ମୋତେ ଦୁଇ ଥର ରାଜ୍ୟସଭା ସାଂସଦ ଓ ଉପମୁଖ୍ୟମନ୍ତ୍ରୀ ପଦ ପାଇଁ ଅଫର ମିଳିଥିଲା: ସୋନୁ ସୁଦ
15/03/2023 at 6:23 PM

ମୁମ୍ବାଇ: ରାଜନୀତିରେ ପ୍ରବେଶ କରିବା ନେଇ ଆଶ୍ଚର୍ଯ୍ୟକର ଖୁଲାସା କଲେ ବଲିଉଡ୍ ଅଭିନେତା ସୋନୁ ସୁଦ। ପୂର୍ବରୁ ତାଙ୍କୁ ଦୁଇ ଥର ରାଜ୍ୟସଭା ପାଇଁ ଅଫର୍ ମିଳିଛି। ଏମିତି କି ମୁପମୁଖ୍ୟମନ୍ତ୍ରୀ ପଦ ପାଇଁ ବି ତାଙ୍କୁ ଅଫର ଦିଆଯାଇଛି। ହେଲେ ସେ ମନା କରିଛନ୍ତି ବୋଲି ସୋନୁ ଖୁଲାସା କରିଛନ୍ତି।
କରୋନା ସମୟରେ ସୋନୁ ଲୋକଙ୍କ ପାଇଁ ଦେବଦୂତ ସାଜି ଅନେକ ସାହାଯ୍ୟ ସହଯୋଗ କରିଥିଲେ। ଫସିଥିବା ଲୋକଙ୍କୁ ଉଦ୍ଧାର କରି ଘରେ ପହଞ୍ଚାଇବା। ଭୋକିଲାଙ୍କ ପାଖରେ ଖାଦ୍ୟ ଓ ବସ୍ତ୍ର ପହଞ୍ଚାଇବା ଭଳି କାମ କରି ଲୋକଙ୍କ ପାଇଁ ସାଜିଥିଲେ ଆଦର୍ଶ। ଏହାପରେ ତାଙ୍କର ରାଜନୀତିରେ ପ୍ରବେଶ ନେଇ ଚର୍ଚ୍ଚା ଜୋର ଧରିଥିଲା। ଏହାରି ଭିତରେ ତାଙ୍କ ଭଉଣୀ କଂଗ୍ରସରୁ ନିର୍ବାଚନ ମଧ୍ୟ ଲଢ଼ିଥିଲେ। ସୋନୁ ଭଉଣୀଙ୍କ ପାଇଁ ନିର୍ବାଚନ ପ୍ରଚାର କରିଥିଲେ ବି ନିଜେ ରାଜନୀତିକୁ ଓହ୍ଲାଇ ନଥିଲେ।
ସକ୍ରିୟ ରାଜନୀତିରେ ତାଙ୍କର ପ୍ରବେଶ ନେଇ ଅନେକ ସମୟରେ ଉଠୁଥିବା ପ୍ରଶ୍ନର ଉତ୍ତର ଦେଇଛନ୍ତି ସୋନୁ। ଏନେଇ ସେ ଆଶ୍ଚର୍ଯ୍ୟକର ଖୁଲାସା କରିଛନ୍ତି। ଖବର ସରବରାହ ସଂସ୍ଥା ଏଏନ୍ଆଇର ଅଡିଓ ପୋଡକାଷ୍ଟରେ ଏକ ସାକ୍ଷାତ୍କାର୍ରେ ତାଙ୍କୁ ରାଜନୀତିରେ ପ୍ରବେଶ ନେଇ ପ୍ରଶ୍ନ କରାଯାଇଥିଲା। ତା’ର ଉତ୍ତର ଦେଇ ସୋନ ଗୁରୁତ୍ୱପୂର୍ଣ୍ଣ ଖୁଲାସା କରିଥିଲେ।
ସୋନୁ କହିଥିଲେ “ ରାଜନୀତିର କଥା କହିଲେ ମୋତେ ପୂର୍ବରୁ ଦୁଇଥର ରାଜ୍ୟସଭା ସାଂସଦ ହେବାକୁ ଅଫର ମିଳି ସାରିଛି। କିନ୍ତୁ ମୁଁ ଗ୍ରହଣ କରି ନାହିଁ। ଏମିତିକି ଉପମୁଖ୍ୟମନ୍ତ୍ରୀ ପଦ ପାଇଁ ବି ମୋତେ ଅଫର ଦିଆଯାଇଥିଲା।”
ସୋନୁ ଆହୁରି କହିଛନ୍ତି “ ମୋତେ ବହୁତ କିଛି ଅଫର କରାଯାଇଛି। ହେଲେ ଏସବୁ ମୋତେ ଆକୃଷ୍ଟ କରି ନାହିଁ। ମୁଁ ନିଜେ ମୋ ନିୟମ ବନାଇବାକୁ ଚାହୁଁଛି। କାରଣ କାହା ଦ୍ୱାରା ବନାଯାଇଥିବା ରାସ୍ତାରେ ମୁଁ ଚାଲିବାକୁ ଚାହୁଁନି।”
ସେହିପରି ସଲମାନଙ୍କ ଫିଲ୍ମ ଦବଙ୍ଗକୁ ପ୍ରଥମେ ରିଜେକ୍ଟ କରିଦେଇଥିବା କଥା କହିଥିଲେ ସୋନୁ। କାରଣ ଫିଲ୍ମରେ ତାଙ୍କ ଚରିତ୍ର ଗର୍ବୀ ଭାବରେ ଚିତ୍ରଣ କରାଯାଇଥିଲା। ହେଲେ ଏହି ଚରିତ୍ରକୁ ସେ କମେଡି କରିଦେଇଥିଲେ ବୋଲି ସୋନୁ କହିଛନ୍ତି।