ଅନ୍ୟ ଜାତିରେ ବିବାହ କଲା ପୁଅ, ଘରେ ପୁରାଇଲେନି ବାପା-ମା’ : ୨ ଦିନ ହେଲା ଘର ଆଗରେ ନବଦମ୍ପତି

Published By : Prameya-News7 Bureau | May 09, 2024 IST

ନୀଳଗିରି ୯।୫: ପ୍ରେମ ମାନେନି ଜାତି ଅଜାତି । ପ୍ରେମିକାଙ୍କୁ ନିଜର କରିବେ ବୋଲି କଥା ଦେଇଥିଲେ ଆଉ ଜନ୍ମ ଜନ୍ମର ସାଥୀ ହେବେ ବୋଲି କହିଥିଲେ । ହେଲେ ନିଚ୍ଚ ଜାତି ବୋଲି କଣ ତାଙ୍କୁ ପର କରିଦେବେ। ବାପା ମାଆ ରାଗି ବିବାହ ପାଇଁ ଅନୁମତି ଦେଲେନି। ତେଣୁ ମନ୍ଦିରରେ ବୈଦିକ ରୀତିନୀତିରେ ବାହା ହେଲେ। କାଳେ ବାପା ମାଆଙ୍କ ମନ ବଦଳିଯିବ ଆଉ ନିଜ ବୋହୂଙ୍କୁ କୋଳେଇ ନେବେ ବୋଲି ଭାବିଥିଲେ। ହେଲେ ଆଶୀର୍ବାଦ ତ ଦୂରର କଥା । ଓଲଟା ଘରେ ପୂରାଇ ଦେଲେନି। ଘରୁ ଘୋଷାଡ଼ି ନେଇ ମୁଁହରେ କବାଟ କିଳି ଦେଲେ। ଏବେ ନବଦମ୍ପତି କରିବେ କ’ଣ ? ଯିବେ କୁଆଡ଼େ ? ୨ ଦିନ ହେଲା ଘର ବାହାରେ ପଡି ରହିଛନ୍ତି ଏହି ନବ ଦମ୍ପତି । ଆଶା ରଖିଛନ୍ତି କାଳେ ଜନ୍ମଦାତାଙ୍କ ମନ ବଦଳିବ ଆଉ ପୁଅ-ବୋହୂଙ୍କୁ ଘରକୁ ଡାକି ନେବେ । ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ନୀଳଗିରି ଥାନା ଅଧିନ ଖସାପଡ଼ିଆ ଗାଁରେ ।

ନୀଳଗିରି ବ୍ଲକ ଅଧିନ ଅଯୋଧ୍ୟା ପଞ୍ଚାୟତ ଖସାପଡ଼ିଆ ଗ୍ରାମରେ ପ୍ରେମ ପାଇଁ ବାପା-ପୁଅଙ୍କ ମଧ୍ୟରେ ହୋଇଛି ମହାଭାରତ। ଅଭୟ ଚରଣ ପ୍ରଧାନଙ୍କ ଏକମାତ୍ର ପୁଅ ରାଜେଶ ରେମୁଣା ବ୍ଲକ ଦୁର୍ଗାଦେବୀ ଅଞ୍ଚଳ କୁଡିଆ ଗ୍ରାମର ଜନୈକ ଯୁବତୀଙ୍କୁ ଭଲ ପାଉଥିଲେ। ୪ ବର୍ଷ ହେଲା ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା। ଉଭୟ ବିବାହ କରିବା ପାଇଁ ମନସ୍ଥ କଲେ । ରାଜେଶ ବେଙ୍ଗାଲୁରୁରେ କାମ କରୁଥିବା ବେଳେ ବାପା ମାଆଙ୍କୁ ଜନୈକ ଯୁବତୀଙ୍କୁ ବିବାହ କରିବାକୁ ପ୍ରସ୍ତାବ ଦେବାକୁ କହିଥିଲେ। ହେଲେ ନୀଚ୍ଚ ଜାତି ପାଇଁ ବାପା ମାଆ ଅରାଜି ହେଲେ। ଶେଷରେ ଝିଅର ବାହାଘର ଅନ୍ୟତ୍ର ଠିକ୍ ହେବାରୁ ରାଜେଶ ବିବ୍ରତ ହୋଇପଡିଥିଲେ। ଗତ ସୋମବାର ଦିନ ଯୁବତୀର ପରିବାର ଉପସ୍ଥିତିରେ ନୀଳଗିରି ରଘୁନାଥଜିଉ ମନ୍ଦିରରେ ବୈଦିକ ରୀତିରେ ବିବାହ କରିଥିଲେ। ବିବାହ ପରେ ନବବଧୂକୁ ନେଇ ରାଜେଶ ଘରକୁ ଫେରିଥିଲେ। ଭାବିଥିଲେ ସବୁ ରାଗରୋଷ ଭୁଲି ବାପା ମାଆ ଆପଣେଇ ନେବେ। ହେଲେ ଘରକୁ ଆସିବା ପରେ ନବବଧୂକୁ ବନ୍ଦାପନା କରିବା ତ ଦୂରର କଥା ତାଙ୍କୁ ଘରକୁ ପୁରାଇ ଦେଲେନି। ପରେ ରାଜେଶ ଜୋର କରି ଘରକୁ ଗଲାପରେ ତାଙ୍କୁ ମାଡ଼ ମାରି ଆହତ କରି ପକାଇଲେ। କୁଆଡ଼େ ଯିବେ କିଛି ବୁଦ୍ଧିବାଟ ନପାଇ ଦୁଇଦିନ ହେଲା ବର କନିଆ ଘର ବାହାରେ ଏକ ଖଟିଆରେ ପଡି ରହିଛନ୍ତି। ତେବେ ଗ୍ରାମବାସୀ ବୁଝାସୁଝା କରିଥିଲେ ମଧ୍ୟ ପରିବାର ଲୋକେ ମୁଖ୍ୟ ଫାଟକରେ ତାଲା ପକାଇ ଦେଇଛନ୍ତି। 

ଗାଁରେ ଘଟଣାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଗାଁର ସ୍ୱୟଂ ସହାୟକ ଗୋଷ୍ଠିର ମହିଳା ଓ ସମ୍ପାଦକ ସ୍ନେହାଞ୍ଜଳି ବାଗୁଡାଇ, ସ୍ଥାନୀୟ ୱାର୍ଡ ମେମ୍ବର ପ୍ରତିମା ବେହେରା ପହଞ୍ଚି ବୁଝାସୁଝା କରି ବିଫଳ ହୋଇଛନ୍ତି। ତେବେ ହାତରୁ ନବ ବଧୂଙ୍କର ମେହେନ୍ଦି ଶୁଖି ନଥିବା ବେଳେ ତାଙ୍କର ଏଭଳି ଦୁର୍ଦ୍ଦଶା ଦେଖି ଅଞ୍ଚଳବାସୀ ଚିନ୍ତାରେ ପଡିଛନ୍ତି।

You Can Read :

ଜମୁଛି ବିଜେଡି ବିଧାୟକ ପ୍ରାର୍ଥୀ ବର୍ଷା ପ୍ରିୟଦର୍ଶନୀଙ୍କ ପ୍ରଚାର, ସବୁଠି ଜୋରଦାର ସ୍ବାଗତ

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.