ରାଜନୀତିକୁ ଆସିବେ ସୋନୁ ସୁଦଙ୍କ ଭଉଣୀ, ପଞ୍ଜାବ ବିଧାନସଭା ନିର୍ବାଚନରେ ହେବେ ପ୍ରାର୍ଥୀ !

Published By : Prameya-News7 Bureau | November 14, 2021 IST

ନୂଆଦିଲ୍ଲୀ, ୧୪/୧୧:  ଆସନ୍ତା ବର୍ଷ ହେବାକୁ ଥିବା ପଞ୍ଜାବ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ସୋନୁ ସୁଦଙ୍କ ଭଉଣୀ । ସୋନୁ ସୁଦ ନିଜେ ଏନେଇ ଘୋଷଣା କରିଛନ୍ତି । ଭଉଣୀ ମାଲବିକା କେଉଁ ଦଳରୁ ନିର୍ବାଚନ ଲଢିବେ ତାହା ଏବେସୁଦ୍ଧା ସ୍ପଷ୍ଟ ହୋଇନାହିଁ । କରୋନା ସମୟରେ ନିଜ ମହତ କାର୍ଯ୍ୟକ୍ରମ ପାଇଁ ପ୍ରଶଂସା ସାଉଣ୍ଟିଥିବା ସୋନୁ ଚଣ୍ଡିଗଡଠୁ ୧୭୦ କିମି ଦୂରରେ ମୋଗାରେ ଏକ ସାମ୍ବାଦିକ ସମ୍ମିଳନୀ କରି ଏନେଇ ସୂଚନା ଦେଇଛନ୍ତି ।

ମାଲବିକା କେଉଁ ଦଳରୁ ନିର୍ବାଚନ ଲଢିବେ ତାହା ସ୍ପଷ୍ଟ ହୋଇନାହିଁ । ନିକଟରେ ସୋନୁ ପଞ୍ଜାବର ମୁଖ୍ୟମନ୍ତ୍ରୀ ଚରଣଜୀତ ସିଂ ଚନ୍ନୀଙ୍କୁ ଭେଟିଥିଲେ । ଏହାପୂର୍ବରୁ ସେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କୁ ଭେଟିଥିଲେ  । କେଜ୍ରିଓ୍ୱାଲ ସୋନୁଙ୍କୁ ଏକ କାର୍ଯ୍ୟକ୍ରମ 'ଦେଶ କା ମେଣ୍ଟର୍ସ'ର ବ୍ରାଣ୍ଡ ଆମ୍ବାସଡର କରିଥିଲେ ।

କେଜ୍ରିଓ୍ୱାଲଙ୍କ ସହ ସାକ୍ଷାତ ପରେ ଦେଶର ରାଜନୀତି ଚର୍ଚ୍ଚାରେ ରହିଥିଲା । ସୋନୁ ଆମ ଆଦମୀ ପାର୍ଟିରେ ଯୋଗ ଦେବେ ବୋଲି ଚର୍ଚ୍ଚା ହେଉଥିଲା । ଏପରିକି ସେ ପଞ୍ଜାବ ବିଧାନସଭା ନିର୍ବାଚନରେ ଆପ୍ ରୁ ଲଢିବେ ବୋଲି କେହି କେହି କହୁଥିଲେ । ତେବେ ଚର୍ଚ୍ଚା ଉପରେ ସେ ପୂର୍ଣ୍ଣଚ୍ଛେଦ ଲଗାଇ କେଜ୍ରିଓ୍ୱାଲଙ୍କ ସହ କୌଣସି ରାଜନୀତିକ ଚର୍ଚ୍ଚା ହୋଇନଥିବା କହିଥିଲେ ।

ସୂଚନାଯୋଗ୍ୟ, କରୋନା ଜନିତ ଲକଡାଉନରେ ସୋନୁ ସୁଦ ହଜାର ହଜାର ଲୋକଙ୍କୁ ସାହାଯ୍ୟ କରିଥିଲେ । ତେଣୁ ତାଙ୍କୁ ଗରିବମାନେ ଭଗବାନ ବୋଲି ମାନୁଥିଲେ । ସେ ପ୍ରବାସୀଙ୍କୁ ଘରକୁ ଫେରାଇ ଆଣିବାଠୁ ଆରମ୍ଭ କରି ଟ୍ରେନ୍, ବିମାନ ଟିକେଟ୍ ମଧ୍ୟ ଯୋଗାଇ ଦେଉଥିଲେ । ଆହୁରି ମଧ୍ୟ ଅନେକ ରୋଗୀଙ୍କ ପାଇଁ ସେ ଅକ୍ସିଜେନ୍ ସିଲିଣ୍ଡର ଆୟୋଜନ ମଧ୍ୟ କରିଥିଲେ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.