ଏକଜିଟ୍ ପୋଲ୍ରୁ ବଢିଲା ଆଶା, ଆକ୍ସନ ମୋଡରେ କଂଗ୍ରେସ ହାଇକମାଣ୍ଡ, ଏହି ଦୁଇ ନେତାଙ୍କୁ ଦେଲେ ବଡ ଦାୟିତ୍ଵ
8/11/2020 at 10:53 AM

ନୂଆଦିଲ୍ଲୀ ୦୮।୧୧: ବିହାରରେ ମତଦାନ ପ୍ରକ୍ରିୟା ସଂପନ୍ନ ପରେ ଭୋଟ୍ ବାହୁଡା ବା ଏକଜିଟ୍ ପୋଲ୍ରେ ଆସିଥିବା ଫଳାଫଳ କଂଗ୍ରେସକୁ ଉତ୍ସାହିତ କରିଛି। ଏହି କାରଣରୁ ପାର୍ଟି ଆଗାମୀ ପ୍ରସ୍ତୁତିକୁ ନେଇ ମାନସ ମନ୍ଥନରେ ଜୁଟି ଯାଇଛି। ଏଥିସହ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ କଂଗ୍ରେସ ସାଧାରଣ ସଂପାଦକ ରଣଦୀପ ସୁରଜେଓ୍ଵାଲା ଏବଂ ଅବିନାଶ ପାଣ୍ଡେଙ୍କୁ ଗୁରୁତ୍ଵପୂର୍ଣ୍ଣ ଦାୟିତ୍ଵ ଦେଇଛନ୍ତି। ଦୁଇ ନେତାଙ୍କୁ ବିହାରର ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରାଯାଇଛି।
ବିହାର ବିଧାନସଭା ନିର୍ବାଚନର ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ ପରେ ସମସ୍ତଙ୍କ ନଜର ଏବେ ନଭେମ୍ବର ୧୦ରେ ପ୍ରକାଶିତ ହେବାକୁ ଥିବା ଫଳାଫଳ ଉପରେ ରହିଛି। ଏହା ମଧ୍ୟରେ ସମସ୍ତ ପ୍ରମୁଖ ରାଜନୈତିକ ଦଳ ଆଗାମୀ ରଣନୀତି ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ବିଶେଷ କରି କଂଗ୍ରେସ ହାଇକମାଣ୍ଡ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି କ୍ରମେ ପାର୍ଟିର ସାଧାରଣ ସଂପାଦକ ରଣଦୀପ ସିଂହ ସୁରଜେଓ୍ଵାଲା ଓ ଅବିନାଶ ପାଣ୍ଡେଙ୍କୁ ବିହାରର ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରିଛନ୍ତି। ଦୁଇ ନେତା ଆଜି ପାଟନା ପହଞ୍ଚୁଛନ୍ତି। ବିହାର ପରିଣାମ ପରର ସ୍ଥିତି ନେଇ କେନ୍ଦ୍ରୀୟ ନେତୃତ୍ଵଙ୍କ ସହ ଆଲୋଚନା କରିବେ ଏବଂ ପରିସ୍ଥିତି ଅନୁସାରେ ନିଷ୍ପତ୍ତି ନେବେ ଏହି ଦୁଇ ପର୍ଯ୍ୟବେକ୍ଷକ।
ବିହାର ନିର୍ବାଚନକୁ ନେଇ ଏ ପର୍ଯ୍ୟନ୍ତ ସାମ୍ନାକୁ ଆସିଥିବା ସମସ୍ତ ଏକଜିଟ୍ ପୋଲରେ ଆରଜେଡି ଓ କଂଗ୍ରେସ ମେଣ୍ଟକୁ ବହୁମତ ମିଳୁଥିବା ଅନୁମାନ କରାଯାଇଛି। ଟାଇମ୍ସ ନାଓ ସି-ଭୋଟର ଏନଡିଏକୁ ୧୧୬ ଏବଂ ମହାମେଣ୍ଟକୁ ୧୨୦ ସିଟ୍ ମିଳୁଥିବାର ସମ୍ଭାବନା ରହିଛି। ଟୁଡେ ଚାଣକ୍ୟର ଏକଜିଟ୍ ପୋଲ୍ ଅନୁଯାୟୀ ଏନଡିଏକୁ ୫୫ ଆସନ ଏବଂ ମହାମେଣ୍ଟକୁ ୧୮୦ରୁ ଅଧିକ ଆସନ ମିଳିବ ବୋଲି ପୂର୍ବାନୁମାନ କରିଛି। ରିପବ୍ଲିକ ଜନ କି ବାତ୍ ଏନଡିଏ ଖାତାକୁ ୯୧ରୁ ୧୧୭, ଏବିପି ସିଭୋଟର ୧୦୪ ରୁ ୧୨୮ ଓ ଟିଭି୯ ଭାରତ ବର୍ଷ ୧୧୦ରୁ ୧୨୦ ଆସନ ଯିବ ବୋଲି ଅନୁମାନ କରିଛି। ସବୁ ଏକଜିଟ୍ ପୋଲ୍ରେ ମହାମେଣ୍ଟ ଏନଡିଏଠୁ ଆଗରେ ରହିଛି।