ଆଜିର ସମୟରେ ଏହି ତିନି ବ୍ୟାଟରଙ୍କୁ ବୋଲିଂ କରିବାକୁ ଚାହାନ୍ତି ସକଲେନ ମୁସ୍ତାକ, ଦୁଇ ଭାରତୀୟ ସାମିଲ୍

Published By : Prameya-News7 Bureau | November 29, 2022 IST

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଶ୍ରେଷ୍ଠ ବ୍ୟାଟସମ୍ୟାନଙ୍କ କଥା କହିଲେ ତାଲିକାରେ ଭାରତର ବିରାଟ କୋହଲି, ପାକିସ୍ତାନର ବାବର ଆଜମ, ନ୍ୟୁଜିଲାଣ୍ଡର କେନ ଓ୍ଵିଲିୟମସନ, ଅଷ୍ଟ୍ରେଲିଆର ଷ୍ଟିଭ୍ ସ୍ମିଥ ଏବଂ ଇଂଲଣ୍ଡର ଜୋ ରୁଟ୍‌ଙ୍କ ନାମ ରହିଛି। ପାକିସ୍ତାନର ବର୍ତ୍ତମାନର ମୁଖ୍ୟ  ପ୍ରଶିକ୍ଷକ ତଥା ପୂର୍ବତନ ସ୍ପିନର ସକଲେନ ମୁସ୍ତାକଙ୍କୁ ଯେବେ ପ୍ରଶ୍ନ କରାଗଲା ଯେ, ବର୍ତ୍ତମାନ କେଉଁ ତିନି ଶ୍ରେଷ୍ଠ ବ୍ୟାଟସମ୍ୟାନଙ୍କୁ ବୋଲିଂ କରିବାକୁ ସେ ପସନ୍ଦ କରିବେ। ଉତ୍ତରରେ ସେ ଦୁଇ ଭାରତୀୟ ଏବଂ ଜଣେ ପାକିସ୍ତାନୀ ଖେଳାଳିଙ୍କ ନାମ ନେଇଥିଲେ।

ସ୍ପୋର୍ଟ୍ସକିଡା ସହ ସ୍ଵତନ୍ତ୍ର ଆଲୋଚନା ସମୟରେ ସକଲେନ ମୁସ୍ତାକ ବିରାଟ  କୋହଲି, ରୋହିତ ଶର୍ମା ଏବଂ ବାବର ଆଜମଙ୍କୁ ବୋଲିଂ କରିବାକୁ ପସନ୍ଦ କରିବେ ବୋଲି କହିଛନ୍ତି। ବିରାଟ କୋହଲି ଭାରତୀୟ ଦଳର ପୂର୍ବତନ ଅଧିନାୟକ ଥିବା ବେଳେ ରୋହିତ ଶର୍ମା ବର୍ତ୍ତମାନ ଅଧିନାୟକ। ଅନ୍ୟପକ୍ଷେ ବାବର ଆଜମ ପାକିସ୍ତାନର ଅଧିନାୟକ ଅଛନ୍ତି। ରୋହିତଙ୍କୁ ସୀମିତ ଓଭର ଫର୍ମାଟ୍‌ର ଶ୍ରେଷ୍ଠ ବ୍ୟାଟସମ୍ୟାନ କୁହାଯାଉଥିବା ବେଳେ ବିରାଟ କୋହଲିଙ୍କୁ ତିନି ଫର୍ମାଟ୍‌ର ଶ୍ରେଷ୍ଠ ବ୍ୟାଟସମ୍ୟାନ କୁହାଯାଏ। ବିରାଟ କୋହଲି ଏବଂ ବାବର ଆଜମଙ୍କ ମଧ୍ୟରେ ଅନେକ ତୁଳନା ହୋଇ ସାରିଛି।

ସକଲେନ ମୁସ୍ତାକ ପାକିସ୍ତାନ ପକ୍ଷରୁ ୪୯ଟି ଟେଷ୍ଟ ଖେଳି ୨୦୮ ଓ୍ଵିକେଟ୍ ନେଇଥିବା ବେଳେ ୧୬୯ ଦିନିକିଆ ମ୍ୟାଚ୍‌ରୁ ୨୮୮ ଓ୍ଵିକେଟ୍ ନେଇଛନ୍ତି। ସକଲେନ ମୁସ୍ତାକ ୧୯୯୫ରେ ପାକିସ୍ତାନ ପକ୍ଷରୁ ପଦାର୍ପଣ କରିଥିବା ବେଳେ ୨୦୦୪ରେ ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.