ଗାଙ୍ଗୁଲି ଓ ଜୟ ଶାହଙ୍କ ପଦ ଉପରେ ଏବେ ନାହିଁ ବିପଦ, ଜାନୁଆରୀରେ ପରବର୍ତ୍ତୀ ଶୁଣାଣି କରିବେ ସୁପ୍ରିମକୋର୍ଟ

Published By : Prameya-News7 Bureau | December 10, 2020 IST

ନୂଆଦିଲ୍ଲୀ,୧୦/୧୨: ବିସିସିଆଇ ମାମଲାରେ ବୁଧବାର ଶୁଣାଣି କରିଥିଲେ । ଆଶା କରାଯାଉଥିଲା ରାୟ ଆସିବ । କିନ୍ତୁ ସେପରି କିଛି ହେଲା ନାହିଁ । ଆସନ୍ତା ଜାନୁଆରୀ ମାସରେ କୋର୍ଟ ମାମଲାର ପରବର୍ତ୍ତୀ ଶୁଣାଣି କରିବେ ବୋଲି କହିଛନ୍ତି ।

ଜଷ୍ଟିସ ଲୋଧା କମିଟିର ସୁପାରିସ କ୍ରମେ ସୁପ୍ରିମକୋର୍ଟ ବିସିସିଆଇର ନୂଆ ସମ୍ବିଧାନକୁ ସ୍ୱୀକୃତି ପ୍ରଦାନ କରିଥିଲେ। କିନ୍ତୁ ବିସିସିଆଇର ନିର୍ବାଚନ ଶେଷ ହେବା ପରେ ‘କୁଲିଂ ପିରିୟଡ୍‌’ ଏବଂ ଅନ୍ୟ କିଛି ନିୟମର ସଂଶୋଧନ କରିବା ନେଇ ସୁପ୍ରିମକୋର୍ଟରେ ପୁଣି ଆବେଦନ ହୋଇଥିଲା।

‘କୁଲିଂ ପିରିୟଡ୍‌’ ନିୟମ ଅନୁସାରେ ସଭାପତି ସୌରଭ ଗାଙ୍ଗୁଲି, ସମ୍ପାଦକ ଜୟ ଶାହ ଏବଂ କିଛି ବିସିସିଆଇ ଓ ରାଜ୍ୟ ସଂଘର କର୍ମକର୍ତ୍ତାଙ୍କର କାର୍ଯ୍ୟକାଳ ସମାପ୍ତ ହୋଇଛି । ରାଜ୍ୟ ହେଉ କି ବିସିସିଆଇ କ୍ରମାନ୍ୱୟରେ ଦୁଇ ଥର କାର୍ଯ୍ୟକାଳ (୩+୩) ପୂରଣ ହେଲେ କୁଲିଂ ପିରିୟଡ୍‌ ଆରମ୍ଭ ହେବ । ସେହି ଆଧାରରେ ଗାଙ୍ଗୁଲି ଓ ଶାହଙ୍କ ବିସିସିଆଇରେ କାର୍ଯ୍ୟକାଳ ଗତ ଜୁଲାଇ ଓ ମେ ମାସରେ ପୂରଣ ହୋଇସାରିଛି । କିନ୍ତୁ ମାମଲା ଯେହେତୁ ସୁପ୍ରିମକୋର୍ଟରେ ବିଚାରଧିନ ରହିଛି, ତେଣୁ ଉଭୟ ଏବେବି ନିଜ ନିଜ ପଦରେ ରହିଛନ୍ତି ।

ଏହି ମାମଲାରେ ବୁଧବାର ସୁପ୍ରିମକୋର୍ଟ ଶୁଣାଣି କରିଥାନ୍ତି । କିନ୍ତୁ କୋର୍ଟ ଜାନୁଆରୀରେ ଶୁଣାଣି କରିବେ ବୋଲି କହିଛନ୍ତି । ଫଳରେ ଆସନ୍ତା ଜାନୁଆରୀ ମାସରେ ହେବାକୁ ଥିବା ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ସେମାନଙ୍କ ପଦ ପାଇଁ କୌଣସି ବିପଦ ନାହିଁ ବୋଲି ସ୍ପଷ୍ଟ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.