ବାପା ଚଳାଉଥିଲେ ରାଜ୍ୟ ପରିବହନ ବିଭାଗ ବସ୍, ପୁଅ ହାତରେ ହିମାଚଳ ପ୍ରଦେଶ କମାଣ

Published By : Prameya-News7 Bureau | December 11, 2022 IST

ନୂଆଦିଲ୍ଲୀ: ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ହୁଅନ୍ତୁ କି ଅନ୍ୟ କେହି। ସଫଳତାର ଶୀର୍ଷ ଛୁଇଁବାକୁ ଗଣତାନ୍ତ୍ରିକ ରାଷ୍ଟ୍ର ସମସ୍ତଙ୍କୁ ସମାନ ସୁଯୋଗ ଦେଇଥାଏ । ଏହା ହିଁ ହେଉଛି ଲୋକତନ୍ତ୍ରର ସୌନ୍ଦର୍ଯ୍ୟ । ଏହାର ସୁନ୍ଦର ନମୂନା ହିମାଚଳ ପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ସୁଖବୀନ୍ଦର ସିଂହ ସୁଖୁ । ସାଧାରଣ ପରିବାରରୁ ଆସିଥିବା ସୁଖବୀନ୍ଦର ଏବେ ସମ୍ଭାଳିବେ ହିମାଚଳ ପ୍ରଦେଶର କମାଣ ।

ବାପାଙ୍କ ହାତରେ ଥିଲା ହିମାଚଳ ପ୍ରଦେଶ ପରିବହନ ବିଭାଗ ଅଧୀନରେ ଚାଲୁଥିବା ବସର ଷ୍ଟିୟରିଂ, ଆଉ ଏବେ ପୁଅ ହାତରେ ପୂରା ପ୍ରଦେଶ। ଜଣେ ବସ୍ ଡ୍ରାଇଭରଙ୍କ ପୁଅ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ୧୯୯୨ରୁ ରାଜନୀତିରେ ପାଦ ଥାପିଥିବା ସୁଖବୀନ୍ଦର ସତ୍ତାର ଷ୍ଟିୟରିଂକୁ ଶକ୍ତ ଭାବେ ଧରିବାରେ ସଫଳତା ପାଇଛନ୍ତି । ସୁଯୋଗକୁ ସଦୁଯୋଗ କରିଛନ୍ତି ହିମାଚଳ ପ୍ରଦେଶ ରାଜନୀତିର ଏହି ଚାଣକ୍ୟ । ୩୩ବର୍ଷ ହେଲା ରାଜନୀତିର ସତରଞ୍ଜିରେ ଗୋଟି ଚଳାଇ ଆସୁଥିବା ସୁଖବୀନ୍ଦର ସିଂହ ସୁଖୁ କଂଗ୍ରେସରୁ ହିମାଚଳ ପ୍ରଦେଶର କମାଣ ସମ୍ଭାଳିବେ । ରବିବାର ଦିନ ୧୧ଟା ବେଳେ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ସୁଖୁ ।  

କଂଗ୍ରେସର ଷ୍ଟିୟରିଂ ଧରି ହିମାଚଳ ପ୍ରଦେଶରେ ବିକାଶ ଗାଡ଼ି ଚଳାଇବେ ସୁଖବୀନ୍ଦର ସିଂହ । ଛାତ୍ର ଜୀବନରୁ ରାଜନୀତିରେ ପାଦ ଥାପିଥିଲେ ଏହି ନେତା । ପରେ ପ୍ରତ୍ୟକ୍ଷ ରାଜନୀତିରେ ସାମିଲ ହୋଇ ହିମାଚଳ ପ୍ରଦେଶରେ କଂଗ୍ରେସ ପାଇଁ ସଂଟକର ମୋଚକ ସାଜିଥିଲେ । ଏନଏସୟୁଆଇ ପରେ  ଯୁବ କଂଗ୍ରେସ ଓ ହିମାଚଳ ପ୍ରଦେଶର କଂଗ୍ରେସ  ଅଧ୍ୟକ୍ଷ ହୋଇଥିଲେ । ଏହାପୂର୍ବରୁ ଦୁଇଥର ତଥା ୧୯୯୨ ଏବଂ ୧୯୯୭ରେ ସୁଖବୀନ୍ଦର ସିଂହ ସିମ୍‌ଲା ନଗର ନିଗମ ପରିଷଦ ଭାବେ ନିର୍ବାଚିତ ହୋଇଥିଲେ ।

୨୦୦୩ରେ ପ୍ରଥମ ଥର ପାଇଁ ବିଧାନସଭା ନିର୍ବାଚନ ଲଢିଥିଲେ ସୁଖବୀନ୍ଦର । ୨୦୦୭ରେ ମଧ୍ୟ ତାଙ୍କୁ ବିଜୟ ମିଳିଥିଲା । ହେଲେ ୨୦୧୨ରେ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା । ସୁଖୁଙ୍କ ରାଜନୀତି କ୍ୟାରିୟରରେ ପୂର୍ଣ୍ଣଚ୍ଛେଦ ପଡ଼ିବା ନେଇ ଚର୍ଚ୍ଚା ହେଉଥିଲା । ହେଲେ ପାହାଡ଼ି ଇଲାକରେ ଲୁହା ଭଳି ଛିଡ଼ା ହୋଇଥଲେ କଂଗ୍ରେସର ଏହି ସଂକଟ ମୋଚକ । ଆଉ ୨୦୧୭ରେ ପୁଣ ଥରେ ନିର୍ବାଚନ ଜିତି ବିଧାନସଭାରେ ପହଞ୍ଚିଥିଲେ । ଚଳିତ ବିଧାନସଭା ନିର୍ବାଚନରେ କଂଗ୍ରେସ ଅଧ୍ୟକ୍ଷତା କରିବା ସହିତ ପ୍ରଚାର ମୋର୍ଚ୍ଚା ସମ୍ଭାଳିଥିଲେ । ଆଉ ଦଳକୁ ବିଜୟ ଟିକା ପିନ୍ଧାଇବାରେ ସହଯୋଗ କରିଥିଲେ । ଆଉ ଏବେ କଂଗ୍ରେସ ହାଇକମାଣ୍ଡ, ସୁଖବୀନ୍ଦର ସିଂହ ସୁଖୁଙ୍କ ହାତରେ ହିମାଚଳ ପ୍ରଦେଶର କମାଣ ଥାପିଛନ୍ତି । ଆଜି ୧୧ଟା ବେଳେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.