ବାୟୁ ସୀମା ନିକଟରେ ଋଷ ଓ ଚୀନର ଯୁଦ୍ଧ ବିମାନ ଦେଖି ସତର୍କ ହେଲା ଦକ୍ଷିଣ କୋରିଆ: ଘଉଡ଼ାବାକୁ ଉଡ଼ାଇଲା ଫାଇଟର ଜେଟ୍
30/11/2022 at 6:13 PM

ସିଓଲ: ଦକ୍ଷିଣ କୋରିଆର ବାୟୁ ସୀମା ନିକଟବର୍ତ୍ତୀ ହେଲା ଚୀନ ଓ ଋଷର ବୋମା ବିସ୍ଫୋରଣକାରୀ ଯୁଦ୍ଧ ବିମାନ। ବିପଦ ଆଶଙ୍କା କରି ସେମାନଙ୍କୁ ଘୌଡ଼ାଇବା ପାଇଁ ଯୁଦ୍ଧ ବିମାନ ଉଡ଼ାଇଲା ଦକ୍ଷିଣ କୋରିଆ। ବୁଧବାର ଚୀନର ୨ଟି ଓ ଋଷର ୬ ବୋମା ବିସ୍ଫୋରଣକାରୀ ବିମାନ ଦକ୍ଷିଣ କୋରିଆର ବାୟୁ ସୀମା ପାଖକୁ ଚାଲି ଆସିଥିଲେ। ବିପଦ ଆଶଙ୍କା କରି ତୁରନ୍ତ ସତର୍କ ହୋଇଥିଲା ଦକ୍ଷିଣ କୋରିଆ।
ନିଜ ଯୁଦ୍ଧ ବିମାନକୁ ଋଷ ଓ ଚୀନର ବିମାନ ପଛରେ ଲଗାଇ ଦେଇଥିଲା। ତେବେ ଋଷ ଓ ଚୀନ ବିମାନ ବାୟୁ ସୀମା ଉଲ୍ଲଂଘନ କରି ନାହାନ୍ତି ବୋଲି ଦକ୍ଷିଣ କୋରିଆ କହିଛି। ଆଜି ଏହି ଘଟଣା ଘଟିଥିବା ଦକ୍ଷିଣ କୋରିଆ ସେନା ସୂଚନା ଦେଇଛି। ଚୀନ ଓ ଋଷ ମିଳିତ ସମରାଭ୍ୟାସ କରିବା ନେଇ ପୂର୍ବରୁ ସୂଚନା ଦେଇଥିଲା ବୋଲି ଦକ୍ଷିଣ କୋରିଆ କହିଛି।
ଘଟଣା ସମ୍ପର୍କରେ ଦକ୍ଷିଣ କୋରିଆ ଜଏଣ୍ଟ ଚିଫ୍ ଅଫ୍ ଷ୍ଟାଫ୍ କହିଛନ୍ତି ” ଚୀନ ଓ ଋଷର ଫାଇଟର ଜେଟ୍ କୋରିଆ ବାୟୁସୀମା ପ୍ରତିରକ୍ଷା ଚିହ୍ନଟ ଅଞ୍ଚଳ(KADIZ) ପ୍ରବେଶ କରିବା ପରେ ବିପଦ ଆଶଙ୍କା କରି ଆମ ସେନା ବାୟୁସେନାକୁ ଛାଡ଼ିଥିଲା।”
କୋରିଆ ସମୟ ସକାଳ ୫.୫୦ରେ ଦୁଇଟି ଚୀନ ଏଚ୍-୬ ବମ୍ବର ଦକ୍ଷିଣ କୋରିଆର KADIZ ର ଉତ୍ତର ଓ ଦକ୍ଷିଣ ସୀମା ନିକଟବର୍ତ୍ତି ହୋଇଥିଲା ଏହାପରେ ଋଷର ଟିୟୁ-୯୫ ଓ ଏସ୍ୟୁ-୩୫ ଯୁଦ୍ଧ ବିମାନ ଜାପାନ ସମୁଦ୍ରରୁ ଉଡ଼ାଣ ଭରି ସୀମାରେ ପ୍ରବେଶ କରିଥିଲା। ମାତ୍ର ୧୮ ମିନିଟ ପରେ ସୀମାରୁ ଚାଲିଯାଇଥିଲା।
କେବଳ ଦକ୍ଷିଣ କୋରିଆ ନୁହେଁ ଜାପାନ ମଧ୍ୟ ନିଜ ବାୟୁ ସୀମାରେ ଚୀନ ଓ ଋଷର ଯୁଦ୍ଧ ବିମାନ ଦେଖି ଫାଇଟର ଜେଟ୍ ଉଡ଼ାଇଥିଲା। ଏନେଇ ଜାପାନ ପ୍ରତିରକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି।