ପୁଅ ରାଜ ଧର୍ମ ପାଳନ କରିବ, ମୁଁ ରାଷ୍ଟ୍ର ଧର୍ମ...ପୁଅ ଜୟନ୍ତଙ୍କୁ ନେଇ କହିଲେ ଯଶଓ୍ଵନ୍ତ ସିହ୍ନା

Published By : Prameya-News7 Bureau | June 26, 2022 IST

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନରେ ବିରୋଧୀଙ୍କ ପକ୍ଷରୁ ପ୍ରାର୍ଥୀ ହୋଇଛନ୍ତି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଯଶଓ୍ଵନ୍ତ ସିହ୍ନା। ତାଙ୍କୁ ବିରୋଧୀ ପ୍ରାର୍ଥୀ କରିବା ପରେ ତାଙ୍କ ପୁଅ ଜୟନ୍ତ ସିହ୍ନା ସଂପ୍ରତି ଚର୍ଚ୍ଚାରେ ଅଛନ୍ତି। ଜୟନ୍ତ ହେଉଛନ୍ତି ବିଜେପିର ସାଂସଦ। ସେ ବାପାଙ୍କ ସପକ୍ଷରେ ଭୋଟ୍ ଦେବେ ନା ପାର୍ଟି ଲାଇନରେ ଚାଲିବେ ତାକୁ ନେଇ ରାଜନୈତିକ ମହଲରେ ବଡ ଚର୍ଚ୍ଚା ଚାଲିଛି। ଏହାକୁ ନେଇ ଯଶଓ୍ଵନ୍ତ ସିହ୍ନା କହିଛନ୍ତି ଯେ, ପୁଅ ରାଜ ଧର୍ମ ପାଳନ କରିବ ଏବଂ ମୁଁ ରାଷ୍ଟ୍ର ଧର୍ମ ପାଳନ କରିବି।

ପିଟିଆଇକୁ ଦେଇଥିବା ସାକ୍ଷାତକାରରେ ଯଶଓ୍ଵନ୍ତ ସିହ୍ନା କହିଛନ୍ତି, ସେ ନିଜର ପୁଅ ତଥା ବିଜେପି ସାଂସଦ ଜୟନ୍ତ ସିହ୍ନାଙ୍କ ସମର୍ଥନ ନମିଳିବାକୁ ନେଇ କୌଣସି ଧର୍ମ ସଙ୍କଟ ନାହିଁ। ସେ ନିଜର ରାଜଧର୍ମ ପାଳନ କରୁଛି, ମୁଁ ନିଜର ରାଷ୍ଟ୍ର ଧର୍ମ ପାଳନ କରିବି। ଏହି ନିର୍ବାଚନ କେବଳ ଭାରତର ରାଷ୍ଟ୍ରପତି ନିର୍ବାଚନ ନୁହେଁ, କ୍ଷମତାବାଦୀ ନୀତିର ବିରୋଧ ଦିଗରେ ଏକ ପଦକ୍ଷେପ। ଏହି ନିର୍ବାଚନ ଭାରତୀୟବାସୀଙ୍କ ପାଇଁ ଏକ ସନ୍ଦେଶ ଯେ, ସେମାନେ ଏହି ନୀତିର ବିରୋଧ କରିବା ଉଚିତ୍।

ରାଷ୍ଟ୍ରପତି ନିର୍ବାଚନ ପାଇଁ ବିଜେପି ନେତୃତ୍ଵାଧୀନ ଏନଡିଏ ଆଦିବାସୀ ନେତା ତଥା ଝାଡଖଣ୍ଡର ପୂର୍ବତନ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁଙ୍କୁ ପ୍ରାର୍ଥୀ କରିଛି। ଏହା ଉପରେ ଯଶଓ୍ଵନ୍ତ ସିହ୍ନା କହିଛନ୍ତି, ଜଣେ ବ୍ୟକ୍ତିଙ୍କୁ ଉପରକୁ ଉଠାଇବା ପୂରା ସମୁଦାୟର ଉତଥାନ ସୁନିଶ୍ଚିତ କରେ ନାହିଁ। ବିଜେପି ତରଫରୁ ଦ୍ରୌପଦୀ ମୁର୍ମୁଙ୍କୁ ମଇଦାନକୁ ଓହ୍ଲାଇବା ରାଜନୈତିକ ପ୍ରତୀକବାଦ ବାଦ୍ ଆଉ କିଛି ନୁହେଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.