କିମ୍ ଜୋଙ୍ଗଙ୍କ ଉତ୍ତରାଧିକାରୀ ହେବେ ତାଙ୍କର ୧୦ ବର୍ଷୀୟ ଝିଅ ! ଦକ୍ଷିଣ କୋରିଆର ଗୁଇନ୍ଦା ଏଜେନ୍ସି କଲା ଖୁଲାସା

Published By : Prameya-News7 Bureau | March 07, 2023 IST

ନୂଆଦିଲ୍ଲୀ: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ ଉନଙ୍କ ବିଷୟରେ ଏପରି ଅନେକ କଥା ରହିଛି, ଯାହା ଆଜି ବି ସାର୍ବଜନୀନ ହୋଇ ନାହିଁ । ତାଙ୍କ ବ୍ୟକ୍ତିଗତ ଜୀବନ ବାବଦରେ ଦୁନିଆ ଅଜଣା ରହିଛି । ତେବେ ନିକଟରେ କିମ୍ ଜୋଙ୍ଗ ଉନ ନିଜ ଝିଅଙ୍କୁ ଦୁନିଆ ସାମନାକୁ ଆଣିଥିଲେ । ଏହାପରେ ଉତ୍ତର କୋରିଆର ପରବର୍ତ୍ତୀ ଏକଛତ୍ରବାଦୀ ଶାସକ ରୂପେ ଦୁନିଆ ତାଙ୍କୁ ଦେଖୁଛି । ତେବେ ଏହାରି ଭିତରେ ଦକ୍ଷିଣ କୋରିଆର ଗୁଇନ୍ଦା ଏଜେନ୍ସି କିମ୍‌ଙ୍କ ଝିଅ ଜୁ ଏ ବାବାଦରେ ଅନେକ ଖୁଲାସା କରିଛି । ଏଜେନ୍ସି ଦାବି କରିଛି ଯେ କିମ୍ ଜୁ ଏ ଶିକ୍ଷା ଗ୍ରହଣ କରିବା ପାଇଁ କୌଣସି ସ୍କୁଲରେ ନାଁ ଲେଖାଇ ନାହାନ୍ତି । ସେ ହୋମସ୍କୁଲିଂ ନେଉଛନ୍ତି । ଏହାସହ ସେ ଘୋଡା ଚଲାଇବା, ପହଁରିବା ଶିଖୁଥିବା ଏଜେନ୍ସି ଦାବି କରିଛି ।

ଗୁଇନ୍ଦା ଏଜେନ୍ସିର ସୂଚନା ଅନୁସାରେ କିମ୍‌ଙ୍କ ତିନୋଟି ସନ୍ତାନ ଅଛନ୍ତି । ୧୦ ବର୍ଷୀୟ ଜୁ ଏଙ୍କ ଜଣେ ବଡ଼ ଭାଇ ଅଛନ୍ତି ଏବଂ ଅନ୍ୟ ଜଣେ ତାଙ୍କଠୁ ସାନ । ତେବେ ସାନ ଭାଇ କି ଭଉଣୀ ତାହା ସ୍ପଷ୍ଟ ନାହିଁ । ଏହା ପୂର୍ବରୁ ୨୦୧୩ରେ ସେବା ନିବୃତ ଷ୍ଟାର ଡୋନିସ ରୋଡମ୍ୟାନ କହିଥିଲେ ଯେ କିମ୍ ଜୋଙ୍ଗ ଉନଙ୍କ ଜୁ ଏ ନାମକ ଗୋଟିଏ ଝିଅ ଅଛି । କିମ୍ ଜୋଙ୍ଗ ଉନ ତାଙ୍କୁ ନିଜ ଉତ୍ତରାଧିକାରୀ ରୂପେ ବାଛି ନାହାନ୍ତି, କିନ୍ତୁ ନିଜ ଝିଅଙ୍କ ଉପସ୍ଥିତି ଜରିଆରେ ସେ ଦର୍ଶାଇବାକୁ ଚାହୁଁଛନ୍ତି ଯେ ଭବିଷ୍ୟତରେ ତାଙ୍କ ସନ୍ତାନଙ୍କ ମଧ୍ୟରୁ ଜଣଙ୍କୁ ହିଁ ତାଙ୍କ ଶାସନ ମିଳିବ ।

ଦକ୍ଷିଣ କୋରିଆର ଗୁଇନ୍ଦା ଏଜେନ୍ସି କହିଛି ଯେ କିମ୍ ଜୋଙ୍ଗ ଉନ ଏବେ ଯୁବ ଏବଂ ସୁସ୍ଥ ଅଛନ୍ତି । ଏପରି ସ୍ଥିତିରେ ନିଜ ଉତ୍ତରାଧିକାରୀ ଚୟନରେ ତାଙ୍କ ପାଖରେ ଅନେକ ସମୟ ରହିଛି ।

ଏହା ପୂର୍ବରୁ ଉତ୍ତର କୋରିଆର ନେତା କିମ୍ ଜୋଙ୍ଗ ଉନ ସେନାର ୭୫ତମ ପ୍ରତିଷ୍ଠା ଦିବସରେ ସୈନ୍ୟ ବଳଙ୍କୁ ଭେଟିବା ପାଇଁ ନିଜ ଝିଅଙ୍କ ସହ ପହଞ୍ଚିଥିଲେ । ଏହି ସମୟରେ ସେ ପରମାଣୁ ହତିଆରରେ ସକ୍ଷମ ନିଜ ସେନାକୁ ପ୍ରଶଂସା କରିଥିଲେ ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.