ଦକ୍ଷିଣ କୋରିଆ ଏହି ୩ଟି କାର୍ଯ୍ୟ କରି କରୋନାକୁ ହରାଇଲା, ଏବେ ଆମେରିକା ଲୋଡିଲାଣି ସହାୟତା

Published By : Prameya-News7 Bureau | March 26, 2020 IST

ନୂଆଦିଲ୍ଲୀ ୨୬।୩: ଆଜିର ପରିସ୍ଥିତିରେ କୌଣସି ଦେଶ କରୋନା ଭାଇରସ୍ କୁ ମାତ୍ ଦେବା ନିହାତି ପ୍ରଶଂସାର ବିଷୟ | ଦକ୍ଷିଣ କୋରିଆ ମାତ୍ର ୩ଟି କାମ କରି ଦୁଇ ମାସ ମଧ୍ୟରେ କରୋନା ଭାଇରସ୍ କୁ ମାତ୍ ଦେଇଛି । ଏହି ଦେଶ ବର୍ତ୍ତମାନ ସମଗ୍ର ବିଶ୍ବ ପାଇଁ ଆଦର୍ଶ ପାଲଟିଛି । ଆସନ୍ତା ଦୁଇ ସପ୍ତାହ ମଧ୍ୟରେ କୋରିଆ ସରକାର ବନ୍ଦ ରହିଥିବା ସ୍କୁଲ ଗୁଡିକୁ ପୁଣି ଥରେ ଖୋଲିବାକୁ ମଧ୍ୟ ଯାଉଛନ୍ତି। ବିଶ୍ବର ସବୁଠାରୁ ଶକ୍ତିଶାଳୀ ଦେଶ ଆମେରିକା ନିଜେ ଦକ୍ଷିଣ କୋରିଆ ନିକଟରୁ ସହାୟତା ଲୋଡିଛି।

ଦକ୍ଷିଣ କୋରିଆର ୩ଟି ଫର୍ମୁଲା :

ରିପୋର୍ଟ ଅନୁଯାୟୀ, ଦକ୍ଷିଣ କୋରିଆରେ କରୋନା ଭାଇରସ୍ ସଂକ୍ରମଣକୁ ଏଡାଇବା ପାଇଁ କେବଳ ୩ଟି ଫର୍ମୁଲା ଉପରେ କାମ କରିଥିଲା ।

ପ୍ରଥମେ ଦେଶର ସମସ୍ତ ସରକାରୀ ଏବଂ ବେସରକାରୀ ଲ୍ୟାବରେ କରୋନା ଭାଇରସ୍ ପରୀକ୍ଷା ଆରମ୍ଭ ହୋଇଥିଲା । ପ୍ରତିଦିନ ପ୍ରାୟ ୨୦ ହଜାର ଲୋକଙ୍କ କରୋନା ଭାଇରସ୍ ପରୀକ୍ଷା କରାଯାଇଥିଲା ।

ଦ୍ବିତୀୟରେ ଦେଶର ପ୍ରତ୍ୟେକ ନାଗରିକଙ୍କୁ ଫୋନରେ ଯୋଗାଯୋଗ କରାଯାଇଥିଲା ଏବଂ ନିକଟରେ କରୋନା ଭାଇରସ୍ ସଂକ୍ରମିତଙ୍କ ସଂପର୍କରେ ଅଗବତ କରାଯାଇଥିଲେ । ଯାହାଦ୍ବାରା ଲୋକମାନେ ନିଜେ ଘରୁ ବାହାରକୁ ଆସିବେନାହିଁ |

ତୃତୀୟରେ ଚର୍ଚ୍ଚ ଏବଂ ଅନ୍ୟାନ୍ୟ ଧାର୍ମିକ ସ୍ଥାନଗୁଡିକୁ ଲୋକଙ୍କୁ ନ ଆସିବା ପାଇଁ ପାଦ୍ରିମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା ।
ବିଶେଷଜ୍ଞମାନେ କହିଛନ୍ତି ଯେ, ଏହି ୩ଟି କାର୍ଯ୍ୟ ଏତେ ପ୍ରଭାବଶାଳୀ ପ୍ରମାଣିତ ହୋଇଛି ଯେ ଦୁଇ ମାସ ମଧ୍ୟରେ ଦକ୍ଷିଣ କୋରିଆ କରୋନା ଭାଇରସ୍ ସଂକ୍ରମଣକୁ ନିୟନ୍ତ୍ରଣ କରିପାରିଛି ।

ଅନ୍ୟପଟେ ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଦକ୍ଷିଣ କୋରିଆର ରାଷ୍ଟ୍ରପତି ମୁନ୍ ଜେଇନଙ୍କୁ ଫୋନ୍ କରି ସାହାଯ୍ୟ ମାଗିଛନ୍ତି । ଟ୍ରମ୍ପ୍ ଦକ୍ଷିଣ କୋରିଆକୁ ଯଥାଶୀଘ୍ର ଟେଷ୍ଟ କିଟ୍ ଯୋଗାଇବାକୁ ଅନୁରୋଧ କରିଛନ୍ତି । କାରଣ ଆମେରିକାରେ ବଢୁଥିବା ସଂକ୍ରମିତଙ୍କ ସଂଖ୍ୟାକୁ ରୋକାଯାଇପାରିବ ।

ସୂଚନାଯୋଗ୍ୟ ଯେ, ସମଗ୍ର ବିଶ୍ବରେ ପ୍ରାୟ ୪.୧୬ ଲକ୍ଷ ଲୋକ କରୋନା ଭାଇରସ୍ ଦ୍ବାରା ସଂକ୍ରମିତ ହୋଇସାରିଲେଣି । ଏହି ମହାମାରୀ ଭାଇରସ୍ ଯୋଗୁଁ ଏପର୍ଯ୍ୟନ୍ତ ୧୮୫୮୯ ଜଣଙ୍କର ମୃତ୍ୟୁ ହୋଇସାରିଛି । କେବଳ ଦକ୍ଷିଣ କୋରିଆରେ ଏପର୍ଯ୍ୟନ୍ତ ୯୧୩୭ ଲୋକ ସଂକ୍ରମିତ ହୋଇଛନ୍ତି । ଏଥିମଧ୍ୟରୁ ୧୨୬ ଜଣଙ୍କର ମୃତ୍ୟୁ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.