ମୋଦି ସରକାର ବିରୁଦ୍ଧରେ ଏକାଠି ହେଲେ ୧୯ଟି ଦଳ : ସୋନିଆ କହିଲେ, ‘୨୦୨୪ ନିର୍ବାଚନରେ କ୍ଷମତାରୁ ହଟିବ ବିଜେପି, ବ୍ୟବସ୍ଥିତ ଭାବେ ପ୍ରସ୍ତୁତ ହେବ ରଣନୀତି’

Published By : Prameya-News7 Bureau | August 20, 2021 IST

ନୂଆଦିଲ୍ଲୀ ୨୦/୦୮ : କେନ୍ଦ୍ରର ମୋଦି ସରକାରକୁ ଚେକ୍‌ ଦେବାକୁ ଏକାଠି ହୋଇଛନ୍ତି ବିରୋଧୀ । ଆସନ୍ତା ବର୍ଷ ହେବାକୁ ଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଏବଂ ୨୦୨୪ ସାଧାରଣ ନିର୍ବାଚନରେ ବିଜେପିକୁ କ୍ଷମତାରୁ ହଟାଇବା ପାଇଁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନେତୃତ୍ବରେ ଏକାଠି ହୋଇଛନ୍ତି ୧୯ଟି ଦଳ । ଶୁକ୍ରବାର ବିରୋଧୀ ଦଳମାନଙ୍କୁ ନେଇ ଅନୁଷ୍ଠିତ ବୈଠକରେ ଆହ୍ବାନ ଦେଇ କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ କହିଛନ୍ତି, ସଂସଦ ଭିତରେରେ ବିରୋଧୀ ଏକତାର ଭରସା ଏବଂ ବାହାରେ ବଡ ରାଜନୈତିକ ଲଢେଇ ଲଢିବାକୁ ହେବ ।

ସୋନିଆ ଗାନ୍ଧୀ କହିଛନ୍ତି, ‘୨୦୨୪ ଲୋକସଭା ନିର୍ବାଚନ ହେବାକୁ ଯାଉଛି ଏଥିପାଇଁ ବ୍ୟବସ୍ଥିତ ଢଙ୍ଗରେ ଯୋଜନା ପ୍ରସ୍ତୁତ କରିବାକୁ ହେବ । ଏହା ନିଶ୍ଚୟ ଭାବେ ଚ୍ୟାଲେଞ୍ଜିଂ ହେବ କିନ୍ତୁ ଆମେ ସମସ୍ତେ ମିଶି ଏହା କରିପାରିବା କାରଣ ଏହାର ଆଉ କୌଣସି ବିକଳ୍ପ ନାହିଁ । ଦେଶର ହୀତ ପାଇଁ ଏହା କରିବା ନିହାତି ଆବଶ୍ୟକ । ସଂସଦର ଆସନ୍ତା ଅଧିବେଶନରେ ସମସ୍ତ ବିରୋଧୀମାନଙ୍କୁ ଏକାଠୀ ହୋଇ କାମ କରିବାକୁ ହେବ । ଏହା ସହିତ ବଡ ଧରଣର ରାଜନୈତିକ ଲଢେଇ ସଂସଦ ବାହାରେ କରିବାକୁ ହେବ । ବର୍ତ୍ତମାନ ବିରୋଧୀ ଦଳମାନଙ୍କର ଏକଜୁଟ୍‌ ଚାହୁଁଛି ଦେଶ ଏବଂ କଂଗ୍ରେସ ଏହାକୁ କରିଦେଖାଇବ ।

ବୈଠକରେ ଉପସ୍ଥିତ ଏନ୍‌ସିପି ମୁଖ୍ୟ ଶରଦ ପାଓ୍ବାର ଟ୍ବିଟ୍‌ କରି କହିଛନ୍ତି, ‘ସୋନିଆ ଗାନ୍ଧୀଙ୍କ ନେତୃତ୍ବରେ ଆଜି ବିରୋଧୀ ଦଳ ବୈଠକ ସମ୍ପନ୍ନ ହୋଇଛି । ଭର୍ଚୁଆଲ ଭାବେ ହୋଇଥିବା ବୈଠକରେ ସମସ୍ତ ଦଳ ଏକାଠି ହୋଇ ନିଜର ଆଭିମୁଖ୍ୟ ବିଷୟରେ କହିଛନ୍ତି । ବର୍ତ୍ତମାନ କେନ୍ଦ୍ର ସରକାର ସମସ୍ତ ମୁଦ୍ଦାକୁ ଲୋକତାନ୍ତ୍ରିକ କରିବାରେ ବିଫଳ ହୋଇଛନ୍ତି ଯିଏକି ଲୋକତନ୍ତ୍ର ଏବଂ ଧର୍ମନିରପେକ୍ଷତାରେ ବିଶ୍ବାସ କରେ । ଯେଉଁମାନେ ଦେଶର ଲୋକତନ୍ତ୍ରକୁ ବଞ୍ଚାଇ ରଖିବାକୁ ଚାହୁଁଛନ୍ତି ସେମାନେ ଏକାଠି ହୁଅନ୍ତୁ ।’

ସୋନିଆ ଗାନ୍ଧୀଙ୍କ ନେତୃତ୍ବରେ ବିରୋଧୀ ଦଳ ବୈଠକରେ ୧୯ଟି ଦଳ ଉପସ୍ଥିତ ଥିଲେ । ଯେଉଁମାନେ ଉପସ୍ଥିତ ଥିଲେ ସେମାନେ ହେଉଛନ୍ତି, କଂଗ୍ରେସ, ଟିଏମ୍‌ସି, ଏନ୍‌ସପି, ଶିବସେନା, ଡିଏମ୍‌କେ. ଜେଏମ୍‌ଏମ୍‌. ସିପିଆଇ, ସିପିଏମ୍‌, ନେସନାଲ କନଫରେନ୍ସ, ଆରଜେଡି, ଏଆଇୟୁଡିଏଫ୍‌, ବିସିକେ, ଲୋକତାନ୍ତ୍ରିକ ଜନତା ଦଳ, ଜେଡିଏସ୍‌, ଆର୍‌ଏଲ୍‌ଡି, କେରଳ କଂଗ୍ରେସ ମଣି, ଆଏସପି, ପିଡିପି ଏବଂ ଆଇୟୁଏମ୍‌ଏଲ୍‌ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.