ଦ୍ଵିତୀୟ ଟି-୨୦: ଟସ୍ ଜିତି ଦକ୍ଷିଣ ଆଫ୍ରିକାର ବୋଲିଂ ନିଷ୍ପତ୍ତି, ପ୍ରଥମେ ବ୍ୟାଟିଂ କରିବ ଭାରତ

Published By : Prameya-News7 Bureau | October 02, 2022 IST

ଗୌହାଟି: ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିପାକ୍ଷିକ ସିରିଜ୍‌ର ଦ୍ଵିତୀୟ ଟି-୨୦ ମ୍ୟାଚ୍ ଆଜି ଖେଳାଯିବ। ଟି-୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଜିତି ସିରିଜ୍‌ରେ ୧-୦ରେ ଆଗୁଆ ଅଛି ଭାରତୀୟ ଟିମ୍‌ । ଏହିକ୍ରମରେ ରବିବାର ଖେଳାଯିବାକୁ ଥିବା ୨ୟ ଟି-୨୦ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ସିରିଜ୍‌କୁ କବ୍‌ଜା କରିବା ଲକ୍ଷ୍ୟରେ ରହିଛି ରୋହିତ ବାହିନୀ । କିନ୍ତୁ ସେପଟେ ମଧ୍ୟ ଭ୍ରମଣକାରୀ ଦଳ କମ୍‌ବ୍ୟାକ୍‌ କରିବାକୁ ପ୍ରସ୍ତୁତ । ମୁକାବିଲାରେ ଟସ୍ ଜିତି ଦକ୍ଷିଣ ଆଫ୍ରିକା ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଭାରତୀୟ ଦଳର ଚୂଡାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ କରାଯାଇନି।

ତେବେ ରବିବାରର ମ୍ୟାଚ୍‌ ଦକ୍ଷିଣ ଆଫ୍ରିକା ପାଇଁ କର ବା ମର ସ୍ଥିତି । ଯଦି ଭ୍ରମଣକାରୀ ଦଳ ଆଜିର ମ୍ୟାଚ୍‌ ହାରିଯାଏ, ତେବେ ସିରିଜ୍‌କୁ ବି ହାତଛଡ଼ା କରିଦେବ । କିନ୍ତୁ ରୋହିତ ବାହିନୀ ପାଇଁ ଏକ ସୂର୍ବଣ୍ଣ ସୁଯୋଗ ରହିଛି । ଯଦି ଭାରତୀୟ ଟିମ୍‌ ୨ୟ ଟି-୨୦ ମ୍ୟାଚ୍‌ ଜିତି ସିରିଜ୍‌କୁ କବ୍‌ଜା କରୁଛି । ତେବେ ଭାରତୀୟ ଟିମ୍‌ଦକ୍ଷିଣ ଆଫ୍ରିକା ବିପକ୍ଷରେ ଘରୋଇ ମାଟିରେ ପ୍ରଥମ ସିରିଜ୍‌ ବିଜୟୀ ହେବ ।

ସେପଟେ ପ୍ରଥମ ମ୍ୟାଚ୍‌ ପରେ ୨ୟ ମ୍ୟାଚ୍‌ରେ ଭାରତୀୟ ଟିମ୍‌ରେ ପରିବର୍ତ୍ତନର କରାଯାଇନି। ପ୍ରଥମ ମ୍ୟାଚ୍‌ରେ ଯୁବ ବୋଲର ଅର୍ଶଦୀପ ସିଂହ ଓ ଦୀପକ ଚହର ପ୍ରଭାବୀ ବୋଲିଂ ପ୍ରଦର୍ଶନ କରି ଅଭିଜ୍ଞ ଯଶପ୍ରିତ୍‌ ବୁମ୍‌ରାହଙ୍କ ଅନୁପସ୍ଥିତିକୁ ଅନୁଭବ କରିବାକୁ ଦେଇନଥିଲେ । ଓପନର ଲୋକେଶ ରାହୁଲଙ୍କ ଅର୍ଦ୍ଧଶତକୀୟ ପାରି ଖେଳି ଫର୍ମକୁ ଫେରିବାର ସୂଚନା ଦେଇଥିବା ବେଳେ ସୂର୍ଯ୍ୟକୁମାର ଯାଦବଙ୍କ ବ୍ୟାଟିଂ ମୁଖ୍ୟ ଆକର୍ଷଣ ରହିଥିଲେ । ଆଗକୁ ବିଶ୍ୱକପ୍‌ ଥିବାରୁ ଦିନେଶ କାର୍ତ୍ତିକ ଓ ରିଷଭ ପନ୍ଥଙ୍କ ଉପରେ ମଧ୍ୟ ଟିମ୍‌ ମ୍ୟାନେଜମେଣ୍ଟର ଖାସ୍‌ ନଜର ରହିଛି ।ସେହିପରି ପ୍ରଥମ ମ୍ୟାଚ୍‌ରେ ଉଭୟ ବ୍ୟାଟିଂ ଓ ବୋଲିଂ ବିଭାଗରେ ଫେଲ୍‌ ହୋଇଥିବା ଦକ୍ଷିଣ ଆଫ୍ରିକା ଟିମ୍‌ ୨ୟ ମ୍ୟାଚ୍‌ରେ କମ୍‌ବ୍ୟାକ୍‌ କରିବାର ସମ୍ଭାବନା ରହିଛି ।

ଦକ୍ଷିଣ ଆଫ୍ରିକା

କ୍ଵିଣ୍ଟନ ଡିକକ୍(ଓ୍ଵିକେଟ୍ କିପର), ତେମ୍ବା ବାଭୁମା(ଅଧିନାୟକ), ରିଲେ ରୋସୋ, ଆଡନ ମାରକ୍ରମ, ଡେଭିଡ୍ ମିଲର, ଟ୍ରିଷ୍ଟନ ଟବ୍ସ, ଓ୍ଵେନ ପାର୍ଣ୍ଣେଲ, କେଶବ ମହାରାଜ, କାଗିସୋ ରାବଡା, ଅନରିଚ ନୋର୍ତ୍ତଜେ, ଲୁଙ୍ଗି ଏନଗିଡି।

ଭାରତୀୟ ଦଳ

କେଏଲ ରାହୁଲ, ରୋହିତ ଶର୍ମା(ଅଧିନାୟକ), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ(ଓ୍ଵିକେଟ୍ କିପର), ଦିନେଶ କାର୍ତ୍ତିକ, ଅକ୍ଷର ପଟେଲ୍, ରବିଚନ୍ଦ୍ରନ ଅଶ୍ଵିନ, ହର୍ଷଲ ପଟେଲ୍, ଦୀପକ ଚହର, ଅର୍ଶଦୀପ ସିଂହ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.