ଆଇସିସିର ନୂତନ ଅଧ୍ୟକ୍ଷ ହେବା ପାଇଁ ମୁହାଁମୁହିଁ ସୌରଭ ଗାଙ୍ଗୁଲି ଏବଂ ଜୟ ଶାହ: ରିପୋର୍ଟ

Published By : Prameya-News7 Bureau | April 05, 2022 IST

ନୂଆଦିଲ୍ଲୀ ୦୫।୦୪: ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ(ଆଇସିସି)ର ନୂତନ ଅଧ୍ୟକ୍ଷ ପଦ ପାଇଁ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଏବଂ ସଂପାଦକ ଜୟ ଶାହଙ୍କ ମଧ୍ୟରେ ମୁକାବିଲା ହୋଇ ପାରେ। ଆଇସିସିର ବର୍ତ୍ତମାନ ଅଧ୍ୟକ୍ଷ ଗ୍ରେଗ ବାର୍କଲେ ନିଜର କାର୍ଯ୍ୟକାଳ ଆଗକୁ ବଢାଇବାକୁ ଚାହୁଁ ନାହାନ୍ତି। ସେ ୨୦୨୦ ନଭେମ୍ବରରୁ ଆଇସିସି ଅଧ୍ୟକ୍ଷ ପଦ ସମ୍ଭାଳିଥିଲେ। ବାର୍କଲେ ଭାରତର ଶଶାଙ୍କ ମନୋହରଙ୍କ ସ୍ଥାନ ନେଇଥିଲେ। ଶଶାଙ୍କ ୨୦୨୦ ଜୁଲାଇରେ ନିଜ ପଦରୁ ଇସ୍ତଫା ଦେଇଥିଲେ।

କୋଲକାତାର ଅଗ୍ରଣୀ ଖବର କାଗଜ ଦ ଟେଲିଗ୍ରାଫର ରିପୋର୍ଟ ଅନୁସାରେ, ବିସିସିଆଇ ଅଧ୍ୟକ୍ଷ ଗାଙ୍ଗୁଲି ଏବଂ ସଂପାଦକ  ଜୟ ଶାହ ଉଭୟ ଆଇସିସିର ପରବର୍ତ୍ତୀ ଅଧ୍ୟକ୍ଷ  ହେବାକୁ ଚାହାନ୍ତି। ଉଭୟ ଏଥିପାଇଁ ଦୌଡରେ ଆଗରେ ଅଛନ୍ତି। ଦୁହିଁଙ୍କ ମଧ୍ୟରୁ କେହି ଆଇସିସିର ପରବର୍ତ୍ତୀ ସଭାପତି ହେଲେ ସେ ଭାରତର ପଞ୍ଚମ ଆଇସିସି ଅଧ୍ୟକ୍ଷ ଭାବେ ଦାୟିତ୍ଵ ଗ୍ରହଣ କରିବେ। ଏହା ପୂର୍ବରୁ ଜଗମୋହନ ଡାଲମିଆ(୧୯୯୭-୨୦୦୦), ଶରଦ ପାଓ୍ଵାର(୨୦୧୦-୨୦୧୨), ଏନ ଶ୍ରୀନିବାସନ(୨୦୧୪-୧୫) ଓ     ଶଶାଙ୍କ ମନୋହର(୨୦୧୫-୨୦୨୦) ଏହି ପଦରେ ରହିଥିଲେ।

ଆଇସିସିର ବର୍ତ୍ତମାନ ଚେୟାରମ୍ୟାନ ବାର୍କଲେ ଅକଲାଣ୍ଡର ଜଣେ ବ୍ୟବସାୟିକ ଓକିଲ। ନିଜର ପେଶାଦାର ବୃତ୍ତିକୁ ଦୃଷ୍ଟିରେ ରଖି ବାର୍କଲେ ନିଜ କାର୍ଯ୍ୟକାଳ ଆଗକୁ  ବଢାଇବାକୁ ଚାହୁଁ ନାହାନ୍ତି। ତେଣୁ ୨୦୨୨ ନଭେମ୍ବରରେ ଆଇସିସିକୁ ନୂତନ ସଭାପତି ମିଳିପାରେ। ଆଇସିସି  ଅଧ୍ୟକ୍ଷ ଚୟନ ଦୁଇ ବର୍ଷ ପାଇଁ ହୋଇଥାଏ ଏବଂ ଏହାକୁ ସର୍ବାଧିକ ଛଅ ବର୍ଷରୁ ଅଧିକ ଆଗକୁ ବଢାଯାଇ ପାରିବ ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.