ଟି-୨୦ ବିଶ୍ଵ କପ୍‌ରେ ଭାରତର ପ୍ରଥମ ପରାଜୟ, ୫ ଓ୍ଵିକେଟ୍‌ରେ ଜିତିଲା ଦକ୍ଷିଣ ଆଫ୍ରିକା

Published By : Prameya-News7 Bureau | October 30, 2022 IST

ପର୍ଥ:  କ୍ରମାଗତ ଦୁଇଟି ବିଜୟ ପରେ ପରାଜୟର ସ୍ଵାଦ ଚାଖିଛି ଭାରତ। ରୋହିତ ବାହିନୀଙ୍କ ବିଜୟ ରଥକୁ ଅଟକାଇଛି ଦକ୍ଷିଣ ଆଫ୍ରିକା। ପର୍ଥରେ ଖେଳାଯାଇଥିବା ଟି-୨୦ ବିଶ୍ଵ କପ୍‌ର ଅନ୍ୟ ଏକ ଉତ୍କଣ୍ଠାପୂର୍ଣ୍ଣ ମୁକାବିଲାରେ ଦକ୍ଷିଣ ଆଫ୍ରିକା ଭାରତକୁ ୫ ଓ୍ଵିକେଟ୍‌ରେ  ହରାଇଛି। ଆଡନ ମାରକ୍ରମ ଏବଂ ଡେଭିଡ୍ ମିଲରଙ୍କ ଅପରାଜିତ ଲଢୁଆ ଅର୍ଦ୍ଧଶତକୀୟ ଇନିଂସ ବଳରେ ଦକ୍ଷିଣ ଆଫ୍ରିକା  ଏହି ବିଜୟ ହାସଲ କରିଛି। ପ୍ରଥମେ ବ୍ୟାଟସମ୍ୟାନ ଏବଂ ପରେ ବୋଲିଂରେ ରବିଚନ୍ଦ୍ରନ ଅଶ୍ଵିନଙ୍କ ନିରାଶଜନକ ପ୍ରଦର୍ଶନ କାରଣରୁ ଭାରତ ପରାଜିତ ହୋଇଛି। ପ୍ରଥମେ ବ୍ୟାଟିଂ କରି ଭାରତ ସୂର୍ଯ୍ୟକୁମାର ଯାଦବଙ୍କ ୬୮ ରନ ବଳରେ ନିର୍ଦ୍ଧାରିତ ଓଭରରେ ୯ ଓ୍ଵିକେଟ୍ ହରାଇ ୧୩୩ ରନ କରିଥିଲା। ଜବାବରେ ଦକ୍ଷିଣ ଆଫ୍ରିକା ଡେଭିଡ୍ ମିଲରଙ୍କ ଅପରାଜିତ ୫୯ ରନ ଏବଂ ଆଡନ ମାରକ୍ରମଙ୍କ ୫୨ ରନ ବଳରେ ୨ଟି ବଲ୍ ବଳକା ଥାଇ ଲକ୍ଷ୍ୟ ହାସଲ କରି ନେଇଛି। ଏହି ବିଜୟ ସହ ଗ୍ରୁପ ୨ରେ ଦକ୍ଷିଣ ଆଫ୍ରିକା ୩ଟି ମ୍ୟାଚ୍‌ରୁ ୫ ପଏଣ୍ଟ ସହ ଶୀର୍ଷକୁ ଉଠିଛି। ଭାରତ ପରାଜୟ ସହ ଦ୍ଵିତୀୟ ସ୍ଥାନକୁ ଖସିଛି।

୧୩୪ ରନର ବିଜୟ ଲକ୍ଷ୍ୟକୁ ପିଛା କରିଥିବା ଦକ୍ଷିଣ ଆଫ୍ରିକା ଭାରତ ପରି ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିଲା। ଅର୍ଶଦୀପ ସିଂହ ନିଜର ପ୍ରଥମ ଓଭରରେ ୨ଟି ଓ୍ଵିକେଟ୍ ନେଇ ଭାରତକୁ ବଡ ସଫଳତା ଦେଇଥିଲେ। ୩ ରନ ସ୍କୋରରେ କ୍ଵିଣ୍ଟନ ଡିକକ୍‌(୧) ଏବଂ ରିଲେ ରସୋ(୦) ଆଉଟ୍ ହୋଇ ପାଭିଲିୟନ ଫେରିଥିଲେ। ଅଧିନାୟକ ତେମ୍ବା ବାଭୁମା(୧୦) ମହମ୍ମଦ ଶାମିଙ୍କ ଶିକାର ହୋଇଥିଲେ। ୨୪ ରନରେ ୩ ଓ୍ଵିକେଟ୍ ହରାଇ ମୁସ୍କିଲ ସ୍ଥିତିରେ ଥିବା ଦକ୍ଷିଣ ଆଫ୍ରିକାର ଇନିଂସକୁ ସମ୍ଭାଳିଥିଲେ ଆଡନ ମାରକ୍ରମ ଏବଂ ଡେଭିଡ୍ ମିଲର।

ଦୁଇ ବ୍ୟାଟସମ୍ୟାନ ଆଡନ ମାରକ୍ରମ ଏବଂ ଡେଭିଡ୍ ମିଲର ଧୈର୍ଯ୍ୟର ସହ ବ୍ୟାଟିଂ କରି ଦଳର ରନ ଗତିକୁ ଆଗକୁ ବଢାଇଥିଲେ। ଦୁଇ ବ୍ୟାଟସମ୍ୟାନ ଭାରତୀୟ ବୋଲରଙ୍କୁ କୌଣସି ସୁଯୋଗ ଦେଇନଥିଲେ। ଏହି କ୍ରମରେ ମାରକ୍ରମ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ତେବେ ୧୬ତମ ଓଭରରେ ହାର୍ଦ୍ଦିକ ପାଣ୍ଡ୍ୟା ମାରକ୍ରମଙ୍କୁ ଆଉଟ୍ କରିଥିଲେ। ମାରକ୍ରମ ୪୧ ବଲ୍‌ରୁ ୬ ଚୌକା ଏବଂ ୧ ଛକା ବଳରେ ୫୨ ରନ କରିଥିଲେ। ତେବେ ସେତେବେଳକୁ ଦକ୍ଷିଣ ଆଫ୍ରିକାର ବିଜୟ ମାର୍ଗ ପ୍ରଶସ୍ତ ହୋଇ ସାରିଥିଲା। ଅନ୍ୟପଟେ ଡେଭିଡ୍ ମିଲର ଲଢୁଆ ବ୍ୟାଟିଂ କରି ଶେଷ ପର୍ଯ୍ୟନ୍ତ ରହି ଦଳକୁ ଗୁରୁତ୍ଵପୂର୍ଣ୍ଣ ବିଜୟ ଦେଇଛନ୍ତି। ମିଲର ୪୬ ବଲ୍‌ରୁ ୪ ଚୌକା ଏବଂ ୩ ଛକା ସହ ୫୯ ରନର ଅପରାଜିତ ଇନିଂସ ଖେଳିଛନ୍ତି। ଦକ୍ଷିଣ ଆଫ୍ରିକା ୧୯.୪ ଓଭରରେ ୫ ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି।

ଭାରତ ପକ୍ଷରୁ ଅର୍ଶଦୀପ ସିଂହ ୨୫ ରନ ଦେଇ ୨ଟି ଓ୍ଵିକେଟ୍ ନେଇଛନ୍ତି। ମହମ୍ମଦ ଶାମି ମାତ୍ର ୧୩ ରନ ଦେଇ ଗୋଟିଏ ସଫଳତା ପାଇଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଅଶ୍ଵିନ ମହଙ୍ଗା ସାବ୍ୟସ୍ତ ହୋଇ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି।

ଭାରତର ଇନିଂସ

ଭାରତ ନିଜର ବ୍ୟାଟିଂର ଆରମ୍ଭ ମେଡେନ ଓଭରରୁ କରିଥିଲା। ଏହା ପରେ ଭଲ ଲୟରେ ଥିବା ରୋହିତ ଶର୍ମା(୧୫) ରନ କରି ପ୍ରଥମ ବ୍ୟାସମ୍ୟାନ ଭାବେ ପାଭିଲିୟନ ଫେରିଥିଲେ। ଲୋକେଶ ରାହୁଲ(୯)  ପୁଣି ଥରେ ନିରାଶ କରିଥିଲେ। ଭାରତ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଚମତ୍କାର ଫର୍ମରେ ଥିବା ବିରାଟ କୋହଲି ୧୨ ରନ କରି ବିଦାୟ ନେବା ଦଳକୁ ବହୁତ ବଡ  ଝଟକା ଦେଇଥିଲା। ବିଶ୍ଵ କପ୍ ଖେଳୁଥିବା ଦୀପକ ହୁଡ୍ଡା ଖାତା  ଖୋଲିବା ପୂର୍ବରୁ ଆଉଟ୍ ହୋଇଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା(୨) ବି କ୍ରିଜରେ ତିଷ୍ଠି ପାରିନଥିଲେ। ଲୁଙ୍ଗି ଏନଗିଡି ଘାତକ ବୋଲିଂ କରି ଭାରତର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗିଛନ୍ତି।

ଏହା ପରେ ଦମଦାର ଫର୍ମରେ ଥିବା ସୂର୍ଯ୍ୟକୁମାର ଯାଦବ ଦଳ ପାଇଁ ସଙ୍କଟମୋଚକ ସାଜିଛନ୍ତି। ସେ ଦିନେଶ କାର୍ତ୍ତିକଙ୍କ ସହ କ୍ରିଜରେ ଜମି ଦଳର ସ୍ଥିତିରେ ସୁଧାର ଆଣିଥିଲେ। ବ୍ୟାଟିଂ ବିପର୍ଯ୍ୟୟ ଘଟିଥିଲେ ବି ସୂର୍ଯ୍ୟକୁମାର ନିଜର ଚିରାଚରିତ ଶୈଳୀରେ ଦ୍ରୁତ ବ୍ୟାଟିଂ କରି ଦମଦାର ଅର୍ଦ୍ଧଶତକ ହାସଲ କରିଥିଲେ। ସୂର୍ଯ୍ୟ ଏବଂ କାର୍ତ୍ତିକ ଷଷ୍ଠ ଓ୍ଵିକେଟ୍‌ରେ ୫୨ ରନ ଯୋଡି ଦଳର ସ୍କୋରକୁ ୧୦୦ରେ ପହଞ୍ଚାଇଥିଲେ। ତେବେ ଦିନେଶ କାର୍ତ୍ତିକ(୬) ଆଉଟ୍ ହେବା ଭାରତକୁ ବଡ ଝଟକା ଦେଇଥିଲା। ଅନ୍ୟପଟେ ସୂର୍ଯ୍ୟକୁମାର ଚଳିତ ବିଶ୍ଵ କପ୍‌ରେ ଲଗାତାର ଦ୍ଵିତୀୟ ଅର୍ଦ୍ଧଶତକ ହାସଲ କରିଥିଲେ। ତେବେ ଶେଷ ଆଡକୁ ଭାରତ ପୁଣି ଥରେ ଶୀଘ୍ର ଓ୍ଵିକେଟ୍ ହରାଇଥିଲା। ଅଶ୍ଵିନ ୭ ରନ କରି ଆଉଟ୍ ହୋଇଥିଲେ। ସୂର୍ଯ୍ୟକୁମାର ଯାଦବ ଆଉଟ୍ ହେବା ଭାରତର ଇନିଂସ ୧୪୦ ରନ ଛୁଇଁ ପାରିନଥିଲା। ଭାରତ ନିର୍ଦ୍ଧାରିତ ଓଭରରେ ୯ ଓ୍ଵିକେଟ୍ ହରାଇ ୧୩୩ ରନ କରିଛି। ସୂର୍ଯ୍ୟକୁମାର ୪୦ ବଲ୍‌ରୁ ୬ ଚୌକା ଏବଂ ୩ ଛକା ବଳରେ ୬୮ ରନର ଗୁରୁତ୍ଵପୂର୍ଣ୍ଣ ଇନିଂସ ଖେଳିଥିଲେ।

ଦକ୍ଷିଣ ଆଫ୍ରିକା ପକ୍ଷରୁ ଲୁଙ୍ଗି ଏନଗିଡି ୨୯ ରନ ଦେଇ ୪ଟି ସଫଳତା ପାଇଛନ୍ତି। ଓ୍ଵେନ ପାର୍ଣ୍ଣେଲ ୧୫ ରନ ଦେଇ ୩ଟି ଏବଂ ଅନରିଚ ନୋର୍ତ୍ତଜେ ଗୋଟିଏ ଓ୍ଵିକେଟ୍ ନେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.