୪ ନମ୍ବର ବ୍ୟାଟରକୁ ନେଇ ସୌରଭଙ୍କ ବଡ଼ ମତ, ଦାଦା କହିଲେ- ଏହି ଯୁବ ଖେଳାଳି ଦାବିଦାର...

Published By : Prameya-News7 Bureau | August 21, 2023 IST

କୋଲକାତା ୨୧।୦୮ : ପାଖେଇ ଆସୁଛି ଦିନିକିଆ କ୍ରିକେଟ୍‌ ବିଶ୍ୱକପ୍‌ ୨୦୨୩ । ଏହି କ୍ରିକେଟ୍‌ ମହାକୁମ୍ଭକୁ ଆଉ ଦୁଇ ମାସରୁ କମ୍‌ ଦିନ ବାକି ରହିଛି । ଏହିକ୍ରମରେ ଟିମ୍‌ ଇଣ୍ଡିଆ ପାଇଁ ନମ୍ବର-୪ ବ୍ୟାଟର ଚିନ୍ତାର ବିଷୟ ରହିଛି । କିଏ ସାଜିବ ଟିମ୍‌ ଇଣ୍ଡିଆର ମିଡିଲ୍‌ ଅର୍ଡର ବ୍ୟାଟର । ଯାହାକୁ ନେଇ ମାନସମନ୍ଥନ ଚାଲିଥିବା ବେଳେ ମୁହଁ ଖୋଲିଛନ୍ତି ବିସିସିଆଇର ପୂର୍ବତନ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ।

ସେ କହିଛନ୍ତି ଯେ, ବିଶ୍ୱକପ୍‌ ପାଇଁ ଟିମ୍‌ ଏବେ ଯାଏଁ ଚୟନ ହୋଇନାହିଁ । ଭାରତ ପାଇଁ ନମ୍ବର ୪ ବ୍ୟାଟରର ବହୁ ଗୁରୁତ୍ୱପୂର୍ଣ୍ଣ ରହିଛି । ଅନେକ ଖେଳାଳିଙ୍କ ମତରେ ଭାରତରେ ଯୁବରାଜ ସିଂହଙ୍କ ପରେ ଆଉ କୌଣସି ବ୍ୟାଟର ନମ୍ବର ୪ ପାଇଁ ଫିଟ୍‌ ନାହାନ୍ତି । କିନ୍ତୁ ଏ କଥାରେ କୌଣସି ସତ ନାହିଁ । ଟିମ୍‌ ଇଣ୍ଡିଆ ପାଖରେ ଦକ୍ଷ ବ୍ୟାଟର ଅଛନ୍ତି । ଯିଏକି ମିଡିଲ୍‌ ଅର୍ଡର ସମ୍ଭାଳି ପାରିବ । ଯଦି ବିଶ୍ୱକପ୍‌ ଟିମ୍‌ ଲାଗି ଶ୍ରେୟସ ଆୟର ଫିଟ୍‌ ନହୁଅନ୍ତି । ତେବେ ତାଙ୍କ ସ୍ଥାନରେ ଜଣେ ଯୁବ ବ୍ୟାଟର ତିଲକ ବର୍ମାଙ୍କୁ ସାମିଲ କରାଗଲେ ବହୁତ ଭଲ ହେବ । ନିକଟରେ ସେ ଓ୍ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଡେବ୍ୟୁ କରିଛନ୍ତି । ପୁରା ସିରିଜ୍‌ରେ ସେ ବେଶ୍‌ ଭଲ ଖେଳ ପ୍ରଦର୍ଶନ କରିଛନ୍ତି ।

ସେପଟେ ଆହତ ପରେ ଶ୍ରେୟସ ଆୟର ଏବେ ଧୀରେ ଧୀରେ ଫିଟ୍‌ ହେବାରେ ଲାଗିଛନ୍ତି । ଏବେ ଶ୍ରେୟସ ଆୟର ଜାତୀୟ କ୍ରିକେଟ୍‌ ଏକାଡେମୀରେ ଅଭ୍ୟାସ ଜାରି ରଖିଛନ୍ତି । ବିସିସିଆଇର ବରିଷ୍ଠ ଏବଂ ଅଭିଜ୍ଞ ଡାକ୍ତର ଲଗାତର ଭାବେ ତାଙ୍କ ଫିଟ୍‌ନେସ୍‌ ଉପରେ ନଜର ରଖିଛନ୍ତି । ଏହିକ୍ରମରେ ଶ୍ରେୟସ ମଧ୍ୟ ଏକ ଅଭ୍ୟାସ ମ୍ୟାଚ ଖେଳିଛନ୍ତି । ପୁରା ୫୦ ଓଭର ଫିଲ୍ଡିଂ କରିବା ସହ ୩୦ ଓଭର ବ୍ୟାଟିଂ ମଧ୍ୟ କରିଛନ୍ତି । ତେଣୁ ବିଶ୍ୱକପ୍‌ ପାଇଁ ଶ୍ରେୟସ ଫିଟ୍‌ ହେବା ନେଇ ସମସ୍ତେ ଆଶା ରଖିଛନ୍ତି ।  

ସୂଚନାଯୋଗ୍ୟ ଯେ,  ଓ୍ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଟି-୨୦ ସିରିଜ୍‌ରେ ଡେବ୍ୟୁ କରିଥିଲେ ତିଲକ ବର୍ମା । ୫ଟି ମ୍ୟାଚ୍‌ରେ ମୋଟ ୧୭୩ ରନ୍‌ ସଂଗ୍ରହ କରିଛନ୍ତି । ଯେଉଁଥିରେ ଗୋଟିଏ ଅର୍ଦ୍ଧଶତକ ରହିଛି । ୧୩୮ର ଷ୍ଟ୍ରାଇକ୍‌ ରେଟ୍‌ରେ ଏହି ରନ୍‌ ସଂଗ୍ରହ କରିଛନ୍ତି । ତାଙ୍କର ସର୍ବାଧିକ ସ୍କୋର ୫୧ ରହିଛି ।

wp:embed {"url":"https://www.prameyanews7.com/ab-de-villiers-chose-his-favorite-team/","type":"wp-embed","providerNameSlug":"prameya-news-7"}
https://www.prameyanews7.com/ab-de-villiers-chose-his-favorite-team/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.