ସ୍ୱାମୀଙ୍କୁ ପର କଲା, ଛୁଆଙ୍କୁ ଭୁଲିଗଲା.. ଗୋଷ୍ଠୀ ଟଙ୍କା ନେଇ ଏଜେଣ୍ଟଙ୍କ ସହ ମହିଳା ଫେରାର
25/12/2022 at 12:39 PM

ସୋର ୨୫।୧୨: କୁନି କୁନି ଦୁଇ ଛୁଆଙ୍କୁ ଛାଡି ମାଆ ଫେରାର । ସ୍ୱଂୟ ସହାୟକ ଗୋଷ୍ଠୀର ସାର୍ଙ୍କ ସହ ଫେରାର ମାରିଛି ମାଆ । ସ୍ୱାମୀକୁ ପର କରିଦେଲା… ଛୁଆଙ୍କୁ ଭୁଲିଗଲା… ଶେଷରେ ଗାଁ ମହିଳାଙ୍କୁ ଟଙ୍କା ନେଇ ଫେରାର ମାରିଛନ୍ତି ମହିଳା । ବାଲେଶ୍ଵର ଜିଲ୍ଲା ସୋର ଥାନା ଅନନ୍ତପୁର ଅଞ୍ଚଳ ପୁରୁଷୋତ୍ତମପୁର ଗାଁର ଏକ ସ୍ୱଂୟ ସହାୟକ ଗୋଷ୍ଠୀର ଟଙ୍କାକୁ ନେଇ ମହିଳା ଫେରାର ହୋଇଯାଇଛନ୍ତି ।
ଖବର ଅନୁଯାୟୀ, ପୁରୁଷୋତ୍ତମପୁର ଗାଁର ରଶ୍ମିତା ମଲ୍ଲିକ ନାମକ ଜଣେ ମହିଳା ତାଙ୍କର ଦୁଇ କୁନି ପୁଅଙ୍କୁ ଛାଡି ସ୍ଵାମୀଙ୍କୁ ଠକି ଏକ ଘରୋଇ ଫାଇନାନ୍ସ କମ୍ପାନୀର ଜଣେ ଏଜେଣ୍ଟଙ୍କ ସହ ଫେରାର୍ ହୋଇଯାଇଛନ୍ତି। ମହିଳା ଜଣଙ୍କ ଗାଁର କିଛି ସ୍ଵୟଂ ସହାୟକ ଗୋଷ୍ଠୀରୁ ପ୍ରାୟ ୨୦ ଲକ୍ଷ ଟଙ୍କାରୁ ଅଧିକ ଟଙ୍କା ନେଇ ଫେରାର୍ ହୋଇଯାଇଛନ୍ତି। ଏବାବଦରେ ରଶ୍ମିତାଙ୍କ ସ୍ଵାମୀ ସୋର ଥାନାରେ ଅଭିଯୋଗ କରିବା ସହ ତାଙ୍କ ସ୍ତ୍ରୀ ଫେରାର୍ ହୋଇଥିବା ଫାଇନାନ୍ସ କମ୍ପାନୀର ଏଜେଣ୍ଟଙ୍କ ସହ ପ୍ରେମ ସମ୍ପର୍କ ଥିବା ଅଭିଯୋଗ କରିଛନ୍ତି ।
ସେହିପରି ମହିଳା ଗ୍ରୁପର ସଦସ୍ୟମାନେ ସୋର ଥାନାରେ ମଧ୍ୟ ପୃଥକ୍ ଅଭିଯୋଗ କରିଛନ୍ତି । ସୋର ପୋଲିସ୍ ଅଭିଯୋଗ ପାଇ ଘଟଣାର ତଦନ୍ତ କରୁଛି। ଏବେ ଯାଏଁ ମହିଳାଙ୍କ କୌଣସି ଟେର୍ ପାଇନି ପୋଲିସ । ଲଗାତର ଭାବେ ବିଭିନ୍ନ ସ୍ଥାନରେ ଚଢାଉ କରୁଛି ପୋଲିସ ।