ଜ୍ବାଇଁକୁ ପିଟିପିଟି ମାରିଦେଲେ ଶ୍ବଶୁର ଓ ଶାଳକ ! ମୃତଦେହ ଫୋପାଡିବା ବେଳେ ମାଡିବସିଲା ପୋଲିସ
9/03/2023 at 10:51 AM

ପାଟଣାଗଡ ୯।୩: ଜ୍ବାଇଁକୁ ଶ୍ଵଶୁର ଘର ଲୋକେ ପିଟିପିଟି ମାରିଦେଇଥିବା ଅଭିଯୋଗ ହୋଇଛି । ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଅନ୍ତର୍ଗତ ଚାବ୍ରିପାଲି ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଖପ୍ରାଖୋଲ ପୋଲିସ ବସ୍ତାରେ ଭର୍ତ୍ତି ହୋଇଥିବା ମୃତକ ରୁଦ୍ର ମେହେରର ଶବ ଜବତ କରିଛି । ଏ ନେଇ ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।
ସୂଚନାଯୋଗ୍ୟ ଯେ, ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଥାନା ଚାବ୍ରିପାଳି ଗ୍ରାମରେ ବରଗଡ଼ ଜିଲ୍ଲା ପଦ୍ମପୁର ଥାନା ରାଜଭାଟି ପଡାର ରୁଦ୍ର ମେହେର ବିବାହ କରିଥିଲେ । ଦୀର୍ଘ ଦିନ ହେବା ପାରିବାରିକ କଳହ ଲାଗି ରହିଥିଲା । ମୃତକଙ୍କ ପରିବାରଲୋକଙ୍କ ଅଭିଯୋଗ ଅନୁଯାୟୀ, ଗତ ବୁଧବାର ଦିନ ଗାଁରେ ହୋଲି ଖେଳ ଚାଲୁଥିବା ସମୟରେ ରୁଦ୍ର ମେହେରଙ୍କର ତାଙ୍କ ଶ୍ବଶୁର ଘର ଲୋକଙ୍କ ସହ କୌଣସି କାରଣରୁ ବଚସା ହୋଇଥିଲା । ବଚସା ଏତେ ଉଗ୍ର ରୂପ ନେଇଥିଲା ଯେ ରୁଦ୍ରକୁ ନିସ୍ତୁକ ମାଡ ମାରି ଏକ ଘରେ ବନ୍ଦ କରିଦେଇ ପରିବାରଲୋକ ପାଟଣାଗଡ଼ରେ ଏକ ବିବାହ ଉତ୍ସବରେ ଯୋଗଦେବାକୁ ଯାଇଥିଲେ । ସେହି ସମୟରେ ତାଙ୍କର ମୃତ୍ୟୁ ହେଉଥିବା କୁହାଯାଉଛି । ପାଟଣାଗଡ଼ରୁ ରାତିରେ ମୃତକଙ୍କ ଶ୍ବଶୁର ଓ ଶଳା ଘରକୁ ଫେରି ମୃତ ରୁଦ୍ରଙ୍କ ଶବ ଗୋଟିଏ ଜରି ବସ୍ତାରେ ଭର୍ତ୍ତି କରି ଓଡି୦୩ଏକ୍ସ୭୦୦୬ରେ ନମ୍ବର ବିଶିଷ୍ଟ ଗାଡିରେ ମୃତଦେହକୁ ଫିଙ୍ଗିବାକୁ ଉଦ୍ୟମ କରୁଥିଲେ । ଏହି ସମୟରେ କୌଣସି ସୂତ୍ରରୁ ଖବର ପାଇ ଖପ୍ରାଖୋଲ ପୋଲିସ ସେମାନଙ୍କୁ ମାଡିବସିଥିଲା । ଗାଡି ଓ ଶବକୁ ଜବତ କରିବା ସହ ଘଟଣାସ୍ଥଳରୁ ଶ୍ବଶୁର ଉଦ୍ଧବ ମେହେର ଓ ଶଳା ସୁନୀଲ କୁମାର ମେହେରଙ୍କୁ ଥାନାକୁ ଆଣିଥିବା ବେଳେ ପାଟଣାଗଡ଼କୁ ଯାଇଥିବା ଅନ୍ୟ ୩ ଜଣଙ୍କୁ ଥାନାକୁ ଆଣି ଅଧିକ ତଦନ୍ତ ଜାରି ରହିଛି ।