ଅର୍ଥନୀତିକୁ ବଳଦେବାକୁ ଦୁର୍ନୀତି କରି ଜେଲରେ ଥିବା ବ୍ୟବସାୟୀଙ୍କୁ କ୍ଷମା ଦେଲେ ଦକ୍ଷିଣକୋରିଆ ସରକାର: ସାମସଙ୍ଗର ଜୟ ୱାଇ ଲୀଙ୍କୁ ମିଳିଲା କ୍ଷମା

Published By : Prameya-News7 Bureau | August 13, 2022 IST

ସିଓଲ: ଦେଶର ଅର୍ଥ ବ୍ୟବବସ୍ଥାରେ ବିଜନେସ୍ ଲିଡରମାନଙ୍କର ଭୂମିକା କେତେ ଯେ ଗୁରୁତ୍ୱପୂର୍ଣ୍ଣ ତାହା ଦକ୍ଷିଣ କୋରିଆର ସ୍ଥିତିକୁ ଦେଖିଲେ ବେଶ୍ ଜଣାପଡ଼ୁଛି। ଦେଶର ଭୁଶୁଡ଼ି ପଡ଼ିଥିବା ଅର୍ଥବ୍ୟବସ୍ଥାକୁ ଉଦ୍ଧାର କରିବା ପାଇଁ ଦକ୍ଷିଣ କୋରିଆ ରାଷ୍ଟ୍ରପତି ୟୁନ ସୁକ ୟେଓଲ ସାମସଙ୍ଗ ଇଲେକ୍ଟ୍ରୋନିକ୍ସର ଭାଇସ ଚେୟାରମ୍ୟାନ ଜୟ ୱାଇ ଲୀଙ୍କୁ କ୍ଷମା ପ୍ରାଦାନ କରିଛନ୍ତି। ବର୍ତ୍ତମାନ ଦେଶର ଅର୍ଥନୀତି ସଂକଟରେ ଅଛି। ଏହି ସମୟରେ ଲୀଙ୍କର ଦେଶକୁ ଆବଶ୍ୟକତା ଅଛି ବୋଲି ଦକ୍ଷିଣ କୋରିଆ ନ୍ୟାୟ ମନ୍ତ୍ରାଳୟ କହିଛି।

ତେବେ ଏହି କ୍ଷମାପ୍ରତ୍ର କେବଳ ପ୍ରତିକାତ୍ମକ ଭାବେ ଦିଆଯାଇଛି। କାରଣ ଲୀ ପୂର୍ବରୁ ହିଁ ମାତ୍ର ୧୮ ମାସ ଜେଲ୍ ସଜା କାଟିବା ପରେ ପାରୋଲ୍‌ରେ ଜେଲ୍‌ରୁ ବାହାରିସାରିଛନ୍ତି। ଦୁର୍ନୀତି ଲୁଚାଇବାକୁ ଯାଇ ଲାଞ୍ଚ ଦେବା ଅଭିଯୋଗରେ ଲୀଙ୍କୁ ସଜା ହୋଇଥିଲା। ଯାହା ନେଇ ସେତେବେଳେ ଦକ୍ଷିଣ କୋରିଆରେ ପ୍ରବଳ ଜନବିରୋଧ ଦେଖିବାକୁ ମିଳିଥିଲା। ଶେଷରେ ୨୦୧୭ରେ ରାଷ୍ଟ୍ରପତି ପାର୍କ ଜିଉନ ହେଙ୍କୁ ଇସ୍ତଫା ଦେବାକୁ ପଡ଼ିଥିଲା।

ଲୀଙ୍କୁ କ୍ଷମା ମିଳିବାର ଅର୍ଥ ହେଲା କମ୍ପାନୀ କିଛି ସରକାରୀ ପ୍ରତିବନ୍ଧକ ସହ ଦେଶରେ ବ୍ୟବାସୟ କରିପାରିବ। କ୍ଷମା ମିଳିବା ପରେ ସାମସଙ୍ଗ ପକ୍ଷରୁ ଦେଶରେ ବଡ଼ ପୁଞ୍ଜି ନିବେଶ ହୋଇପାରେ ବାଣିଜ୍ୟ ବିଶ୍ଳେଷକମାନେ କହୁଛନ୍ତି। ତେବେ ଲୀଙ୍କୁ କ୍ଷମା ଦେବା  ନିଷ୍ପତ୍ତି ସମ୍ପର୍କରେ ଦକ୍ଷିଣ କୋରିଆ ନ୍ୟାୟ ମନ୍ତ୍ରୀ  ହନ ଡଙ୍ଗ ହୁନ କହିଛନ୍ତି “ଜାତୀୟ ଅର୍ଥନୀତି ସଂକଟରୁ ତୁରନ୍ତ ମୁକୁଳିବା ପାଇଁ ଆମେ ଯତ୍ନଶୀଳ ଭାବେ କିଛି ବିଜ୍‌ନେସ୍‌ ଲିଡରଙ୍କୁ ବାଛିଚୁ। ଯେଉଁମାନେ ତାଙ୍କର ଆକ୍ଟିବ ଟେକ୍ନୋଲୋଜୀ, ବୃହଦ ପୁଞ୍ଜି ନିବେଶ ଓ ଚାକିରି ପ୍ରଦାନ କରି ଦେଶରେ ଅଭିବୃଦ୍ଧିରେ ସହଯୋଗ କରିପାରିବେ।”

ସୂଚନା ଥାଉକି ଟେକ୍ନୋଲୋଜୀ ଏବଂ ରପ୍ତାନୀ କ୍ଷେତ୍ରେ ନିର୍ଭରଶୀଳ ଦକ୍ଷିଣକୋରିଆ ଏସିଆର ଚୁତର୍ଥ ବଡ଼ ଅର୍ଥନୀତିର ଦେଶ ହୋଇଥିଲେ ବି ଦେଶର ମୁଦ୍ରାସ୍ଫୀତି ବଢ଼ିବାରେ ଲାଗିଛି। ଦରଦାମ ବଢ଼ିବା ସହିଦ ଚାହିଦାର ହ୍ରାସ ପାଉଛି। ଦେଶର ଏଭଳି ସ୍ଥିତିରେ ବ୍ୟବାସାୟ ଲିଡରମାନଙ୍କୁ ସହଯୋଗ ମାଗିଛନ୍ତି ଦେଶର ସରକାର।

ଅନ୍ୟପଟେ ସାମସଙ୍ଗ ପ୍ରତିଷ୍ଠାତାଙ୍କ ବଂଶଜ ଲୀ ଦକ୍ଷିଣ କୋରିଆ ସରକାରଙ୍କର ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି। ଏବଂ ଦେଶର ଅର୍ଥନୀତିକୁ ବଳ ଦେବାକୁ ସେ କଠିନ ପରିଶ୍ରମ କରିବେ ଓ ଚାକିରି ସୃଷ୍ଟି କରିବା ଦିଗରେ କାମ କରିବେ ବୋଲି ଲୀ କହିଛନ୍ତି।  ତେବେ କେବଳ ଲୀ ନୁହଁନ୍ତି ଲଟ୍ଟେ ଗ୍ରୁପ ଚେୟାରମ୍ୟାନ୍ ଶିନ ଡଙ୍ଗ ବିନଙ୍କୁ ମଧ୍ୟ କ୍ଷମା କରିଛନ୍ତି ଦକ୍ଷିଣ କୋରିଆ ସରକାର। ଶିନ ଡଙ୍ଗ ବିନଙ୍କୁ ମଧ୍ୟ ଲାଞ୍ଚ ଅଭିଯୋଗରେ ଅଢ଼େଇ ବର୍ଷ ଜେଲ୍ ସଜା ମିଳିଥିଲା। ହେଲେ ଦେଶରେ ଅର୍ଥୀତିରେ ଯୋଗ ଦେବାକୁ ଏହି ବିଜ୍‌ନେସ୍‌ ଲିଡରମାନଙ୍କୁ  କ୍ଷମା ଦେଇଛନ୍ତି ଦକ୍ଷିଣ କୋରିଆ ସରକାର।

ତେବେ କୋରିଆ ସରକାରଙ୍କର ଏହି ନିଷ୍ପତ୍ତିକୁ କୋରିଆ ଚାମ୍ବର ଅଫ୍ କମର୍ଶ ଓ ଇଣ୍ଡଷ୍ଟ୍ରୀ ଆଣ୍ଡ କୋରିଆ ଏଣ୍ଟରପ୍ରାଇଜେସ୍ ଫେଡେରେସନ ସ୍ୱାଗତ କରିଥିବା ବେଳେ ଦେଶର ନାଗରିକମାନେ ଏହାକୁ ସମାଲୋଚନା କରିଛନ୍ତି। ୟୁନଙ୍କ ସରକାର କେବଳ ଧନୀମାନଙ୍କ ପାଇଁ ବୋଲି ଲୋକମାନେ କହୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.