କ'ଣ ହେବ ବିସିସିଆଇ ଅଧ୍ୟକ୍ଷ ଗାଙ୍ଗୁଲି ଓ ସମ୍ପାଦକ ଜୟ ଶାହଙ୍କ ଭବିଷ୍ୟତ ? ୯ ତାରିଖରେ ନିର୍ଦ୍ଧାରଣ କରିବେ ସୁପ୍ରିମକୋର୍ଟ

Published By : Prameya-News7 Bureau | December 03, 2020 IST

ନୂଆଦିଲ୍ଲୀ,୦୩/୧୨: ବିସିସିଆଇ  ନୂଆ ସମ୍ବିଧାନରେ ‘କୁଲିଂ ପିରିୟଡ୍‌’କୁ ସମ୍ପୂର୍ଣ୍ଣ ଭାବେ ହଟାଇବା ପାଇଁ ସୁପ୍ରିମକୋର୍ଟର ଦ୍ୱାରସ୍ଥ କରିଛି । କିନ୍ତୁ ଏ ପର୍ଯ୍ୟନ୍ତ ମାମଲାର ଶୁଣାଣି ହୋଇ ନାହିଁ । ‘କୁଲିଂ ପିରିୟଡ୍‌’ ଅନୁସାରେ ସଭାପତି ସୌରଭ ଗାଙ୍ଗୁଲି ଓ ସମ୍ପାଦକ ଜୟ ଶାହଙ୍କ କାର୍ଯ୍ୟକାଳ ଉଭୟ ରାଜ୍ୟ ସଂଘ ଓ ବିସିସିଆଇରେ ୬ ବର୍ଷ ପୂରଣ ହୋଇ ସାରିଛି । ମାମଲା ସୁପ୍ରିମକୋର୍ଟରେ ଥିବାରୁ ସେମାନେ ଏ ପର୍ଯ୍ୟନ୍ତ ଦାୟିତ୍ୱରୁ ଅବ୍ୟାହତି ନେଇ ନାହାଁନ୍ତି ।

ମିଳିଥିବା ସୂଚନା ଅନୁସାରେ, ଡିସେମ୍ବର ୯ ତାରିଖରେ ବିସିସିଆଇ ସମ୍ବିଧାନରେ କୁଲିଂ ପିରିୟଡ୍‌ ସଂପର୍କରେ ସୁପ୍ରିମକୋର୍ଟ ଶେଷ ଶୁଣାଣି କରି ପାରନ୍ତି । ସୁପ୍ରିମକୋର୍ଟ ରାୟ ଉପରେ ଗାଙ୍ଗୁଲି ଓ ଶାହଙ୍କ ଭବିଷ୍ୟତ ନିର୍ଭର କରୁଛି । ଯଦି କୋର୍ଟ ସଂଶୋଧନ ପାଇଁ ରାଜି ନହୁଅନ୍ତି ତେବେ ଉଭୟ ନିଜ ନିଜର ପଦ ଛାଡିବେ ।

ସୂଚନାଯୋଗ୍ୟ, ସୁପ୍ରିମକୋର୍ଟ ୨୦୧୮ରେ ଜଷ୍ଟିସ ଲୋଧା କମିଟି ଦ୍ୱାରା ପ୍ରସ୍ତୁତ ନୂଆ ସମ୍ବିଧାନକୁ ସ୍ୱୀକୃତି ପ୍ରଦାନ କରିଥିଲେ। ଏଥିରେ ନିୟମ ରହିଥିଲା ଯେ, ରାଜ୍ୟ ହେଉ କି ବିସିସିଆଇ କ୍ରମାନ୍ୱୟରେ ଦୁଇ ଥର କାର୍ଯ୍ୟକାଳ (୩+୩) ପୂରଣ ହେଲେ କୁଲିଂ ପିରିୟଡ୍‌ ଆରମ୍ଭ ହେବ। ସେହି ଆଧାରରେ ଗାଙ୍ଗୁଲି ଓ ଶାହଙ୍କ ବିସିସିଆଇରେ କାର୍ଯ୍ୟକାଳ ଗତ ଜୁଲାଇ ଓ ମଇ ମାସରେ ପୂରଣ ହୋଇ ସାରିଛି। କିନ୍ତୁ ମାମଲା ସୁପ୍ରିମକୋର୍ଟରେ ଥିବାରୁ ଉଭୟ ନିଜ ନିଜ ପଦରେ ରହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.