ମାଆଙ୍କ ଶୁଦ୍ଧିକ୍ରିୟା ସାରି ଫେରୁଥିଲେ ଚେନ୍ନାଇ, ଯମ ହୋଇ ଡାକିନେଲା କରମଣ୍ଡଳ
8/06/2023 at 3:04 PM

ଭଦ୍ରକ ୦୮/୦୬: ବାହାନଗା ରେଳ ଦୁର୍ଘଟଣା ଅନେକ ପରିବାର ପାଇଁ ଆଣିଛି ଅସରା ଲୁହ, ଦୁଃଖର ପାହାଡ଼ । ମାଆଙ୍କ ଶୁଦ୍ଧିକ୍ରିୟା ସାରି ଚେନ୍ନାଇ ଫେରୁଥିବା ବେଳେ କରମଣ୍ଡଳ ଏକ୍ସପ୍ରେସ୍ ଦୁର୍ଘଟଣାରେ ଚାଲିଗଲା ୩୮ବର୍ଷୀୟ ରମେଶଙ୍କ ଜୀବନ ।
ଚେନ୍ନାଇରେ ଚାହା ଦୋକାନ କରି ପେଟ ପୋଷୁଥିଲେ । ଗତ ମେ ୯ତାରିଖ ମାଆଙ୍କ ଦେହାନ୍ତ ଯୋଗୁ ଆସିଥିଲେ ଗାଁକୁ । ଦୀର୍ଘ ଦିନ ରହିବା ପରେ ଚେନ୍ନାଇ ଫେରୁଥିଲେ । ବାଲେଶ୍ୱର ଷ୍ଟେସନରୁ କରମଣ୍ଡକ ଟ୍ରେନରେ ବସି ବଡ଼ ଭାଇକୁ ଫୋନ କରିଥିଲେ । ଟ୍ରେନ ଭଦ୍ରକ ପହଁଚିଲେ ପୁଣି ଫୋନ କରିବି ବୋଲି କହିଥିଲେ ।
ହେଲେ ଘରେ ପହଞ୍ଚିଥିଲା ଦୁର୍ଘଟଣା ଖବର । ବାହାନଗା ଷ୍ଟେସନରେ ପରିବାର ଓ ଗାଁ ଲୋକେ ରମେଶକୁ ଅନେକ ଖୋଜିଥିଲେ । ଶେଷରେ ନୋସି ପାର୍କରୁ ରମେଶଙ୍କ ମୃତ ଦେହକୁ ଚିହ୍ନଟ କରି ଗାଁରେ ଶବ ସତ୍କାର କରିଥିଲେ ପରିବାର ଲୋକ । ରମେଶଙ୍କ ମୃତ୍ୟୁ ଖବରରେ ପୂରା ଗାଁରେ ଚୁଲି ଜଳି ନଥିଲା l