ଇତିହାସର ସବୁଠୁ ବଡ଼ ପ୍ଲେନ କ୍ରାସ୍‌, ନେଇଥିଲା ୫୮୩ ଲୋକଙ୍କ ଜୀବନ

Published By : Prameya-News7 Bureau | April 13, 2024 IST

ନୂଆଦିଲ୍ଲୀ ୧୩।୦୪: ମାର୍ଚ୍ଚ ୨୭ । ଦୁନିଆର ସବୁଠାରୁ ଭୟାନକ ବିମାନ ଦୁର୍ଘଟଣାର ଦିନ । ୧୯୭୭ର ଘଟିଥିବା ଏହି ଘଟଣାକୁ କେବେ ବି ଭୁଲି ପାରିବନି ସାରା ବିଶ୍ବ । ଏହି ବିମାନ ଦୁର୍ଘଟଣା ଆକାଶରେ ନୁହେଁ ବରଂ ଏୟାରପୋର୍ଟରେ ଘଟିଥିଲା । ଦୁଇଟି ବୋଇଙ୍ଗ ବିମାନ ସ୍ପେନର ରନୱେରେ ଧକ୍କା ହୋଇଥିଲା । 

ଯେଉଁଥିରେ ଏକାସାଙ୍ଗରେ ଚାଲିଯାଇଥିଲା ୫୮୩ ଲୋକଙ୍କ ଜୀବନ । ସ୍ପେନ୍‌ରେ ଘଟିଥିବା ଏହି ଘଟଣା ଆଜି ବି ଲୋକେ ଭୁଲିନାହାନ୍ତି । ସ୍ପେନ୍‌ର ଟେନେରାଇଫ ଦ୍ବୀପର ଲସ୍ ରୋଡୋସ୍ ବିମାନ ବନ୍ଦରରେ ଦୁଇଟି ବିମାନ ସମାନ ରନୱେରେ ହୋଇଥିଲେ ମୁହାଁମୁହିଁ । ଯାହା ଫଳରେ ଘଟିଥିଲା ବଡ଼ ଦୁର୍ଘଟଣା । ମୁହାଁମୁହିଁ ହୋଇଥିବା ଦୁଇଟି ବିମାନ ମଧ୍ୟରୁ ଗୋଟିଏ ହେଲା କେଏଲ୍ଏମ୍ ଫ୍ଲାଇଟ୍ 4805 । 

ଯାହା ଆମଷ୍ଟରଡାମ୍ରୁ ଉଡ଼ାଣ ଭରିଥିବା ବେଳେ ଅନ୍ୟଟି ଆମେରିକାର ଲସ୍ ଆଞ୍ଜେଲ୍ସରୁ ଆସୁଥିବା ପାନ ଏମ୍ ଆମେରିକୀୟ ଫ୍ଲାଇଟ୍ 1736 ଥିଲା । ଉଭୟ ବିମାନ ଗୋଟିଏ ବିମାନ ବନ୍ଦରକୁ ଯିବାକୁ ଥିଲା। କିନ୍ତୁ ସେଠାରେ ଆତଙ୍କବାଦୀ ବିସ୍ଫୋରଣ ଯୋଗୁଁ ସମସ୍ତ ବିମାନ ଲସ ରୋଡିୟୋସ ବିମାନ ବନ୍ଦରକୁ ପଠାଯାଇଥିଲା।  

KLM ବିମାନଟି ରନୱେରେ ଅବତରଣ କରିସାରିଥିଲା । ଏହାପଛକୁ ଲସ୍ ଆଞ୍ଜେଲ୍ସରୁ ଆସୁଥିବା ଆମେରିକୀୟ ବିମାନ ଥିଲା । ଘନ କୁହୁଡ଼ି ଯୋଗୁଁ ଉଭୟ ପାଇଲଟ୍ କିଛି ସ୍ପଷ୍ଟ ଭାବରେ ଦେଖା ଯାଉନଥିଲା । ଉଭୟ ପାଇଲଟ୍‌ ସମାନ ରନୱେରେ ଅବତରଣ କରିଥିଲେ  । କିନ୍ତୁ ଏକଥା ସେମାନଙ୍କୁ ଜଣା ନଥିଲା । ଏହି ସମୟରେ KLM ବିମାନ ଟେକ୍ ଅଫ୍ ପ୍ରସ୍ତୁତ ହେବା ସମୟରେ ଆମେରିକୀୟ ପ୍ୟାନ ଏମ ବିମାନକୁ ସିଧାସଳଖ ରନୱେରେ ଦେଇଥିଲା ଧକ୍କା । 

KLM ବିମାନରେ ଥିବା ୨୩୪ ଜଣ ଯାତ୍ରୀଙ୍କ ମଧ୍ୟରେ ୫୩ ଜଣ ଶିଶୁ ଥିଲେ । ପାନ୍ ଏମ୍ ୩୮୦ ଯାତ୍ରୀ ଏବଂ ୧୧ ଜଣ କର୍ମଚାରୀଙ୍କୁ ନେଇ ଯାଉଥିଲା । ଏହି ଦୁର୍ଘଟଣାରେ KLMର ସମସ୍ତ ଯାତ୍ରୀ ଏବଂ କର୍ମଚାରୀଙ୍କର ମୃତ୍ୟୁ ହୋଇଥିଲା । କିନ୍ତୁ ପାନ୍ ଏମ୍ ବିମାନରୁ କେବଳ ୬୧ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ସମସ୍ତେ ମୁତ୍ୟୁବରଣ କରିସାରିଥିଲେ । 

 ପରେ ସ୍ପେନ କର୍ତ୍ତୃପକ୍ଷଙ୍କ ଅନୁସନ୍ଧାନରୁ ଜଣାପଡିଛି ଯେ କେଏଲ୍ଏମ୍ ପାଇଲଟ୍ କଣ୍ଟ୍ରୋଲ୍ ଟାୱାରର ନିର୍ଦ୍ଦେଶକୁ ଠିକ୍ ଭାବରେ ବୁଝି ପାରିନଥିଲେ । ଭୁଲ ବୁଝାମଣା ଯୋଗୁଁ ଘଟିଥିଲା ଏହି ବଡ ଦୁର୍ଘଟଣା । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଲୋମଟାଙ୍କୁରା ଦୁର୍ଘଟଣାକୁ କେହି ଭୁଲିପାରିନାହାନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.