କଟକରେ ଚମକିଲେ ଭୁବନେଶ୍ୱର ହେଲେ ବାରବାଟୀରେ ବଦଳିଲାନି ଭାରତର ଭାଗ୍ୟ, ୪ ୱିକେଟରେ ଜିତିଲା ଦ. ଆଫ୍ରିକା

Published By : Prameya-News7 Bureau | June 12, 2022 IST

କଟକ: କଟକରେ ଚମକିଲେ ଭୁବନେଶ୍ୱର କୁମାର ହେଲେ ବାରବାଟୀରେ ବଦଳିଲାନି ଭାରତର ଭାଗ୍ୟ । ନିରାଶ ହେଲେ କ୍ରିକେଟ୍ ପ୍ରେମୀ । ଉଭୟ ବ୍ୟାଟିଂ ଏବଂ ବୋଲିଂରେ ନିରାଶଜନକ ପ୍ରଦର୍ଶନ କରି ବାରବାଟୀରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ରେ ପରାଜୟ ଭୋଗିଛି ଭାରତ । ହେନରି କ୍ଲାସେନଙ୍କ ବିସ୍ଫୋରକ ଅର୍ଦ୍ଧଶତକୀୟ ଇନିଂସ ବଳରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ସହଜରେ ଭାରତକୁ ୪ ୱିକେଟରେ ପରାସ୍ତ କରି ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରେ ୨-୦ରେ ଅଗ୍ରଣୀ ହାସଲ କରିଛି । ଏହା ପୂର୍ବରୁ ୨୦୧୫ରେ ଭାରତ ବାରବାଟୀରେ ଦକ୍ଷିଣ ଆଫ୍ରିକା ନିକଟରୁ ୬ ଓ୍ଵିକେଟରେ ପରାଜିତ ହୋଇଥିଲା। ଆଜିର ମୁକାବିଲାରେ ପ୍ରଥମେ ବ୍ୟାଟିଂ କରି ଭାରତ ୬ ୱିକେଟ୍ ହରାଇ ୧୪୮ ରନ କରିଥିଲା । ଦଳ ପକ୍ଷରୁ ଶ୍ରେୟସ ଆୟର ୪୦, ଇଶାନ କିଷନ ୩୪ ଏବଂ ଦିନେଶ କାର୍ତ୍ତିକ ଅପରାଜିତ ୩୦ ରନର ଇନିଂସ ଖେଳିଥିଲେ । ଜବାବରେ ଦକ୍ଷିଣ ଆଫ୍ରିକା ହେନେରି କ୍ଲାସେନଙ୍କ ବିସ୍ଫୋରକ ୮୧ ରନ ବଳରେ ୧୮.୨ ଓଭରରେ ୬ ୱିକେଟ୍ ହରାଇ ସହଜ ବିଜୟ ହାସଲ କରିଛି । ଡେଭିଡ୍ ମିଲର ୨୦ ରନ କରି ଅପରାଜିତ ଥିଲେ । ଭୁବନେଶ୍ୱର କୁମାରଙ୍କୁ ବାଦ୍ ଦେଲେ ବାକି ବୋଲର ଦଳକୁ ନିରାଶ କରିଛନ୍ତି । ଭୁବନେଶ୍ୱର ୪ ସଫଳତା ପାଇଥିଲେ ହେଁ ଅନ୍ୟ ବୋଲର ଦଳକୁ ନିରାଶ କରିଥିଲେ ।

୧୪୯ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ଦକ୍ଷିଣ ଆଫ୍ରିକାର ଆରମ୍ଭ ଭଲ ନଥିଲା । ଭାରତ ପରି ଦଳ ପ୍ରଥମ ଓଭରରେ ଝଟକା ଲାଗିଥିଲା। ରିଜା ହେଣ୍ଡରିକ୍ସ(୪) ଭୁବନେଶ୍ୱରଙ୍କ ବଲରେ ଆଉଟ୍ ହୋଇଥିଲେ । ଦଳୀୟ ସ୍କୋର ୧୩ ରନରେ ଡ୍ୱେନ ପ୍ରିଟୋରିୟସ(୪)ଙ୍କୁ ଆଉଟ୍ କରି ଭୁବନେଶ୍ୱର କୁମାର ଭାରତକୁ ଦ୍ୱିତୀୟ ସଫଳତା ଦେଇଥିଲେ । ରସି ଭାନ ଡର ଡସେନ(୧)ଙ୍କୁ ବୋଲ୍ଡ କରି ଭୁବନେଶ୍ୱର ଭ୍ରମଣକାରୀ ଦଳକୁ ତୃତୀୟ ଝଟକା ଦେଇଥିଲେ । ହେଲେ ସେ ପକାଇଥିବା ଚାପର ଫାଇଦା ଅନ୍ୟ ବୋଲର ଉଠାଇ ପାରିନଥିଲେ । ଅଧିନାୟକ ତେମ୍ବା ବାଭୁମା ଏବଂ ହେନରିଚ କ୍ଲାସେନ ଦମଦାର ବ୍ୟାଟିଂ କରି ଦଳର ସ୍ଥିତି ମଜବୁତ କରିଥିଲେ । ଉଭୟ ଚତୁର୍ଥ ୱିକେଟରେ ୬୪ ରନ ଯୋଡିଥିଲେ । ବାଭୁମା(୩୫)ଙ୍କୁ ବୋଲ୍ଡ କରି ଚହଲ ଭାରତୀୟ ଶିବିରରେ କିଛିଟା ଆଶା ସଞ୍ଚାର କରିଥିଲେ । ହେଲେ ଅନ୍ୟପଟେ କ୍ଲାସେନ ବିସ୍ଫୋରକ ବ୍ୟାଟିଂ କରି ଅର୍ଦ୍ଧଶତକ ହାସଲ କରିବା ସହ ଦଳର ବିଜୟ ସୁନିଶ୍ଚିତ କରିଥିଲେ ।

କ୍ଲାସେନ ଏବଂ ଡେଭିଡ୍ ମିଲର ପଞ୍ଚମ ୱିକେଟରେ ୫୧ ରନ ଯୋଡି ଦଳର ସ୍କୋର ୧୪୪ ରନରେ ପହଞ୍ଚା ଦଳର ବିଜୟ ସୁନିଶ୍ଚିତ କରିଥିଲେ। କ୍ଲାସେନ ୪୬ ବଲରୁ ୭ ଚୌକା ଏବଂ ୫ ଛକା ସହ ୮୧ ରନ ଇନିଂସ ଖେଳି ଦଳକୁ ବିଜୟୀ କରାଇଛନ୍ତି । ଭୁବନେଶ୍ୱର କୁମାର ୱେନ ପାର୍ନେଲଙ୍କୁ ଆଉଟ୍ କରି ବ୍ୟକ୍ତିଗତ ଚତୁର୍ଥ ସଫଳତା ହାସଲ କରିଥିଲେ । ଶେଷରେ ଦକ୍ଷିଣ ଆଫ୍ରିକା ୧୮.୨ ଓଭରରେ ୬ ୱିକେଟ୍ ହରାଇ ବିଜୟ ହାସଲ କରିଛି । ଡେଭିଡ୍ ମିଲର ୨୦ ରନ ଏବଂ କାଗିସୋ ରାବଡା(୦) ଅପରାଜିତ ଥିଲେ ।

ଭାରତ ପକ୍ଷରୁ ଭୁବନେଶ୍ୱର କୁମାର ୪ ଓଭରରେ ମାତ୍ର ୧୩ ରନ ଦେଇ ୪ଟି ସଫଲତା ପାଇଛନ୍ତି । ୟୁଜବେନ୍ଦ୍ର ଚହଲ ଗୋଟିଏ ୱିକେଟ୍ ନେଇଥିଲେ ହେଁ ୪୯ ରନ ଦେଇଛନ୍ତି । ହର୍ଷଲ ପଟେଲ୍ ୧୭ ରନ ଦେଇ ଗୋଟିଏ ସଫଲତା ପାଇଥିବା ବେଳେ ଅକ୍ଷର ପଟେଲ୍ ଗୋଟିଏ ଓଭରରେ ୧୯ ରନ ଦେଇ ମହଙ୍ଗା ସାବ୍ୟସ୍ତ ହୋଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.