ଅଷ୍ଟ୍ରେଲିଆ-ନ୍ୟୁଜିଲାଣ୍ଡ ମଧ୍ୟରୁ କିଏ ହେବ ଟି-୨୦ ବିଶ୍ଵ କପ୍ ଚାମ୍ପିଅନ ? ଉତ୍ତର ଦେଲେ ସୌରଭ ଗାଙ୍ଗୁଲି

Published By : Prameya-News7 Bureau | November 14, 2021 IST

ଦୁବାଇ ୧୪।୧୧:  ଆଇସିସି ଟି-୨୦ ବିଶ୍ଵ କପ୍‌ର ଫାଇନାଲ୍‌ ମୁକାବିଲା ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ। ଦୁଇ ଦଳ  ନିଜ  ନିଜର ପ୍ରଥମ ଟାଇଟଲ୍‌ ଜିତିବା ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇବେ। ଟୁର୍ଣ୍ଣାମେଣ୍ଟ ଆରମ୍ଭରେ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡକୁ ଟାଇଟଲ୍ ଦାବିଦାର କୁହାଯାଉନଥିଲା। ହେଲେ ଦୁଇ ଦଳ ନିଜର ପ୍ରଦର୍ଶନରେ ସଭିଙ୍କୁ ଚକିତ କରିଛନ୍ତି। ଅଷ୍ଟ୍ରେଲିଆ ସେମି ଫାଇନାଲ୍‌ରେ ପାକିସ୍ତାନକୁ ଏବଂ ନ୍ୟୁଜିଲାଣ୍ଡ ଇଂଲଣ୍ଡକୁ ରୋମାଞ୍ଚକର ମୁକାବିଲାରେ ମାତ୍ ଦେଇ ଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ପ୍ରଥମ ଥର ଟି-୨୦ ବିଶ୍ଵ କପ ଇତିହାସରେ ନୂତନ ଚାମ୍ପିଅନ ମିଳିବାକୁ ଯାଉଛି। ଆଉ କିଛି ସମୟ ପରେ ଏହି ବହୁପ୍ରତୀକ୍ଷିତ ମୁକାବିଲା ଖେଳାଯିବ। ଏହା ପୂର୍ବରୁ ବିସିସିଆଇ ସଭାପତି ସୌରଭ  ଗାଙ୍ଗୁଲି କିଓ୍ଵି ଦଳ ଉପରେ ନିଜର ବାଜି ଲଗାଇଛନ୍ତି।

ସାରଜାରେ ଏକ ସାର୍ବଜନୀନ କାର୍ଯ୍ୟକ୍ରମ ସମୟରେ ପୂର୍ବତନ ଭାରତୀୟ ଅଧିନାୟକ କହିଛନ୍ତି, ମୋ ହିସାବରେ ଖେଳ ଦୁନିଆରେ ବର୍ତ୍ତମାନ ନ୍ୟୁଜିଲାଣ୍ଡର ସମୟ। ଅଷ୍ଟ୍ରେଲିଆ ଏକ ମହାନ ଦେଶ ମାତ୍ର ଦଳକୁ ମୁସ୍କିଲର ସାମ୍ନା କରିବାକୁ ପଡିଛି। କ୍ରିକେଟ୍ ମାମଲାରେ ଅଷ୍ଟ୍ରେଲିଆ  ଦମଦାର ଦଳ ହୋଇଥିଲେ ହେଁ  ନ୍ୟୁଜିଲାଣ୍ଡ ପାଖରେ ଅଧିକ ସାହାସ ଏବଂ ଯୋଗ୍ୟତା ରହିଛି। ଯାହା ଦଳର ପ୍ରଦର୍ଶନରୁ ଦେଖିବାକୁ ମିଳିଛି। କିଛି ସମୟ ପୂର୍ବେ କିଓ୍ଵି ଦଳ ବିଶ୍ଵ ଟେଷ୍ଟ ଚାମ୍ପିଅନଶିପ ଟାଇଟଲ୍ ଜିତିଛି। ଏହା ଏକ ଛୋଟ ଦେଶ ମାତ୍ର ସେମାନଙ୍କ ପାଖରେ ପ୍ରତିଭାର ଅଭାବ ନାହିଁ। ମୋତେ ଲାଗୁଛି ବର୍ତ୍ତମାନ କ୍ରିକେଟ୍‌ ଜଗତରେ ନ୍ୟୁଜିଲାଣ୍ଡର ସମୟ ରହିଛି।

ଗାଙ୍ଗୁଲି ଟି-୨୦ ବିଶ୍ଵ କପରେ ଭାରତର ଅସଫଳ ଅଭିଯାନ ଉପରେ ମଧ୍ୟ ଟିପ୍ପଣୀ କରିଛନ୍ତି। ସେ କହିଛନ୍ତି ବିରାଟ କୋହଲିଙ୍କ ନେତୃତ୍ଵାଧୀନ ଭାରତୀୟ ଦଳ କିଛି ଖରାପ ମ୍ୟାଚ୍ କାରଣରୁ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡିଛି। ମାତ୍ର ଭାରତ ଆଗାମୀ ସଂସ୍କରଣରେ ଦମଦାର ପ୍ରତ୍ୟାବର୍ତ୍ତନ କରିବ। ଦଳ ଉପରେ ଲୋକଙ୍କ ଆଶା ବହୁତ ଅଧିକ ଥିଲା। ମାତ୍ର ଏହାକୁ ନେଇ ମୁଁ  ଖୁସି ଯେ, ନିରାଶ ସତ୍ତ୍ଵେ ପ୍ରଶଂସକ ପରିଣାମକୁ ସ୍ଵୀକାର କରିଛନ୍ତି। ସେମାନେ ଦୁଃଖିତ ଥିଲେ କିନ୍ତୁ ପ୍ରତିକ୍ରିୟାଶୀଳ ହୋଇ ନାହାନ୍ତି ବୋଲି ଗାଙ୍ଗୁଲି କହିଛନ୍ତି।

ଗାଙ୍ଗୁଲି କହିଛନ୍ତି, ବୁମରା, ଶାମି, ରୋହିତ ଓ କୋହଲି ସମସ୍ତେ ଜଣେ ଜଣେ ମଣିଷ। ଏହା କେବଳ ଦୁଇଟି ଖରାପ ମ୍ୟାଚ୍‌ର କଥା ଥିଲା। ଏହି ଖରାପ କ୍ରିକେଟ୍ ୪୦ ଓଭରର ଥିଲା। ସେମାନେ ପ୍ରତ୍ୟାବର୍ତ୍ତନ କରିବେ ଏବଂ ଏକ ବର୍ଷ ଭିତରେ ଆମେ ଏହି ଖେଳାଳିଙ୍କୁ ଟ୍ରଫି ଉଠାଉଥିବା ଦେଖିବା। ସୂଚନାଯୋଗ୍ୟ, ୨୦୨୨ରେ ଅଷ୍ଟ୍ରେଲିଆରେ ଟି-୨୦ ବିଶ୍ଵ କପ୍  ଖେଳାଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.