ସଂସଦ ଭବନରେ ଦେଖିବାକୁ ମିଳିଲା ରୋଚକ ଦୃଶ୍ୟ, ସିନ୍ଧିଆଙ୍କୁ ନିଜ କଡ ଆସନରେ ବସାଇଲେ ସୋନିଆ ଗାନ୍ଧି
19/09/2023 at 8:02 PM

ନୂଆଦିଲ୍ଲୀ ୧୯।୯: ଦେଶକୁ ନୂଆ ସଂସଦ ଭବନ ମିଳିଛି। ଗଣେଶ ଚତୁର୍ଥୀର ଶୁଭ ଅବସରରେ ନୂଆ ସଂସଦ ଭବନରେ ବିଶେଷ ଅଧିବେଶନର ଦ୍ୱିତୀୟ ଦିବସ ଅନୁଷ୍ଠିତ ହୋଇଛି। ଏହା ପୂର୍ବରୁ ସୋମବାର ପୁରୁଣା ସଂସଦ ଭବନରେ ବିଶେଷ ଅଧିବେଶନ ଆରମ୍ଭ ହୋଇଥିଲା। ଏହି ସମୟର ଅନେକ ଛବି ଏବେ ସାମ୍ନାକୁ ଆସୁଛି। ହେଲେ ଗୋଟିଏ ଛବି ଉପରେ ସମସ୍ତଙ୍କର ନଜର ଏବେ ଅଟକି ଯାଉଛି। ଏହି ଛବିଟି ହେଉଛି କଂଗ୍ରେସ ସଂସଦୀୟ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ କଡରେ ବସିଥିବା କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ।
ଉଲ୍ଲେଖଯୋଗ୍ୟ ଯେ ଲୋକସଭା ଓ ରାଜ୍ୟସଭା ଶେଷ ବୈଠକ ସହିତ ପୁରୁଣା ସଂସଦ ଭବନରୁ ଔପଚାରିକ କାର୍ଯ୍ୟକ୍ରମ ସମାପ୍ତ କରିବା ପାଇଁ ଏକ ଉତ୍ସବର ଆୟୋଜନ କରାଯାଇଥିଲା। ଏହି ସମୟରେ ପୂରୁଣା ସଂସଦ ଭବନର ସେଣ୍ଟ୍ରାଲ ହଲରେ ସବୁ ସାଂସଦ ଉପସ୍ଥିତ ଥିଲେ। ଏହି ସମୟରେ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା ଓ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଏକାଠି ବସିଥିବାର ଦେଖାଯାଇଥିଲା। ସଂସଦ ଭବନ ସେଣ୍ଟ୍ରାଲ ହଲରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ସିନ୍ଧିଆ ଆଗ ଧାଡି ଆଡକୁ ଆସିଥିଲେ ଓ ଏଠାରେ ପୂର୍ବରୁ ବସିଥିବା ସୋନିଆ ଗାନ୍ଧିଙ୍କୁ ଅଭିବାଦନ ଜଣାଇଥିଲେ।

ସିନ୍ଧିଆ କିଛି ସମୟ ପର୍ଯ୍ୟନ୍ତ ସେଠାରେ ଛିଡା ହୋଇ କଂଗ୍ରେସର ଲୋକସଭା ବିଧାୟକ ଦଳ ନେତା ଅଧିର ରଞ୍ଜନ ଚୌଧୁରୀ ଓ ମଲ୍ଲିକାର୍ଜୁନ ଖଡଗେଙ୍କ ସହିତ କଥାବାର୍ତ୍ତା ହୋଇଥିଲେ। କିଛି ସମୟ ପରେ ସିନ୍ଧିଆ ଦ୍ୱିତୀୟ ଧାଡିର ଆଗ ଆସନରେ ବସିଯାଇଥିଲେ। ତେବେ କାର୍ଯ୍ୟକ୍ରମ ଆରମ୍ଭ ହେବା ପୂର୍ବରୁ ସୋନିଆଙ୍କ ସହ ବସିଥିବା ଚୌଧୁରୀ ଓ ଖଡଗେ ମଞ୍ଚ ଉପରକୁ ଉଠି ଯାଇଥିଲେ ଏହା ସହ ସିନ୍ଧିଆ ବସିଥିବା ଆସନରୁ ଉଠି ସୋନିଆଙ୍କ କଡ ଆସନରେ ଆସି ବସି ଯାଇଥିଲେ। ଏଥିରେ ସୋନିଆ ବସିଥିବା ଆସନରେ ଟିକେ ଉଠି ଯାଇଥିଲେ ଓ ସିନ୍ଧିଆଙ୍କ ବସିବା ଲାଗି ସ୍ଥାନ କରିଦେଇଥିଲେ। ଏହା ପରେ କାର୍ଯ୍ୟକ୍ରମ ଶେଷ ହେବା ପର୍ଯ୍ୟନ୍ତ ସିନ୍ଧିଆଙ୍କୁ ସୋନିଆଙ୍କ କଡ ଆସନରେ ବସି ରହିଥିଲେ।
ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ରାଜଧାନୀ ଦିଲ୍ଲୀରେ ଦେଖାଯାଇଥିବା ଏହି ଛବି ରାଜନୈତିକ ଅଳିନ୍ଦରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଉଲ୍ଲେଖଯୋଗ୍ୟ ଯେ ଗ୍ୱାଲିୟର ରାଜ ପରିବାରର ଦାୟାଦ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ରାଜନୈତିକ କ୍ୟାରିୟରର ଶୁଭାରମ୍ଭ କଂଗ୍ରେସ ପାର୍ଟିରୁ ହୋଇଥିଲା। ୟୁପିଏ ସରକାରରେ କେନ୍ଦ୍ରମନ୍ତ୍ରୀ ଥିବା ସିନ୍ଧିଆ ୨୦୧୯ ଲୋକସଭା ନିର୍ବାଚନରେ ତାଙ୍କର ଗୁଣା-ଶିବପୁରୀ ସଂସଦୀୟ କ୍ଷେତ୍ରରୁ ନିର୍ବାଚନ ହାରି ଯାଇଥିଲେ। ତେବେ ମଧ୍ୟପ୍ରଦେଶରେ ବିଜେପିକୁ ହରାଇ କଂଗ୍ରେସ ସରକାର ଗଠନ କରିଥିଲା। ତେବେ କମଲନାଥଙ୍କ ନେତୃତ୍ୱରେ ଚାଲିଥିବା ସରକାରରେ ସିନ୍ଧିଆ ନିଜକୁ ଉପେକ୍ଷିତ ଅନୁଭବ କରୁଥିଲେ। ଖାସ ଏହି କାରଣରୁ ସିନ୍ଧିଆ ମାର୍ଚ୍ଚ ୨୦୨୦ରେ ଦଳରେ ବିଦ୍ରୋହ କରି ବିଜେପିକୁ ଚାଲି ଯାଇଥିଲେ।
ନୂଆ ସଂସଦ ଭବନର ଶ୍ରୀଗଣେଶ; ସେଣ୍ଟ୍ରାଲ ହଲ୍ ସାମ୍ନାରେ ସାଂସଦଙ୍କ ଫଟୋ ସେସନ୍