ଦଳୀୟ ଉପସଭାପତି ପଦରୁ ହଟିଲେ ସୌମ୍ୟ, ବହିଷ୍କୃତ କଲେ ବିଜେଡି ସୁପ୍ରିମୋ
12/09/2023 at 1:49 PM

ଭୁବନେଶ୍ୱର ୧୨।୦୯: ଉପସଭାପତି ପଦରୁ ହଟିଲେ ବରିଷ୍ଠ ବିଜେଡି ନେତା ସୌମ୍ୟରଞ୍ଜନ ପଟ୍ଟନାୟକ । ଖଣ୍ଡପଡ଼ା ବିଧାୟକଙ୍କୁ ଦଳୀୟ ଉପସଭାପତି ପଦରୁ ହଟାଇଛନ୍ତି ବିଜେଡି ସୁପ୍ରିମୋ । ଖବରକାଗଜରେ ସମ୍ପାଦକୀୟ ଲେଖି ବିବାଦରେ ଥିଲେ ସୌମ୍ୟରଞ୍ଜନ ପଟ୍ଟନାୟକ ।

ଖବର ଅନୁଯାୟୀ, ଗତ କିଛି ଦିନ ଧରି ଲଗାତର ଭାବେ ଦଳ ବିରୋଧୀ ମନ୍ତବ୍ୟ ଏବଂ ଖବରକାଗଜରେ ସମ୍ପାଦକୀୟ ଲେଖି ବିବାଦରେ ଥିଲେ । ଦଳର ବରିଷ୍ଠ ନେତା ଓ କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନ ଉଠାଇଥିଲେ । ଯାହାକୁ ନେଇ ରାଜନୈତିକ ମାହୋଲ ସରଗରମ ରହିଥିଲା । ଏପିରିକି ସୌମ୍ୟଙ୍କ ବୟାନକୁ ଦଳର ବରିଷ୍ଠ ନେତାମାନେ ଗଣମାଧ୍ୟମ ସାମ୍ନାକୁ ଆସି ତାଗିଦ୍ କରିଥିଲେ । ଯଦି କୌଣସି କଥା ଅଛି, ତେବେ ଦଳୀୟ ଫୋରମ୍ରେ ଆସି କୁହନ୍ତୁ ବୋଲି କହିଥିଲେ । କିନ୍ତୁ ତାପରେ ବି ସୌମ୍ୟ ଚୁପ୍ ହୋଇନଥିଲେ । ଲଗାତର ଭାବେ ଦଳବିରୋଧୀ ମନ୍ତବ୍ୟ ଦେଇଚାଲିଥିଲେ । ଶେଷରେ ମଙ୍ଗଳବାର ଦିନ ଖଣ୍ଡପଡ଼ା ବିଧାୟକ ତଥା ବିଜେଡି ଉପସଭାପତି ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ ଆକ୍ସନ ନେଇଛନ୍ତି ପାର୍ଟି ସୁପ୍ରିମୋ ।
ଶେଷରେ ଦଳ ବିରୋଧୀ ମନ୍ତବ୍ୟ ଏବଂ ଲେଖା ପାଇଁ ବିଜେଡି ଉପସଭାପତି ପଦରୁ ହଟାଇଛନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ । ବିଜେଡି ଦଳରୁ ଏନେଇ ନୋଟିସ୍ ପ୍ରକାଶ କରାଯାଇଛି ।