-୪୦ ଡିଗ୍ରୀରେ ଅନଶନ କରିବେ ଓ୍ବାଙ୍ଗଚୁକ୍: ପ୍ରଧାନମନ୍ତ୍ରୀଙ୍କୁ କହିଲେ ଲଦାଖରେ ସବୁ ଠିକ୍ ନାହିଁ
23/01/2023 at 5:50 PM

ନୂଆଦିଲ୍ଳୀ, ୨୩/୦୧: ଆପଣମାନେ ‘ଥ୍ରୀ ଇଡିୟଟ୍ସ’ ଫିଲ୍ମ ନିଶ୍ଚୟ ଦେଖିଥିବେ। ଏହି ଫିଲ୍ମ ଯେଉଁ ବ୍ୟକ୍ତିଙ୍କ ଜୀବନ ଉପରେ ପ୍ରେରିତ ସେହି ବ୍ୟକ୍ତି ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସ୍ବତନ୍ତ୍ର ଅପିଲ୍ କରିଛନ୍ତି। ଲଦାଖକୁ ନେଇ ବେଶ୍ ଚିନ୍ତିତ ଅଛନ୍ତି ସୋନମ୍ ଓ୍ବାଙ୍ଗଚୁକ୍। ସେ ଲଦାଖର ସୁରକ୍ଷା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଅପିଲ୍ କରିଛନ୍ତି। ସୋନମ୍ ଏକ ଭିଡିଓ ଜାରି କରିଛନ୍ତି। ଏଥିରେ ସେ କହିଛନ୍ତି ଯେ ଲଦାଖରେ ଉଦ୍ୟୋଗକୁ ଖୋଲା ଅନୁମତି ମିଳିଛି। କିନ୍ତୁ ଏଭଳି କରିବା ଦ୍ବାରା ଏଠାକାର ପାହାଡ଼ ନଷ୍ଟ ହୋଇଯିବେ ଏବଂ ଗ୍ଲେସିୟର ବିଲୁପ୍ତ ହୋଇଯିବେ। ଫଳରେ କେବଳ ଭାରତ ନୁହେଁ ବରଂ ପଡ଼ୋଶୀ ଦେଶରେ ମଧ୍ୟ ପାଣିର ଅସୁବିଧା ଦେଖାଦେବ।
ଭିଡିଓରେ ସେ କହିଛନ୍ତି ପିଏମ ମୋଦୀଙ୍କ ଧ୍ୟାନ ଆକର୍ଷଣ କରିବା ପାଇଁ ୨୬ ଜାନୁଆରୀରୁ ୫ ଦିନ ପର୍ଯ୍ୟନ୍ତ ଅନଶନରେ ବସିବେ। ସେ -୪୦ ଡିଗ୍ରୀ ତାପମାତ୍ରାରେ ଏହି ଅନଶନ କରିବେ। ଏହାକୁ ସେ ସୋନମ କ୍ଲାଇମେଟ୍ ଫାଷ୍ଟ କହିଛନ୍ତି। ସେ କହିଛନ୍ତି ଲଦାଖକୁ ଉଦ୍ୟୋଗ ଠାରୁ ସୁରକ୍ଷିତ ରଖିବ ଜରୁରୀ। ଫଳରେ ଏଠାକାର ପ୍ରକୃତି ସୁରକ୍ଷିତ ରହିବ। ସେ କହିଛନ୍ତି, ଯଦି ଲଦାଖରେ ଏହିଭଳି ବ୍ୟାପାର, ପର୍ଯ୍ୟଟନ ଏବଂ ଉଦ୍ୟୋଗୀକରଣ ବଢ଼ିବ ତେବେ ଏଠାରେ ସବୁ କିଛି ଶେଷ ହୋଇଯିବ। ସେ କହିଛନ୍ତି କଶ୍ମୀର ୟୁନିଭର୍ସିଟିର ସଦ୍ୟ ରିସର୍ଚ୍ଚରେ କୁହାଯାଇଛି ଯେ ଯଦି ଗ୍ଲେସିୟରର ଧ୍ୟାନ ରଖାନଯାଏ ତେବେ ଦୁଇ-ତୃତୀୟାଂଶ ଗ୍ଲେସିୟର ଜଲଦୀ ଶେଷ ହୋଇଯିବ।
ସୋନମ ଓ୍ବାଙ୍ଗଚୁକ କହିଛନ୍ତି ଯେ ଗ୍ଲୋବାଲ ଓ୍ବାର୍ମିଂ ଏବଂ ଜଳବାୟୁ ପରିବର୍ତ୍ତନ କେବଳ ଆମେରିକା ଏବଂ ୟୁରୋପ କାରଣରୁ ହେଉନାହିଁ। ଏଥିରେ ସ୍ଥାନୀୟ ସ୍ତରରେ ପ୍ରଦୂଷଣ ମଧ୍ୟ ବଡ଼ ଭୂମିକା ରହିଛି। ଲଦାଖରେ ମାନବୀୟ ଗତିବିଧି କମ୍ ହେବା ଦରକାର ଯେମିତି ଗ୍ଲେସିୟର ସ୍ଥିର ରହିବ। ସେ ସ୍ଥିର ବିକାଶର ଆବଶ୍ୟକତାକୁ ଜୋର୍ ଦେଇ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଏହି ହିମାଳୟ କ୍ଷେତ୍ରରେ ଉଦ୍ୟୋଗ ଦ୍ବାରା ହେବାକୁ ଥିବା କ୍ଷତିକୁ ରୋକିବାକୁ ଚେଷ୍ଟା କରିବା ଦରକାର। ଏହାଦ୍ବାରା ଲୋକଙ୍କ ରୋଜଗାର ଏବଂ ଜୀବିକାରେ ସାହାଯ୍ୟ ହେବ।
ସେ କହିଛନ୍ତି ଲୋକଙ୍କୁ ମଧ୍ୟ ନିଜ ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନକୁ ନେଇ ଚିନ୍ତା କରିବା ଦରକାର। ଲୋକଙ୍କୁ ଏଭଳି ପ୍ରୟାସ କରିବା ଦରକାର ଯେପରି ପ୍ରକୃତି ଆଗାମୀ ପିଢ଼ୀ ପାଇଁ ସୁରକ୍ଷିତ ରହିବ। ସେ ନିଜ ୟୁଟ୍ୟୁବ୍ ଚ୍ୟାନେଲରେ ଭିଡିଓ ପୋଷ୍ଟ କରି ଲୋକଙ୍କୁ ଅପିଲ୍ କରିଛନ୍ତି । ସେ କହିଛନ୍ତ ‘ଲଦାଖରେ ଅଲ୍ ଇଜ୍ ନଟ୍ ଓ୍ବେଲ’।