ଟଙ୍କା ପାଇଁ ସମ୍ପର୍କରେ ରକ୍ତର ଛିଟା: ବାପା ବେକକୁ ବ୍ଲେଡରେ କାଟିଲା ପୁଅ
17/02/2023 at 7:29 PM

ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ। ଟଙ୍କା ଲାଗି ବାପାର ବେକକୁ ବ୍ଲେଡରେ କାଟିଲା ପୁଅ । ଖଣ୍ଡଗିରି ଥାନା ଅନ୍ତର୍ଗତ ସୁବାଷ ନଗର ବସ୍ତିରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା । ଅଭିଯୁକ୍ତ ଜଣଙ୍କ ହେଲା ଅଳିଆ ନାୟକଙ୍କ ପୁଅ ସୁଶାନ୍ତ । ଖଣ୍ଡଗିରି ଥାନା ପୁଲିସ କେଶ ନଂ ୭୬/୨୩ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି ।
ସୂଚନା ଅନୁଯାୟୀ, ଘଟଣା ଦିନ ସୁଶାନ୍ତ ତାଙ୍କ ବାପାଙ୍କୁ କିଛି ଟଙ୍କା ମାଗିଥିଲା । ମାତ୍ର ତାଙ୍କ ବାପା ଟଙ୍କା ଦେବାକୁ ମନା କରି ଦେଇଥିଲେ । ଏଥିରେ ପୁଅ ରାଗିଯାଇ ତାଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳି କରିବା ସହିତ ଧମକ ଦେଇଥିଲେ । ବାପା ବିରୋଧ କରିବାରୁ ଅଭିଯୁକ୍ତ ଜଣକ ହଠାତ ଉତ୍ତ୍ୟକ୍ତ ହୋଇପଡ଼ିଥିଲା। ପରେ ଘର ଭିତରକୁ ଯାଇ ଏକ ବ୍ଲେଡ ଆଣି ବାପାର ବେକକୁ କାଟି ପକାଇଥିଲା। ଫଳରେ ପ୍ରବଳ ରକ୍ତସ୍ରାବ ହୋଇ ଗୁରୁତର ହୋଇପଡ଼ିଥିଲେ । ଏହା ଦେଖି ସଙ୍ଗେ ସଙ୍ଗେ ତାଙ୍କୁ ଏମ୍ସ ହସ୍ପିଟଲକୁ ସ୍ଥାନାନ୍ତର କରାଯାଇଥିଲା । ଏ ନେଇ ଥାନାରେ ଅଭିଯୋଗ ହେବା ପରେ ଖଣ୍ଡଗିରି ଥାନା ପୁଲିସ ଏକ ମାମଲା ରୁଜୁ କରିବା ସହ ଅଭିଯୁକ୍ତକୁ ଗିରଫ କରିଥିଲା । ପଚରାଉଚରା ସମୟରେ ଅଭିଯୁକ୍ତ ଜଣକ ନିଜ ଦୋଷ ସ୍ଵୀକାର କରିଥିଲା ।