ଫିଫା ୧୭ ବର୍ଷରୁ କମ୍ ମହିଳା ବିଶ୍ୱକପରେ ସ୍ପେନ ଚାମ୍ପିୟନ, କଲମ୍ବିଆ ୧-୦ ଗୋଲରେ ପରାସ୍ତ

Published By : Prameya-News7 Bureau | October 31, 2022 IST

ନଭି ମୁମ୍ବାଇ୩୧/୧୦: ଫାଇନାଲ ମ୍ୟାଚ୍‌ରେ କଲମ୍ବିଆକୁ ୧-୦ ଗୋଲରେ ପରାଜିତ କରି ସ୍ପେନ କ୍ରମାନ୍ୱୟରେ ଦ୍ୱିତୀୟ ଥର ୧୭ ବର୍ଷରୁ କମ୍‌ ମହିଳା ବିଶ୍ୱକପ୍‌ ଟାଇଟଲ ଜିତିବାର ଗୌରବ ହାସଲ କରିଛି । ବ୍ରୋଞ୍ଜ ପଦକ ମୁକାବିଲାରେ ନାଇଜେରିଆ ବିଜୟୀ ହୋଇଛି । ଡିୱାଇ ପାଟିଲ ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲ ମ୍ୟାଚ୍‌ ବେଶ୍‌ ସଂଘର୍ଷପୂର୍ଣ୍ଣ ହୋଇଥିଲା ।

ଆକ୍ରମଣ ଓ ପ୍ରତିଆକ୍ରମଣ ମଧ୍ୟରେ ପ୍ରଥମାର୍ଦ୍ଧ ଖେଳ ଗୋଲଶୂନ୍ୟ ରହିଥିଲା । ଦ୍ୱିତୀୟାର୍ଦ୍ଧରେ ମଧ୍ୟ ଅନୁରୂପ ଖେଳ ଦେଖିବାକୁ ମିଳିଥିଲା । କିନ୍ତୁ ୮୨ ମିନିଟରେ କଲମ୍ବିଆର ଆନା ଗୁଜମାନଙ୍କ ତ୍ରୁଟି ଯୋଗୁ ଏକ ଆତ୍ମଘାତୀ ଗୋଲ ହୋଇଥିଲା । ଏହି ଗୋଲ୍‌ ହିଁ ମ୍ୟାଚ୍‌ର ନିର୍ଣ୍ଣାୟକ ଗୋଲ ଥିଲା । ୧-୦ ଗୋଲରେ ଆଗୁଆ ରହି ସ୍ପେନ ଶେଷ ୮ ମିନିଟରେ ବେଶ୍‌ ରକ୍ଷଣାତ୍ମକ ପ୍ରଦର୍ଶନ କରିଥିଲା ।

କଲମ୍ବିଆ ଆଉ ଗୋଲ ପରିଶୋଧ କରିବାର ସୁଯୋଗ ପାଇ ନଥିଲା । ଇନ୍‌ଜ୍ୟୁରୀ ଟାଇମ୍‌ରେ ମଧ୍ୟ କିଛି ଚମତ୍କାର ଦେଖିବାକୁ ମିଳି ନଥିଲା । ଶେଷରେ ସ୍ପେନ ୧-୦ ଗୋଲରେ ବିଜୟୀ ହୋଇ ଟାଇଟଲ ବଜାୟ ରଖିଥିଲା । ପୂର୍ବରୁ ସ୍ପେନ ୨୦୧୮ରେ ପ୍ରଥମ ଥର ଚାମ୍ପିଅନ ହେବାର ସୁଯୋଗ ପାଇଥିଲା । ଏହାପୂର୍ବରୁ ୨୦୧୦ ଓ ୨୦୧୬ରେ ବ୍ରୋଞ୍ଜ ପଦକ ଜିତିଥିଲା । କଲମ୍ବିଆ ପ୍ରଥମ ଥର ଫାଇନାଲରେ ଖେଳି ରନ୍‌ର୍ସ ଅପ୍‌ରେ ସନ୍ତୁଷ୍ଟ ରହିଛି ।

ବିଜୟୀ ଦଳର ସାଣ୍ଡ୍ରା ଭିଲାଫାନେ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ଏବଂ କଲମ୍ବିଆର ଲିଣ୍ଡା କାଇସେଡୋ (୪ ଗୋଲ) ଶ୍ରେଷ୍ଠ ଗୋଲ ସ୍କୋରର ବିବେଚିତ ହୋଇଛନ୍ତି । ନାଇଜେରିଆକୁ ବ୍ରୋଞ୍ଜ ନାଇଜେରିଆ ୩-୩ (୩-୨) ପେନାଲ୍ଟି ସୁଟ୍‌ ଆଉଟ୍‌ରେ ଜର୍ମାନୀକୁ ପରାଜିତ କରି ବ୍ରୋଞ୍ଜ ପଦକ ହାସଲ କରିଛି । ଖେଳର ପ୍ରଥମାର୍ଦ୍ଧରେ ନାଇଜେରିଆ ପ୍ରଥମ ଗୋଲ୍‌ ସ୍କୋର (୨୦ ମିନିଟ୍‌) କରିଥିଲା । ଦ୍ୱିତୀୟାର୍ଦ୍ଧରେ ଉଭୟ ଦଳ ୫ଟି ଗୋଲ୍‌ ସ୍କୋର କରିଥିଲେ । ନାଇଜେରିଆ ପକ୍ଷରୁ ୪୮, ୬୩ ମିନିଟରେ ଏବଂ ଜର୍ମାନୀ ପକ୍ଷରୁ ୭୩, ୮୪ ଓ ୯୦ ମିନିଟ୍‌ ଗୋଲ୍‌ ହୋଇଥିଲା । ନାଇଜେରିଆ ୮୯ ମିନିଟ୍‌ ପର୍ଯ୍ୟନ୍ତ ଅଗ୍ରଣୀ ରହିଥିଲା । ମାତ୍ର ୯୦ ମିନିଟରେ ଜର୍ମାନୀର ଲୋରିନ ବେଣ୍ଡର ଚମତ୍କାର ଫିଲ୍ଡ ଗୋଲ ସହ ମ୍ୟାଚ୍‌ ୩-୩ରେ ବରାବର କରିଥିଲେ । ଇନ୍‌ଜ୍ୟୁରୀ ଟାଇମରେ ଖେଳ ଗୋଲଶୂନ୍ୟ ରହିଥିଲା । ଶେଷରେ ସୁଟ୍‌ ଆଉଟ୍‌ରେ ନାଇଜେରିଆ ୩-୨ ଗୋଲରେ ବିଜୟୀ ହୋଇ ବ୍ରୋଞ୍ଜ ପଦକ ଲାଭ କରିଥିଲା ।

୨୦୧୮ ସଂସ୍କରଣକୁ ଛାଡ଼ି ନାଇଜେରିଆ ସମସ୍ତ ୬ଟି ଯାକ ବିଶ୍ୱକପ୍‌ରେ ଖେଳିଛି । ମାତ୍ର ପ୍ରଥମ ଥର ଦଳ ଏଥର ସେମି ଫାଇନାଲକୁ ଉନ୍ନୀତ ହୋଇଥିଲା ଏବଂ ସେମିରେ ପରାଜିତ ହେବା ପରେ ବ୍ରୋଞ୍ଜ ଜିତିବାରେ ସଫଳ ହୋଇଛି । ୧୭ ବର୍ଷରୁ କମ୍‌ ମହିଳା ବିଶ୍ୱକପ୍‌ ଗତ ୧୧ ତାରିଖରୁ ଭୁବନେଶ୍ୱର, ଗୋଆ ଓ ନଭି ମୁମ୍ବାଇରେ ଆୟୋଜିତ ହୋଇଥିଲା । ଘରୋଇ ଭାରତୀୟ ଦଳ ସମସ୍ତ ଗ୍ରୁପ୍‌ ମ୍ୟାଚ୍‌ରେ ଭୁବନେଶ୍ୱରରେ ଖେଳିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.