ମୁମ୍ୱାଇ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମି; କିଛି ଅଞ୍ଚଳରେ ଘଡ ଘଡି ସହ ବର୍ଷା ସମ୍ଭାବନା

Published By : Prameya-News7 Bureau | June 11, 2022 IST

ନୂଆଦିଲ୍ଲୀ ୧୧/୦୬ : ଦକ୍ଷିଣ ପଶ୍ଚିମ ମୌସୁମି ବାୟୁ ମୁମ୍ୱାଇ ଓ ତାର ଆଖପାଖ ଅଞ୍ଚଳରେ ପହଞ୍ଚି ସାରିଛି। ଶନିବାର ଭାରତୀୟ ପାଣିପାଗ ବିଭାଗ ଏହାର ଘୋଷଣା କରିଛି। ବିଭାଗ କହିଛି ଆଗମୀ ୩ରୁ ୪ ଘଣ୍ଟା ଭିତରେ ଥାଣେ, ରାୟଗଡ଼, ପାଲଘର, ରତ୍ନଗିରି, ସିନ୍ଧୁଦୁର୍ଗ, ଓ ମୁମ୍ୱାଇର ବିଭିନ୍ନ ଜାଗାରେ ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଛି। ଏହା ସହିତ ଏହି ସମୟରେ ଘଣ୍ଟା ପ୍ରତି ୩୦ରୁ ୪୦ କିମି ବେଗରେ ପବନ ବହିବ ବୋଲି ଅନୁମାନ କରିଛି ପାଣିପାଗ ବିଭାଗ।

ଚଳିତ ଋତୁରେ ଶୁକ୍ରବାର ମୁମ୍ୱାଇରେ ସବୁଠାରୁ ଅଧିକ ପ୍ରାକ୍‌ ମୌସୁମି ବର୍ଷା ହୋଇଛି। ମୁମ୍ୱାଇର ଦକ୍ଷିଣ ଭାଗରେ ମଧ୍ୟମ ଧରଣରୁ ଅଧିକ ବର୍ଷା ହୋଇଛି। ଭାରତୀୟ ପାଣିପାଗ ବିଭାଗ ଅନୁସାରେ ଦକ୍ଷିଣ ପଶ୍ଚିମ ମୌସୁମି ବାୟୁ ଆଗକୁ ବଢ଼ିବା ପାଇଁ ପରିସ୍ଥିତି ଏବେ ଅନୁକୂଳ ରହିଛି। କାରଣ ଗୋଟିଏ ସପ୍ତାହ ମୌସୁମିବାୟୁର ବେଗ ଧିରେ ହେବା ପରେ ପୁଣି ଏହା ବଡ଼ଜୋର ବହିବା ଆରମ୍ଭ କରିଛି ।   

ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ‘‘ମଧ୍ୟ ଆରବ ସାଗରର ଅନ୍ୟ କିଛିଅଂଶ, ଗୋଆ, ଦକ୍ଷିଣ ମହାରାଷ୍ଟ୍ରର କିଛି ଅଂଶ, କର୍ଣ୍ଣାଟକର ଅନ୍ୟ କିଛି ଅଂଶ, ତାମିଲନାଡ଼ୁର ଶେଷ ଭାଗ ଦକ୍ଷିଣ ଆନ୍ଧ୍ର ପ୍ରଦେଶର କିଛି ଅଂଶ ପଶ୍ଚିମର ଭାରତର କିଛି ଅଂଶରେ ମୌସୁମି ବାୟୁ ଆଗକୁ ବଢ଼ିବା ପାଇଁ ପରିସ୍ଥିତି ଅନୂକୁଳ ରହିଛି’’।  

ଏହା ମଧ୍ୟରେ ଭାରତୀୟ ପାଣିପାଗ ବିଭାଗ ଜୁନ୍‌ ୧୦-୧୧ରେ ଅରୁଣାଚଳପ୍ରଦେଶରେ ଆଗାମି ୫ ଦିନ ଭିତରେ ଆସାମ ଓ ମେଘାଳୟରେ ପ୍ରବଳ ବର୍ଷା ହେବାର ସତର୍କ ସୂଚନା ଦେଇଛି। ଉଲ୍ଲେଖଯୋଗ୍ୟଯେ, ଦେଶରେ ବାର୍ଷିକ ବର୍ଷାର ୭୦ ପ୍ରତିଶତ ବର୍ଷା ମୌସୁମିବାୟୁ ବାୟୁ ଦ୍ୱାରା ହୋଇଥାଏ। ମୌସୁମିବାୟୁକୁ କୃଷି ଆଧାରିତ ଅର୍ଥନୀତିର ଜୀବନ ରେଖା କୁହାଯାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.