ଅନ୍ଧବିଶ୍ୱାସର କରୁଣ ପରିଣତି, ବାସନ୍ଦ ଭୟରେ ନିଷ୍ଠୁର ହେଲେ ବାପା
16/02/2023 at 2:43 PM

ସୋନପୁର ୧୬।୦୨ : ଅନ୍ଧବିଶ୍ୱାସର କରୁଣ ପରିଣତି । ସାହି ପଡିଶାର ବାସନ୍ଦ ଧମକକୁ ଡରି ନିଷ୍ଠୁର ହେଲେ ବାପା । ଯେଉଁ ଝିଅକୁ କୋଳେଇ କାଖେଇ ବଡ଼ କରିଥିଲେ, ଶେଷରେ ତା’ର ମୃତଦେହକୁ ନେଇ ଜଙ୍ଗଲ ଭିତରେ ଫିଙ୍ଗି ଦେଲେ । ସୋନପୁର ଜିଲ୍ଲା ତରଭା ଅଞ୍ଚଳରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।

ଖବର ଅନୁଯାୟୀ, ସୋନପୁର ଜିଲ୍ଲା ତରଭା ଥାନା ବଡ଼ଜୋର ଗାଁର ରାଜେନ୍ଦ୍ର ଦୁଆରିଙ୍କ ଝିଅ ସଂଯୁକ୍ତା । ବୟସ ୨୯ ହେବ, ତାଙ୍କ ପାଟିରେ ଘାଆ ହୋଇଥିଲା । ପରିବାର ଲୋକେ ତାଙ୍କୁ ତରଭା ହସ୍ପିଟାଲରେ ଭର୍ତ୍ତି କରିଥିଲେ । ସେଠାରେ ଚିକିତ୍ସା ପରେ ମଧ୍ୟ ରୋଗ ଭଲ ହୋଇନଥିଲା । ବରଂ ପାଟିରେ ହୋଇଥିବା ଘାଆ ଧୀରେ ଧୀରେ ବଢ଼ିଥିଲା । ଡାକ୍ତରଙ୍କ ପରାମର୍ଶ କ୍ରମେ ସଂଯୁକ୍ତାଙ୍କୁ ବଲାଙ୍ଗିରର ଏକ ଘରୋଇ ହସ୍ପିଟାଲ୍କୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଚିକିତ୍ସା ପରେ ବି ଭଲ ହୋଇନଥିଲା । ପରେ ଝିଅକୁ ନେଇ ଘରକୁ ପଳାଇ ଆସିଥିଲେ ବାପା ରାଜେନ୍ଦ୍ର। ସଂଯୁକ୍ତାଙ୍କ ଯନ୍ତ୍ରଣା ଦେଖି ନିରୁପାୟ ହୋଇପଡ଼ିଥିଲେ ବାପା। କିଛି ଉପାୟ ନପାଇ ଧାର ଉଧାର କରି ୧୪ ତାରିଖରେ ଝିଅକୁ କଟକ ବଡ଼ ମେଡ଼ିକାଲ୍କୁ ସ୍ଥାନାନ୍ତରିତ କରିବା ପାଇଁ ବ୍ୟବସ୍ଥା କରୁଥିଲେ । ହେଲେ ତା’ପୂର୍ବରୁ ଆଖି ବୁଜିଦେଲେ ସଂଯୁକ୍ତା ।

ତେବେ ଝିଅ ମୃତ୍ୟୁ ପରେ ଗାଁରେ ଗୁଜବ ପ୍ରଚାର ହୋଇଗଲା । ବସନ୍ତ ରୋଗରେ ସଂଯୁକ୍ତାଙ୍କ ମୃତ୍ୟୁ ହୋଇଥିବା ପ୍ରଚାର ହୋଇଥିଲା । ମୃତଦେହ ଶତ୍କାର ଲାଗି କେହି ଆସିଲେନି। ଯେତେ ଗୁହାରି କଲେ ମଧ୍ୟ କେହି ଶୁଣିଲେ ନାହିଁ ବରଂ ମିଳିଥିଲା ବାସନ୍ଦର ଧମକ । ଝିଅର ମୃତଦେହକୁ ବାହାରେ ଫିଙ୍ଗିବା ପାଇଁ ଗାଁ ଲୋକେ କହିଥିଲେ । ଯାହାକୁ ନେଇ ଅଡୁଆରେ ପଡ଼ିଥିଲେ ରାଜେନ୍ଦ୍ର । ଗାଁ ଲୋକଙ୍କ ଭୟ ଆଗରେ ନିଷ୍ଠୁର ହେଲେ ରାଜେନ୍ଦ୍ର । ନିଜର ଦୁଇ ପୁତୁରାଙ୍କ ସହ ମିଶି ଝିଅର ମୃତଦେହକୁ ଖଟରେ ତିନି କିମି ବୋହି ନେଇ ଜଙ୍ଗଲରେ ଫିଙ୍ଗି ଦେଇଥିଲେ । ଏପିରିକି ମୃତଦେହ ଉପରେ କାଠି ପତର ବି ପକାଇ ଦେଇଥିଲେ।

ତେବେ କୌଣସି ସୂତ୍ରରୁ ଖବର ପାଇ ବଲାଙ୍ଗିରର କିଛି ସ୍ୱଚ୍ଛାସେବୀ ମୃତଦେହକୁ ଉଦ୍ଧାର କରିଥିଲେ । ପୋଲିସ୍ ଓ ପ୍ରଶାସନର ଅନୁମତିରେ ମୃତଦେହକୁ ବଲାଙ୍ଗିର ବିଭୂତିପଡ଼ା ଶ୍ମଶାନରେ ସତ୍କାର କରିଥିଲେ ।