ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଲେ ଏଆଇସିସି ଅଧ୍ୟକ୍ଷା ସୋନିଆ ଗାନ୍ଧି
23/08/2022 at 2:29 PM

ନୂଆଦିଲ୍ଲୀ ୨୩।୮: ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି) ସଭାପତି ସୋନିଆ ଗାନ୍ଧି ମଙ୍ଗଳବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଛନ୍ତି। ରାଷ୍ଟ୍ରପତିଙ୍କ ସହ ସୋନିଆଙ୍କ ଏହି ସାକ୍ଷାତ ଆଲୋଚନାକୁ କଂଗ୍ରେସ ଏକ ଶିଷ୍ଟାଚାର ଏବଂ ଔପଚାରିକ ସାକ୍ଷାତ ଆଲୋଚନା ବୋଲି କହିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରତି କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀଙ୍କ ବିବାଦୀୟ ଟିପଣୀ ଓ ଏହାକୁ ନେଇ ରାଜନୈତିକ ଆରୋପ ଓ ପ୍ରତ୍ୟାରୋପ ପରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧି ରାଷ୍ଟ୍ରପତିଙ୍କୁ ଭେଟିଛନ୍ତି।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜୁଲାଇ ୨୫ ତାରିଖ ଦିନ ଦେଶର ୧୫ତମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଥିଲେ। ଦେଶର ଶୀର୍ଷ ସାମ୍ବିଧାନିକ ପଦରେ ଅଧିଷ୍ଠିତ ହେବାରେ ମୁର୍ମୁ ସର୍ବ କନିଷ୍ଠ ତଥା ପ୍ରଥମ ଆଦିବାସୀ ଓ ମହିଳା। ସେ ଏପରି ଜଣେ ରାଷ୍ଟ୍ରପତି ଯିଏ ଦେଶ ସ୍ୱାଧୀନ ହେବା ପରେ ଜନ୍ମ ହୋଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ କଂଗ୍ରେସର ଲୋକସଭା ନେତା ଅଧିର ରଞ୍ଜନ ଚୌଧୁରୀ ରାଷ୍ଟ୍ରପତିଙ୍କ ସମ୍ପର୍କରେ ଦେଇଥିବା ମନ୍ତବ୍ୟକୁ ନେଇ ଜୋରଦାର ବିବାଦ ହୋଇଥିଲା। ତେବେ ଏଥି ପାଇଁ ଶାସକ ଦଳଙ୍କ କ୍ଷମାଭିକ୍ଷା ଦାବିରେ ଚୌଧୁରୀ ରାଷ୍ଟ୍ରପତିଙ୍କୁ କ୍ଷମା ଯାଚନା କରିବେ କିନ୍ତୁ ଶାସକ ଦଳଙ୍କ ଦାବିରେ ନୁହେଁ ବୋଲି କହିଥିଲେ।
ଏହି ଘଟଣାରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ କଂଗ୍ରେସକୁ ଆଦିବାସୀ ବିରୋଧୀ,ମହିଳା ବିରୋଧୀ ଓ ଗରିବ ବିରୋଧୀ ବୋଲି କହିଥିଲେ। ଏହି ମାମଲାରେ ସେ ସୋନିଆ ଗାନ୍ଧି କ୍ଷମାଯାଚନା କରନ୍ତୁ ବୋଲି ଦାବି କରିଥିଲେ। ଏହାକୁ ନେଇ ଲୋକସଭାରେ ସୋନିଆ ଓ ସ୍ମୃତି ଇରାନୀଙ୍କ ମଧ୍ୟରେ ଉତ୍ତେଜନା ଦେଖା ଯାଇଥିଲା।