କଥା ଦେଇ କଥା ରଖିଲେ: ସ୍କୁଲ ଯିବା ପାଇଁ ଗାଁର ଆଦିବାସୀ ଛାତ୍ରୀଙ୍କ ପାଇଁ ସାଇକେଲ୍ ପଠାଇଲେ ସୋନୁ ସୁଦ୍
3/11/2020 at 12:18 PM

ମୁମ୍ବାଇ ୦୩/୧୧ : ବଲିଉଡ ଅଭିନେତା ସୋନୁ ସୁଦ୍ ଲକଡାଉନ୍ ସମୟରୁ ଲୋକଙ୍କୁ ସାହାଯ୍ୟ କରିବାକୁ ନେଇ ସବୁବେଳେ ଚର୍ଚ୍ଚାରେ। ସୋନୁ ସୁଦ ସୋସିଆଲ ମିଡ଼ିଆରେ ବହୁତ ଆକ୍ଟିଭ୍ ରୁହନ୍ତି। ତାଙ୍କୁ ଯିଏ ସାହାଯ୍ୟ ମାଗେ ସେ ତାଙ୍କୁ ଜବାବ ମଧ୍ୟ ଦିଅନ୍ତି। ନିକଟରେ ସୋନୁ ସୁଦ୍ ଆଦିବାସୀ ସମ୍ପ୍ରଦାୟର ଛାତ୍ରୀମାନଙ୍କୁ ସାଇକେଲ୍ ଦେବେ ବୋଲି ଘୋଷଣା କରିଥିଲେ। ଏହି ଛାତ୍ରୀମାନେ ଜଙ୍ଗଲ ରାସ୍ତା ଦେଇ ପଢିବାକୁ ଯାଆନ୍ତି ବୋଲି ତାଙ୍କ ପରିବାର ଲୋକ ଛାତ୍ରୀଙ୍କୁ ସ୍କୁଲ ଛାଡିବାକୁ ରାଜି ହୁଅନ୍ତିନି। ଛାତ୍ରୀଙ୍କ ଭବିଷ୍ୟତ ଗଥିବାକୁ ପାଠ ପଢିବା ନିହାତି ଆବଶ୍ୟକ ବୋଲି ସୋନୁ ଏହି ଗାଁର ସମସ୍ତ ଛାତ୍ରୀଙ୍କୁ ସାଇକେଲ୍ ଯୋଗେଇଦେବେ ବୋଲି ଘୋଷଣା କରିଥିଲେ। ସୋନୁ କଥା ଦେଇ ନିଜ କଥା ରଖିଛନ୍ତି। ଗାଁର ପ୍ରତ୍ୟେକ ଛାତ୍ରୀ ପାଇଁ ସେ ସାଇକେଲ୍ ପଠେଇଛି। ସୋସିଆଲ୍ ମିଡ଼ିଆରେ ଫଟୋ ସେୟାର କରି ଛାତ୍ରୀମାନେ ସୋନୁ ସୁଦଙ୍କୁ ଧନ୍ୟବାଦ ଜଣାଇଛନ୍ତି ଏବଂ ତାଙ୍କୁ ନିଜର ଭଗବାନ ବୋଲି କହିଛନ୍ତି।
ଉତ୍ତର ପ୍ରଦେଶ ସୋନଭଦ୍ରା ନିକଟସ୍ଥ ମିର୍ଜାପୁରର ବହରି ଗାଁର ସନ୍ତୋଷ ଚୌହାନ ନାମକ ଜଣେ ବ୍ୟକ୍ତି ଟ୍ୱିଟର ଜରିଆରେ ସୋନୁଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସୋନୁ ନିଜେ ଟ୍ୱିଟ୍ କରି କହିଛନ୍ତି। କିଛି ଦିନ ପୂର୍ବରୁ ସନ୍ତୋଷ ଚୌହାନ କହିଥିଲେ ଯେ ଗାଁର ୩୫ ଛାତ୍ରୀଙ୍କୁ ପଢିବା ପାଇଁ ୮ରୁ ୧୫ କିମି ଜଙ୍ଗଲ ରାସ୍ତା ଦେଇ ଯିବାକୁ ପଡିଥାଏ। କିଛି ଛାତ୍ରୀଙ୍କ ପାଖରେ ସାଇକେଲ୍ ଅଛି। ସେହି ଅଞ୍ଚଳ ନକ୍ସଲ୍ ପ୍ରଭାବିତ। ସେଥିପାଇଁ ଭୟରେ ଘରଲୋକ ନିଜ ଝିଅଙ୍କୁ ପଢିବାକୁ ଛାଡ଼ୁନାହାନ୍ତି। ସେଥିପାଇଁ ସେ ଏହି ଛାତ୍ରୀଙ୍କ ପାଇଁ ସାଇକେଲ୍ ବ୍ୟବସ୍ଥା କରିବାକୁ କହିଥିଲେ। ସାଇକେଲ ହେଲେ ଏହି ଛାତ୍ରୀମାନେ ପଢିପାରିବେ ଓ ନିଜ ଭବିଷ୍ୟତ ଗଢ଼ିପାରିବେ ବୋଲି ସେ କହିଥିଲେ। ସନ୍ତୋଷଙ୍କ ଟ୍ୱିଟ ପରେ ସୋନୁ ଜବାବ ଦେଇଥିଲେ ଯେ ଗାଁରେ ସାଇକେଲ ପହଞ୍ଚିଯିବ। ଗାଁର ପ୍ରତ୍ୟେକ ଝିଅ ପାଖରେ ସାଇକେଲ୍ ପହଞ୍ଚିଯିବ ଓ ପ୍ରତ୍ୟେକ ଝିଅ ପାଠ ପଢିବ। ଖୁବ ଶୀଘ୍ର ସେ ପ୍ରତିଶୃତି ରକ୍ଷା କରିଛନ୍ତି ଓ ଛାତ୍ରୀମାନଙ୍କ ପାଇଁ ସାଇକେଲ ପଠାଇଛନ୍ତି।