ଜାତୀୟ ଗଣମାଧ୍ୟମରେ ଓଡ଼ିଆ ଚଳଚ୍ଚିତ୍ର ‘ଦମନ’ ପ୍ରଶଂସା, କାହାଣୀକୁ ନେଇ ଆଲୋଚନା କଲେ ସାଉଥ ଷ୍ଟାର

Published By : Prameya-News7 Bureau | December 14, 2022 IST

ଭୁବନେଶ୍ୱର ୧୪/୧୨: ବହୁଚର୍ଚ୍ଚିତ ୨ଓଡ଼ିଆ ଚଳଚ୍ଚିତ୍ର ‘ଦମନ’ ଏବଂ ‘ପ୍ରତୀକ୍ଷା’ ମୁକ୍ତିଲାଭ କରିବା ପରେ ଏହାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା ଲାଗି ରହିଛି । ଜାତୀୟସ୍ତରରେ ବି ବହୁ ବଡ଼ ବଡ଼ ବ୍ୟକ୍ତିବିଶେଷଙ୍କ ମୁହଁରୁ ଏହି ସିନେମା ଦ୍ୱୟକୁ ନେଇ ଓଡ଼ିଆ ଚଳଚ୍ଚିତ୍ର ଜଗତ ପ୍ରଶଂସା ସାଉଁଟି ଚାଲିଛି ।

ଏବେ ଭାରତବର୍ଷର ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତା କମଲ ହାସନ, ଚଳଚ୍ଚିତ୍ର ନିର୍ମାତା ଏସ୍‌.ଏସ୍‌. ରାଜମୌଲୀ ଓ ଅନ୍ୟମାନେ ଏକାଠି ବସି ଆଲୋଚନା କରୁଛନ୍ତି । ସେଥିରେ ଜଣେ ଅଭିନେତା କହୁଛନ୍ତି, ଗୋଟିଏ ଓଡ଼ିଆ ଚଳଚ୍ଚିତ୍ର ଆସିଛି, ଯାହାର ନାଁ ଭୁଲିଯାଇଛି । କିନ୍ତୁ ଶୁଣିବାକୁ ପାଇଛି ତାକୁ ନେଇ ଢେର୍‌ ସାରା ଚର୍ଚ୍ଚା, ଆଲୋଚନା ହେଉଛି । ହେଲେ ଦୁଃଖ ରହିଗଲା ସେମାନେ ସିନେମାର ନାଁଟି ନେଇପାରିଲେ ନାହିଁ ।

wp:html /wp:html

ସିନେମାର ଚର୍ଚ୍ଚା ପହଞ୍ଚିଲା କିନ୍ତୁ ନାଁ ପହଞ୍ଚି ପାରିଲା ନାହିଁ । ଯାହା ନେଇ ଓଡ଼ିଆ ସିନେପ୍ରେମୀ ନିରାଶ ହେବା ସହ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏହାକୁ ନେଇ ଉକ୍ତ ଆଲୋଚନା ଭିଡିଓକୁ ସୋସିଆଲ୍‌ ମିଡିଆରେ ପୋଷ୍ଟ କରିଛନ୍ତି ଓଡ଼ିଆ ଚଳଚ୍ଚିତ୍ରର ଲୋକପ୍ରିୟ ଅଭିନେତା ମନୋଜ ମିଶ୍ର । ସେ ପୋଷ୍ଟରେ ଉଲ୍ଲେଖ କରିଛନ୍ତି, ଖୁସି ଲାଗୁଛି ସିନେମା ଜଗତର ଏତେ ବଡ଼ ବଡ଼ ବ୍ୟକ୍ତିତ୍ୱ ଆମ ଓଡ଼ିଆ ଚଳଚ୍ଚିତ୍ର ବିଷୟରେ କଥା ହେଉଛନ୍ତି ।

କିଛି ଦିନ ପୂର୍ବରୁ ମୁଁ ଯେତେବେଳେ କହୁଥିଲି, ଆମ ଚଳଚ୍ଚିତ୍ର ବି ସାରା ଭାରତରେ ପହଞ୍ଚିବା ଦରକାର । ସେତେବେଳେ କିଛି ଲୋକ ମୋତେ ଉପହାସ କରୁଥିଲେ । କିନ୍ତୁ ‘ଦମନ’ ଚଳଚ୍ଚିତ୍ର କରି ଦେଖେଇ ଦେଲା । ଏବେ ବି କହୁଛି, ବ୍ୟବସାୟକୁ ଭିତ୍ତି କରି ଯଦି ଦେଖିବା ତାହେଲେ ଆମେ ଏବେ ବି ଅନ୍ୟ ରାଜ୍ୟର ସିନେମା ଭଳିଆ ଆମ ଓଡ଼ିଆ ଚଳଚ୍ଚିତ୍ରକୁ ରାଷ୍ଟ୍ରୀୟସ୍ତରରେ ପହଞ୍ଚେଇ ପାରିନେ ।

ଆଗରୁ ବାହାର ଲୋକ କହୁଥିଲେ, ଓଡ଼ିଶାରେ କ’ଣ ଫିଲ୍ମ ତିଆରି ହୁଏ? ଏବେ ଏତେ ବଡ଼ ବଡ଼ ନିର୍ଦ୍ଦେଶକ ଅଭିନେତାମାନଙ୍କ ଭିତରେ ଆଲୋଚନା ତ ହେଉଛି ଗୋଟେ ଓଡ଼ିଆ ସିନେମା ଆସିଛି ମୁଁ ଶୁଣିଛି ବୋଲି । ଯଦି ଆମେ ଏମିତି ଭଲ ଚଳଚ୍ଚିତ୍ରକୁ ମୋର, ତା’ର କହି ଈର୍ଷା ପରାୟଣ ନ ହୋଇ ପରସ୍ପରକୁ ସମର୍ଥନ କରିବାକୁ ହେବ । ତାହାଲେ ଆଗକୁ ଚଳଚ୍ଚିତ୍ରର ସମେତ ଆମ ନିର୍ଦ୍ଦେଶକ, ଅଭିନେତା ଓ ଅଭିନେତ୍ରୀଙ୍କ ନାଁ ନେଇ ସେମାନେ ଆଲୋଚନା କରିବେ । ଆଶ୍ଚର୍ଯ୍ୟ ବି ହୋଇଯିବେ ଯେ ଆମ ଓଡ଼ିଆ ଚଳଚ୍ଚିତ୍ର ସାରା ଭାରତରେ ଏତେ ପଇସା ରୋଜଗାର କରିପାରିଲା ।

ବହୁତ୍‌ ସୁଯୋଗ ଅଛି ଓଡ଼ିଶା ଭିତରେ । ଆମ ଓଡ଼ିଶାର ବହୁତ୍‌ କଥା ଅନ୍ୟମାନେ ଜାଣିନାହାନ୍ତି । ନୂଆ ନିର୍ଦ୍ଦେଶକ ଓ ପ୍ରଯୋଜକମାନେ ଚାହିଁଲେ ସେ ସବୁ କାହାଣୀ ସାରା ବିଶ୍ୱରେ ପହଞ୍ଚାଇ ପାରିବେ । ବ୍ୟବସାୟିକ ସଫଳତା ବି ମିଳିପାରିବ । ଆମ ପାଖରେ ବହୁତ ପ୍ରତିଭା ଅଛି । କେବଳ ଆତ୍ମବିଶ୍ୱାସର ଅଭାବ ରହିଛି । ଏମିତି ଚଳଚ୍ଚିତ୍ର ଓଡ଼ିଆ ଲୋକ ଦେଖନ୍ତି ନାହିଁ, ସେ ଧାରଣା ‘ଦମନ’ ଓ ‘ପ୍ରତୀକ୍ଷା’ ଦୂର କରିଦେଲେ ।

ଏକଥା ଜାଣି ରଖିବା ଦରକାର, ଏବେ ଭଲ ବିଷୟ ନହେଲେ ଦର୍ଶକ ହିନ୍ଦୀ ଚଳଚ୍ଚିତ୍ର ବି ଦେଖୁନାହାନ୍ତି । ଭଲ ଚଳଚ୍ଚିତ୍ରର ସମୟ କେଉଁ ଜାଗାରେ ତିଆରି ହୋଇଛି, ହିରୋ, ହିରୋଇନ୍‌କୁ ଆଉ ଜନସାଧାରଣ ଦେଖୁ ନାହାନ୍ତି । ସେମାନେ କେବଳ ଭଲ ଚଳଚ୍ଚିତ୍ର ଦେଖୁଛନ୍ତି । ଗୋଟିଏ ୨ଟା ଚଳଚ୍ଚିତ୍ରରେ ଧାରା ବଦଳିବ ନାହିଁ । ଲଗାତାର ଭାବରେ ଆମକୁ ଅନେକ ଭଲ ଚଳଚ୍ଚିତ୍ର କରି ଦର୍ଶକଙ୍କ ମନ ଜିତିବାକୁ ପଡ଼ିବ ବୋଲି ଶ୍ରୀ ମିଶ୍ର କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.