ୱାର୍ଟରରେ ସ୍ପେନ, ସୁଟ୍ ଆଉଟରୁ ବାହାରିଲା ରେଜଲ୍ଟ
22/01/2023 at 7:28 PM

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ପ୍ରଥମ କ୍ରସ ଓଭର ମ୍ୟାଚରେ ମାଲେସିଆକୁ ହରାଇ କ୍ୱାର୍ଟରରେ ପହଞ୍ଚିଛି ସ୍ପେନ୍ । ଦୁଇ ଦେଶ ମଧ୍ୟରେ କଡ଼ା ମୁକାବିଲା ଦେଖିବାକୁ ମିଳିଥିଲା । ନିର୍ଦ୍ଧାରିତ ସମୟ ଶେଷ ହେବା ପରେ ଦୁଇ ଦେଶ ୨-୨ ଗୋଲରେ ବରାବର ସ୍ଥିତିରେ ରହିଥିଲେ । ଏହା ପରେ ନକ୍ ଆଉଟ୍ ମ୍ୟାଚର ବିଜେତା ଜାଣିବା ପାଇଁ ସୁଟ୍ ଆଉଟ୍ କରାଯାଇଥିଲା । ଏଥିରେ ସ୍ପେନ ୪-୩ରେ ମାଲେସିଆକୁ ପରାସ୍ତ କରି କ୍ୱାର୍ଟରରେ ପହଞ୍ଚିଛି । ଏବେ କ୍ୱାର୍ଟରରେ ଅଷ୍ଟ୍ରେଲିଆ ଏବଂ ସ୍ପେନ୍ ମୁହାଁମୁହିଁ ହେବେ ।
ସ୍ପେନ ଏବଂ ମାଲେସିଆ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ ବେଶ ରୋମାଞ୍ଚକର ଥିଲା । ପ୍ରଥମ କ୍ୱାର୍ଟରରେ ଦୁଇ ଟିମ୍ ବିପକ୍ଷ ଟିମ୍ ବିରୋଧରେ ଗୋଲ ଦେବାରେ ବିଫଳ ହୋଇଥିଲେ । ଏବଂ ୦-୦ରେ ବରାବରରେ ରହିଥିଲେ । ଦ୍ୱିତୀୟ କ୍ୱାର୍ଟରରେ ମଧ୍ୟ କୌଣସି ଗୋଲ ହୋଇ ନଥିଲା ।
📸 Here are some snapshots from an exciting game played between Spain & Malaysia at Kalinga Hockey Stadium .#HWC2023 #OdishaForHockey #HockeyWorldCup2023 #HockeyComesHome #HockeyWorldCup pic.twitter.com/B3fYPW0Sf5
— Odisha Sports (@sports_odisha) January 22, 2023
ତୃତୀୟ କ୍ୱାର୍ଟରେ ଫାଇଜଲ ସାରି ମାଲେସିଆ ପାଇଁ ପ୍ରଥମ ଗୋଲ କରି ଟିମକୁ ୧-୦ର ଲିଡ୍ ଦେଇଥିଲେ । ଏହାପରେ ସ୍ପେନକୁ ମିଳିଥିବା ପେନାଲ୍ଟି କର୍ଣ୍ଣରକୁ ଗୋଲରେ ପରିଣତ କରି ୧-୧ରେ ବରାବର କରାଇଥିଲେ ସ୍ପେନର ଷ୍ଟ୍ରାଇକର ମିସାଲେ । ତେବେ ଏହାର କିଛି ମିନିଟ୍ ପରେ ସ୍ପେନକୁ ପୁଣି ଏକ ପେନାଲ୍ଟି କର୍ଣ୍ଣର ମିଳିଥିଲା । ଜାଭିୟର ଜିସପେର୍ଟ ଏହି ପେନାଲ୍ଟିକୁ ଗୋଲରେ ପରିଣତ କରି ଟିମକୁ ୨-୧ରେ ଆଗୁଆ କରାଇଥିଲେ । ଚତୁର୍ଥ କ୍ୱାର୍ଟରର ମାଲେସିଆ ପକ୍ଷରୁ ସେଲୋ ସିଲଭେରିସୁ ଚମତ୍କାର ଗ୍ରାଉଣ୍ଡ ଷ୍ଟ୍ରୋକ ମାରି ଦେଶ ପାଇଁ ଗୋଲ କରିଥିଲେ । ସମୟ ଶେଷ ହେବା ଯାଏ ଦୁଇ ଟିମ୍ ୨-୨ରେ ବରାବର ରହିଥିଲେ । ଫଳରେ ସୁଟ୍ ଆଉଟରେ ସ୍ପେନ ୪-୩ରେ ମାଲେସିଆକୁ ହରାଇ କ୍ୱାର୍ଟରରେ ପହଞ୍ଚିଛି ।