୧୨ ଦିନ ହେବ ନିଖୋଜ ପୁଅକୁ ଝୁରୁଛି ପରିବାର, ସାଙ୍ଗମାନେ ହତ୍ୟା କରିଥିବା ଅଭିଯୋଗ

Published By : Prameya-News7 Bureau | December 14, 2020 IST

ଭଞ୍ଜନଗର ୧୪।୧୨: ଦୀର୍ଘ ୧୨ ଦିନ ହେବ ଘରୁ କେଉଁଆଡେ ପଳାଇଛି ପୁଅ । ବହୁ ଖୋଜାଖୋଜି ପରେ ବି ମିଳିନି ସୂଚନା । ଶେଷରେ କିଛି ଉପାୟ ନପାଇ ପୋଲିସ ନିକଟରେ କରିଛନ୍ତି ଅଭିଯୋଗ । ହେଲେ ଏପର୍ଯ୍ୟ ପୋଲିସର ହାତ ବି ଖାଲି ।

ସୂଚନାଯୋଗ୍ୟ ଯେ, ଗଞ୍ଜାମ ଜିଲ୍ଲା ତାରାସିଙ୍ଗି ଥାନା ଅନ୍ତର୍ଗତ ନୂଆଁ ଟାଙ୍ଗଣ ଗ୍ରାମର କୋକ ସାହୁଙ୍କ ବଡ଼ ପୁଅ ୨୬ ବର୍ଷ ବୟସ୍କ ମିଥୁନ ସାହୁ ଗତ ୨ ତାରିଖ ଦିନଠାରୁ କେଉଁଆଡେ ଚାଲି ଯାଇଛନ୍ତି । ଆଜି ଯାଏଁ ଘରକୁ ଫେରି ନାହାଁନ୍ତି । ପରିବାର ଲୋକଙ୍କ କହିବା ଅନୁଯାୟୀ, ସେ ତାଙ୍କର ଦୁଇ ଜଣ ସାଙ୍ଗଙ୍କ ସହିତ ମିଶି କେଉଁଆଡେ ଚାଲି ଯାଇଛନ୍ତି । ତେବେ ସଂପୃକ୍ତ ସାଙ୍ଗ ଦୁଇ ଜଣଙ୍କୁ ପଚାରିବା ପରେ ସେମାନେ ମିଥୁନ ବିଷୟରେ କିଛି ଜାଣିନଥିବା କହିଥିଲେ । ଉପାୟଶୂନ୍ୟ ହୋଇ ମିଥୁନଙ୍କ ବାପା ତାରାସିଂଙ୍ଗ ଥାନାରେ ଏତଲା ଦେଇଥିଲେ ।

ଘଟଣାକୁ ୧୨ଦିନ ବିତି ଯାଇଥିଲେ ମଧ୍ୟ ମିଥୁନର କୌଣସି ପ୍ରକାର ସନ୍ଧାନ ମିଳୁ ନଥିବା ବେଳେ ମିଥୁନଙ୍କୁ କେହି ହତ୍ୟା କରିଥାଇପାରେ ବୋଲି ସନ୍ଦେହ ବଢିବାରେ ଲାଗିଛି । ମିଥୁନଙ୍କ ନିଖୋଜ ପରେ ସାଙ୍ଗମାନେ ହିଁ ତାଙ୍କୁ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ପରିବାରଲୋକ ।

ଅନ୍ୟପଟେ ତାରାସିଂଙ୍ଗ ଥାନା ଅଧିକାରୀ ମିଥୁନର ଦୁଇ ସାଙ୍ଗଙ୍କୁ ଡାକି ପଚରାଉଚରା ଚଳାଇଛନ୍ତି । ତେବେ ପୋଲିସ ଉପଯୁକ୍ତ ତଦନ୍ତ କଲେ ସଠିକ୍ ଘଟଣା ପଦାକୁ ଆସିବ ବୋଲି ଗ୍ରାମବାସୀମାନେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.