ଦାଦନ ଖଟିବାକୁ ଯାଇ ଫେରୁନି ପୁଅ; ଥାନା ଆଗରେ ଧାରଣା ଦେଲେ ମହିଳା
28/02/2023 at 8:51 PM

ସାଲେପୁର ୨୮/୦୨: ନ୍ୟାୟ ପାଇଁ ଥାନା ଆଗରେ ମହିଳାଙ୍କ ଧାରଣା। କଟକ ଜିଲ୍ଲା ସାଲେପୁର ଥାନାରୁ ଏଭଳି ଅଭିଯୋଗ ସମ୍ନାକୁ ଆସିଛି। ଧାରଣା ଦେଇଥିବା ମହିଳା ହେଲେ ଗୋଲାପ ମଞ୍ଜରୀ ଭୂୟାଁ। ସେ ସାଲେପୁର ଥାନା ମିର୍ଜାପୁର ପଂଚାୟତ ଧର୍ମାଗତପୁର ଗାଁର ବାସିନ୍ଦା। ଗୋଲାପ ଙ୍କ ପୁଅ ସରୋଜକୁମାର ଭୂୟାଁ ୫ ବର୍ଷ ହେଲା ସ୍ଥାନୀୟ ଦଲାଲ ମହମ୍ମଦ ୱାସିଦ ମାଧ୍ୟମରେ ଦାଦନ ଖଟିବାକୁ ଯାଇ ଆଉ ଘରକୁ ଫେରିନି।
ଏନେଇ ଗୋଲାପ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ ଶୁଣିନଥିଲେ। ପରେ ସେ ମୁଖ୍ୟମନ୍ତ୍ରୀ, ୫ଟି ସଚିବ, ମାନବାଧିକାର କମିଶନ, ଡିଜିପି କାର୍ଯ୍ୟାଳୟ କଟକ, ଡିଜି କାର୍ଯ୍ୟାଳୟ କଟକ, ଏସପି କାର୍ଯ୍ୟାଳୟ କଟକ, ଜିଲ୍ଲାପାଳ କଟକ, ତହସିଲ ସାଲେପୁରଙ୍କୁ ଜଣାଇବା ପରେ କୌଣସି ସୁଫଳ ମିଳି ନଥିଲା। ଫଳରେ ମହିଳା ଜଣଙ୍କ ଗାନ୍ଧିଙ୍କ ଫଟୋ ଧରି ସାଲେପୁର ଥାନା ଆଗରେ ମଙ୍ଗଳବାର ଧାରଣା ଦେଇଛନ୍ତି। ପରେ ସାଲେପୁର ଏଡିପିଓ ଥାନାରେ ପହଞ୍ଚି ମହିଳାଙ୍କୁ ବୁଝାସୁଝା କରିବା ସହ ଏକ ଟିମ ଗଠନ କରି ମାର୍ଚ୍ଚ ୧୫ ସୁଦ୍ଧା ପୁଅକୁ ଖୋଜିବାର ପ୍ରତିଶୃତି ଦେବାପରେ ମହିଳା ଧାରଣାରୁ ଓହରିଥିଲେ।