ସୋନାଲି ଫୋଗାଟଙ୍କ ଭଉଣୀଙ୍କ ଦାବି ଖାଦ୍ୟରେ ମିଶା ଯାଇଥିଲା ବିଷ, ପୋଲିସ୍ କହୁଛି- ସେମିତି କିଛି ଜଣା ପଡିନି

Published By : Prameya-News7 Bureau | August 23, 2022 IST

ଚଣ୍ଡିଗଡ: ବିଜେପି ନେତା ତଥା ଟିକ୍‌ଟକ୍‌ ଷ୍ଟାର ସୋନାଲି ଫୋଗାଟଙ୍କ ଗୋଆରେ ଅପ୍ରତ୍ୟାଶିତ ମୃତ୍ୟୁ ଘଟିଛି। ୪୨ ବର୍ଷୀୟ ସୋନାଲିଙ୍କ ହୃଦଘାତ କାରଣରୁ ମୃତ୍ୟୁ ଘଟିଥିବା ଗୋଆ ପୋଲିସ କହିଛି। କିନ୍ତୁ ସୋନାଲିଙ୍କ ଭଉଣୀ କହିଛନ୍ତି ସୋନାଲିର ମୃତ୍ୟୁ ପଛରେ ଷଡଯନ୍ତ୍ର ରହିଛି। ମଙ୍ଗଳବାର ସକାଳେ ସୋନାଲି ମାଆଙ୍କ ସହିତ କଥା ହୋଇଥିଲେ। ଏହି ସମୟରେ ସେ ମାଆଙ୍କୁ କହିଥିଲେ, ତାଙ୍କୁ କିଛି ଗଡବଡ ଲାଗୁଛି। ଏମିତି ଲାଗୁଛି ମୋ ବିରୋଧରେ କୌଣସି ଷଡଯନ୍ତ୍ର ହୋଇଛି।

ସୋନାଲିଙ୍କ ଭଉଣୀ କହିଛନ୍ତି, ସେ ଗୋଟିଏ ଦିନ ପୂର୍ବେ ତାଙ୍କ ସହ କଥା ହୋଇଥିଲେ। ସେ ଠିକ୍ ଥିବା କହିଥିଲେ। ଏପରିକି ସୁଟିଂ ପାଇଁ ଯାଉଥିବା ଏବଂ ୨୭ ତାରିଖରେ ଫେରି ଆସିବି ବୋଲି କହିଥିଲେ। ସୋମବାର ମାଆଙ୍କ ସହ ସେ କଥା ହେବା ବେଳେ କହିଥିଲେ, ଖାଇବା ପରେ କିଛି ଭଲ ଲାଗୁନି ଏବଂ ଏମିତି ଲାଗୁଛି ଖାଦ୍ୟରେ କିଛି ମିଶା ଯାଇଛି। ବୋଧହୁଏ ମୋ ବିରୋଧରେ କିଛି ଷଡଯନ୍ତ୍ର ହୋଇଛି।

ସୋନାଲି ଫୋଗାଟଙ୍କ ଦେହ ଅସୁସ୍ଥ ହେବା ପରେ ତାଙ୍କୁ ଉତ୍ତର ଗୋଆ ଜିଲ୍ଲାର ଅଞ୍ଜୁନା ସେଣ୍ଟ ଆନ୍ଥୋନୀ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ଗୋଆ ଡିଜିପି ଯଶପାଲ୍ ସିଂହ ମଧ୍ୟ ସୂଚନା ଦେଇଛନ୍ତି ଯେ, ଫୋଗାଟ୍ Curlies ରେଷ୍ଟୁରାଣ୍ଟରେ ଥିଲେ। ଏହି ସମୟରେ ତାଙ୍କୁ କିଛି ଠିକ୍ ଲାଗୁନଥିବା କହିଥିଲେ। ପୁଣି ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ମାମଲାରେ କିଛି ଗଡବଡ ନଥିବା ଗୋଆ ଡିଜିପି କହିଛନ୍ତି।

ଡିଜିପି କହିଛନ୍ତି, ସୋନାଲି ଫୋଗାଟଙ୍କ ଶରୀରରେ କୌଣସି ପ୍ରକାରର ଆଘାତର ଚିହ୍ନ ନାହିଁ। ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ଯାଇ ମୃତ୍ୟୁର କାରଣ ସ୍ପଷ୍ଟ ହେବ। ଡେପୁଟୀ ଏସପି ଜୀବବା ଦାଲଭି କହିଛନ୍ତି, ହସ୍ପିଟାଲ୍‌ରେ ସୋନାଲିଙ୍କୁ ମୃତ୍ୟୁ ଅବସ୍ଥାରେ ଅଣା ଯାଇଥିଲା। ତେବେ ପ୍ରାରମ୍ଭିକ ତଦନ୍ତରେ ତାଙ୍କର ମୃତ୍ୟୁ ହୃଦଘାତ ଯୋଗୁଁ ହୋଇଥିବା ଡେପୁଟୀ ଏସପି କହିଛନ୍ତି।

ତେବେ ସୋନାଲିଙ୍କ ଭଉଣୀ ଅଭିଯୋଗ  କରିଛନ୍ତି ଯେ, ସୋନାଲିଙ୍କ ଖାଦ୍ୟରେ ବିଷ ମିଶାଯାଇଛି। ଭଉଣୀଙ୍କ ମୃତ୍ୟୁ ପଛରେ ଷଡଯନ୍ତ୍ର ରହିଛି। ଗଣମାଧ୍ୟମ ସହ ଆଲୋଚନା ବେଳେ ସେ କହିଛନ୍ତି, ଭଉଣୀ ଘରକୁ ଫୋନ କରି ଖାଇବା ପରେ ଅଜବ ଲାଗୁଥିବା କହିଥିଲେ। ସୋନାଲି ସନ୍ଦେହ କରିଥିଲେ ଯେ, ତାଙ୍କ ଖାଦ୍ୟରେ କେହି ବିଷ ମିଶାଇ ଦେଇଛି।

ସୋନାଲି ଫୋଗାଟ୍ ୨୦୧୯  ହରିୟାଣା ବିଧାନସଭା ନିର୍ବାଚନରେ ଆଦମପୁର ବିଧାନସଭା ଆସନରୁ ବିଜେପି ଟିକେଟରେ ମଇଦାନକୁ ଓହ୍ଲାଇଥିଲେ। ତାଙ୍କୁ କଂଗ୍ରେସର କୁଲଦୀପ ବିଷ୍ନୋଇ ହରାଇଥିଲେ। ହେଲେ ବର୍ତ୍ତମାନ କୁଲଦୀପ ବିଷ୍ନୋଇ କଂଗ୍ରେସ ଛାଡି ବିଜେପିରେ ମିଶି ସାରିଛନ୍ତି। ଏହି ଆସନରୁ ସେ  ନିଜ ପୁଅଙ୍କୁ ନିର୍ବାଚନ ଲଢାଇବାକୁ ଚାହାନ୍ତି। କିଛି ଦିନ ପୂର୍ବେ ସୋନାଲି କୁଲଦୀପ ବିଷ୍ନୋଇଙ୍କୁ ଭେଟିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.