ଜହ୍ଲାଦ ପୁଅର ନାରକୀୟ କାଣ୍ଡ, ଛୁରୀ ମାରି ବାପାର ନେଲା ଜୀବନ
1/01/2023 at 10:14 PM

ଦେବଗଡ: ରବିବାର ସାରା ରାଜ୍ୟରେ ସମସ୍ତେ ନୂଆ ବର୍ଷ ପାଳନ କରୁଥିବା ବେଳେ ଦେବଗଡ ଜିଲ୍ଲା କାଉଁସିବାହାଳ ଗ୍ରାମରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଯାଇଛି । କାଉଁସିବାହାଳ ଗାଁରେ ପୁଅର ଛୁରୀ ମାଡରେ ବାପାଙ୍କ ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ ଗାଁର ରତ୍ନାକର ପ୍ରଧାନ(୭୦) । ବୃଦ୍ଧ ରତ୍ନାକର ପୂର୍ବାହ୍ନ ସମୟରେ ନିଜ ଘର ଅଗଣାରେ ଖଟରେ ଶୋଇଥିବା ବେଳେ ତାଙ୍କ ମଝିଆ ପୁଅ ଦୁର୍ଯ୍ୟୋଧନ ପ୍ରଧାନ (୪୦) ଏକ ଧାରୁଆ ଛୁରୀରେ ବେକ ପଛରେ ଆକ୍ରମଣ କରିଥିଲେ । ବୃଦ୍ଧ ଜଣଙ୍କ ଆଘାତରୁ ରକ୍ଷା ପାଇବା ପାଇଁ ଦୌଡି ପଳାଇବାକୁ ଚେଷ୍ଟା କରିଥିବା ବେଳେ ଗଭୀର ଆଘାତ ଯୋଗୁଁ ଘଟଣାସ୍ଥଳରେ ହିଁ ମୃତ୍ୟୁ ବରଣ କରିଥିଲେ।
ଘଟଣା ସମୟରେ ଘରର ଅନ୍ୟ ସଦସ୍ୟ ନିକଟସ୍ଥ ବାଘମୁଣ୍ଡା ଗ୍ରାମକୁ ଜଙ୍ଘାଲିଙ୍ଗା ଯାତ୍ରା ଦେଖିବାକୁ ଯାଇଥିବା ବେଳେ ଘରେ କେବଳ ତାଙ୍କ ଝିଅ ଥିଲେ । ଘଟଣା ସମୟରେ ଝିଅ ରୋଷେଇ କରୁଥିବା ବେଳେ ଚିତ୍କାର ଶୁଣି ଅଗଣାକୁ ଆସିଥିବା ବେଳେ ବୃଦ୍ଧ ଜଣକ ରକ୍ତ ଜୁଡୁବୁଡୁ ହୋଇ ପଡିଥିଲେ । ଖବରପାଇ ଦେବଗଡ ଆଦର୍ଶ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଗିରଫ କରିବା ସହ ମୃତ ଦେହ ବ୍ୟବଛେଦ ପାଇଁ ପଠାଇଛି । ପୁଅର ଆକ୍ରମଣରେ ବାପାର ମୃତ୍ୟୁ ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ହତ୍ୟାକାରୀ ପୁଅ ଦୁର୍ଯ୍ୟୋଧନ ପୂର୍ବରୁ ମଧ୍ୟ ମଦ ପିଇ ଗଣ୍ଡଗୋଳ କରୁଥିବା ଯୋଗୁଁ ତାଙ୍କ ସ୍ତ୍ରୀ ବାପ ଘରକୁ ଚାଲି ଯାଇଥିଲେ । ମଦ ପିଇବାକୁ ସେ ବିଭିନ୍ନ ସମୟରେ ବାପା, ମାଆ ଓ ଭଉଣୀ ସହ ଗଣ୍ଡଗୋଳ କରୁଥିଲା ଓ ମାରି ଦେବାକୁ ଧମକ ଦେଉଥିଲେ ବୋଲି ତାଙ୍କ ଭଉଣୀ ସୂଚନା ଦେଇଛନ୍ତି ।