ସିଓଲ ୯।୬: ଉତ୍ତରକୋରିଆ ଏକଛତ୍ରବାଦୀ ଦକ୍ଷିଣ କୋରିଆର ନିଦ ହଜେଇ ଦେଇଛନ୍ତି। ଏବେ ଦକ୍ଷିଣ କୋରିଆକୁ ଆବର୍ଜନା ଭର୍ତ୍ତି ବେଲୁନ ପଠାଉଛି ଉତ୍ତରକୋରିଆ। ଏହା ଛଡା କିମ ଜୋଙ୍ଗ ଉନଙ୍କ ସେନା ମିସାଇଲ ଓ ରକେଟ ପରୀକ୍ଷଣ କରି ଦକ୍ଷିଣ କୋରିଆରେ ଆତଙ୍କ ସୃଷ୍ଟି କରୁଛନ୍ତି। ଏଥିରେ ବିଚଳିତ ଦକ୍ଷିଣ କୋରିଆ ଏବେ କିମ ଜୋଙ୍ଗଙ୍କ ମୁକାବିଲା ପାଇଁ ନୂଆ ଉପାୟ ଅବଲମ୍ବନ କରିବାକୁ ଯୋଜନା କରିଛି। ଯାହା ଦ୍ୱାରା କିମ୍ ଜୋଙ୍ଗ ଉନ ଚଳାଇଥିବା ଆତଙ୍କରାଜ ସମ୍ପର୍କରେ ସାରା ଦୁନିଆ ଜାଣିପାରିବ।
ଏଥି ପାଇଁ ଦକ୍ଷିଣ କୋରିଆ ସମ୍ପୂର୍ଣ୍ଣ ନୂଆ ଯୋଜନା ପ୍ରସ୍ତୁତ କରୁଛି। ଏଥିରେ ଦକ୍ଷିଣ କୋରିଆ ଲାଉଡ ସ୍ପିକରରେ ବାର୍ତ୍ତା ପ୍ରସାରିତ କରି କିମ୍ ଜୋଙ୍ଗ ଉନଙ୍କ ଅପରାଧ ସମ୍ପର୍କରେ ଦୁନିଆକୁ ଜଣାଇବାକୁ ଉଦ୍ୟମ କରିବ। ଦକ୍ଷିଣକୋରିଆ ରାଜଧାନୀ ସିଓଲସ୍ଥିତ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଏ ନେଇ ଏକ ବୟାନ ଜାରି କରାଯାଇଛି। ଏଥିରେ ଦକ୍ଷିଣ କୋରିଆ ଜାତୀୟ ସୁରକ୍ଷା ନିର୍ଦ୍ଦେଶକ ଚାଙ୍ଗ ହୋ-ଜିନଙ୍କ ନେତୃତ୍ୱରେ ରବିବାର ଏକ ଜରୁରି ବୈଠକ ଅନୁଷ୍ଠିତ ହୋଇଥିବା କୁହାଯାଇଛି।
ଏହି ବୈଠକରେ ଅଧିକାରୀମାନେ ନିଷ୍ପତ୍ତି ନେଇଛନ୍ତି ଯେ ସୀମାବର୍ତ୍ତି ଅଞ୍ଚଳରେ ଲାଉଡ ସ୍ପିକର ମାଧ୍ୟମରେ ପୁଣି ଥରେ ବାର୍ତ୍ତା ପ୍ରସାର କରିବେ। ବୈଠକରେ ଚାଙ୍ଗ ଓ ଅନ୍ୟ ସୁରକ୍ଷା ଅଧିକାରୀମାନେ ଦକ୍ଷିଣ କୋରିଆ ଲୋକଙ୍କ ଶାନ୍ତି ଭଗ୍ନ କରୁଥିବାରୁ ଉତ୍ତର କୋରିଆର ସମାଲୋଚନା କରିଛନ୍ତି। ଏଥିରୁ ଯଦି ଭବିଷ୍ୟତରେ ଦୁଇ ଦେଶଙ୍କ ମଧ୍ୟରେ ଉତ୍ତେଜନ ସୃଷ୍ଟି ହୁଏ ଏଥି ପାଇଁ ଉତ୍ତରକୋରିଆ ଦାୟି ହେବ ବୋଲି କହିଛନ୍ତି।