ଦୋକାନରୁ ମାତ୍ର ଗୋଟିଏ ସିଗାରେଟ୍ କିଣି ପାରିବେନି ଗ୍ରାହକ; ଆସିପାରେ ଏହି ନିୟମ, ବ୍ୟାନ୍ ହେଇପାରେ ସିଙ୍ଗଲ ସିଗାରେଟ୍

Published By : Prameya-News7 Bureau | December 11, 2022 IST

ନୂଆଦିଲ୍ଲୀ: ଏବେ ଦୋକାନରୁ ଆଉ ମାତ୍ର ଗୋଟିଏ ସିଗାରେଟ୍ କିଣିପାରିବେ ନାହିଁ। ଖୁବ୍‌ଶୀଘ୍ର ଖୋଲାରେ ସିଗାରେଟ୍ ବିକ୍ରି ଉପରେ ବ୍ୟାନ୍‌ ଲଗାଇପାରନ୍ତି କେନ୍ଦ୍ର ସରକାର। ତମ୍ବାକୁ ସାମଗ୍ରୀର ବ୍ୟବହାରକୁ ରୋକିବା ପାଇଁ ସିଙ୍ଗଲ ସିଗାରେଟ୍ ବିକ୍ରି ଉପରେ ରୋକ୍ ଲଗାଇବାକୁ ସଂସଦର ସ୍ଥାୟୀ କମିଟି ସୁପାରିଶ କରିଛି।

ଏନେଇ କମିଟି ତର୍କ ରଖିଛି ଯେ ତମ୍ବାକୁ ନିୟନ୍ତ୍ରଣ ଅଭିଯାନରେ ଖୋଲା ସିଗାରେଟ୍ ବିକ୍ରି ବାଧକ ସାଜିଛି। ତେଣୁ ଏହାକୁ ବ୍ୟାନ୍ କରିବା ସହ ଦେଶରେ ସମସ୍ତ ବିମାନବନ୍ଦରରେ ସ୍ୱତନ୍ତ୍ର ସ୍ମୋକିଂ ଜୋନ୍(ସିଗାରେଟ ଟାଣିବା ସ୍ଥାନ) କରିବାକୁ ସୁପାରିଶ କରିଛି କମିଟି।

ଯଦି କେନ୍ଦ୍ର ସରକାର କମିଟିର ପ୍ରସ୍ତାବ ଉପରେ କାର୍ଯ୍ୟକରନ୍ତି ତେବେ ସଂସଦରେ ଖୋଲାରେ ସିଗାରେଟ୍ ବିକ୍ରି ଓ ଉତ୍ପାଦନ ଉପରେ ବ୍ୟାନ୍ ଲାଗିବ। ଏପରି ଏକ ସ୍ଥିତି ୩ ବର୍ଷ ତଳେ ଦେଖିବାକୁ ମିଳିଥିଲା। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟର ସୁପାରିଶ କ୍ରମେ ଦେଶରେ ଇ-ସିଗାରେଟର ବ୍ୟବହାର ଉପରେ ରୋକ ଲଗାଇ ଦିଆଯାଇଥିଲା।     

ସ୍ଥାୟୀ କମିଟିର ତର୍କ ଅନୁସାରେ ଜିଏସ୍‌ଟି ଲାଗୁ ହେବା ପରେ ବି ତମ୍ବାଖୁ ସାମଗ୍ରୀ ଉପରେ ଆଖିଦୃଶିଆ କର ବଢ଼ିଲା ନାହିଁ। ତମ୍ବାଖୁ ଓ ଆଲକହଲର  ବ୍ୟବହାର କର୍କଟ ରୋଗର ସଂଖ୍ୟା ବଢ଼ାଉଛି। ସଦ୍ୟତମ ଟ୍ୟାକ୍ସସ୍ଲାବ ଅନୁସାରେ, ବିଡି ଉପରେ ୨୨ ପ୍ରତିଶତ ଜିଏସ୍‌ଟି, ସିଗାରେଟ ଉପରେ ୫୩ ପ୍ରତିଶତ, ଓ ଧୂଆଁରହିତ ତମ୍ବାଖୁ ଉପରେ ୬୪ ପ୍ରତିଶତ ଜିଏସ୍‌ଟି ଲଗାଯାଇଛି। ଅନ୍ୟପଟେ ବିଶ୍ୱ ସ୍ୱାସ୍ଥ୍ୟସଂଗଠନ କିନ୍ତୁ ତମ୍ବାଖୁ ସାମଗ୍ରୀ ଉପରେ ଜିଏସ୍‌ଟିକୁ ୭୫ ପ୍ରତିଶତ ବଢ଼ାଇବାକୁ ସୁପାରିଶ କରିଛି।

ବିଭିନ୍ନ ରିପୋର୍ଟରୁ ମିଳିଥିବା ସୂଚନା ଅନୁସାରେ, ପ୍ରତ୍ୟେକ ବର୍ଷ ପାଖାପାଖି ୩.୫ ଲକ୍ଷ ଲୋକ ସିଗାରେଟ୍‌ ଟାଣିବା କାରଣରୁ ମୃତ୍ୟୁ ମୁଖରେ ପଡ଼ୁଛନ୍ତି। ସେହିପରି ନ୍ୟାସ୍‌ନାଲ କାଉନସିଲ ଅଫ୍ ଆପ୍ଲାଏଡ୍ ଇକୋନୋମିକ ରିସର୍ଚ କରିଥିବା ଗବେଷଣା ଅନୁସାରେ, ଧୂଆଁ ଟାଣୁଥିବା ୪୬ ପ୍ରତିଶତ ଲୋକ ନିରକ୍ଷର। ସେହିପରି ୧୬ ପ୍ରତିଶତ କଲେଜ ଛାତ୍ରଛାତ୍ରୀ ବୋଲି ଜଣାପଡ଼ିଛି।

ଅନ୍ୟପଟେ ଫାଉଣ୍ଡେସନ ଫର୍ ସ୍ମୋକି ଫ୍ରି-ୱାର୍ଲଡର ସର୍ଭେ ଅନୁସାରେ, ଭାରତରେ ପ୍ରତି ବର୍ଷ ପାଖାପାଖି ୬.୬ କୋଟି ଲୋକ ସିଗାରେଟ ଟାଣୁଛନ୍ତି। ସେହିପରି ୨୬ କୋଟିରୁ ଅଧିକ ଲୋକ ଅନ୍ୟାନ୍ୟ ତମ୍ବାଖୁ ସାମଗ୍ରୀର ବ୍ୟବହାର କରୁଛନ୍ତି। ଏଥିପାଇଁ ଭାରତରେ ପାଖାପାଖି ୨୧ ପ୍ରତିଶତ ଲୋକେ କର୍କଟ ରୋଗର ଶିକାର ହେଉଛନ୍ତି।   

ସୂଚନା ଥାଉକି ଭାରତରେ ସର୍ବସାଧାରଣ ସ୍ଥାନରେ ସିଗାରେଟ୍ ଟାଣିବା ପୂର୍ବରୁ ବ୍ୟାନ୍ କରାଯାଇଛି। ନିୟମ ଭାଙ୍ଗିଲେ ୨୦୦ ଟଙ୍କା ଫାଇନ୍ ମଧ୍ୟ ରଖାଯାଇଛି। ତା ସହିତ ସରକାର ତମ୍ବାଖୁ ସାମଗ୍ରୀର ବିଜ୍ଞାପନ ମଧ୍ୟ ବ୍ୟାନ୍ କରିଛନ୍ତି।  

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.